ନୂଆଦିଲ୍ଲୀ: ରାଜନୀତିରେ ବୟାନବାଜି, ଆକ୍ରମଣ ଏବଂ ପ୍ରତିଆକ୍ରମଣ ଦେଖିବାକୁ ମିଳିଥାଏ । ସୋସିଆଲ୍ ମିଡିଆରେ ବହୁ ଟିପ୍ପଣୀ ଦେଖିବାକୁ ମିଳେ । ଏହାରି ଭତିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ବିଜେପିକୁ ସମର୍ଥନ କରୁଥିବା ଜଣେ ମ୍ୟୁଚୁଆଲ୍ ଫଣ୍ଡ ଡିସଟ୍ରିବ୍ୟୁଟରଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ନେଇ ଖୁବ ଚର୍ଚ୍ଚା ହେଉଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭିନ୍ନ ଅନ୍ଦାଜ ଏବେ ଇଣ୍ଟରନେଟରେ ଲୋକଙ୍କ ମନ ଜିଣୁଛି ।

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସର ଜଣେ ୟୁଜର ରାହୁଲ ଗାନ୍ଧୀଙ୍କୁ ନେଇ ନିଜ ମତ ସେୟାର କରିବା ପରେ ପୂରା ଘଟଣା ସାମନାକୁ ଆସିଥିଲା । ୨୦୧୩ ମସିହାରେ ଯେତେବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର କ୍ଷମତାରେ ଥିଲା, ସେତେବେଳେ ରାହୁଲ ଗାନ୍ଧୀ ମ୍ୟୁଚୁଆଲ୍ ଫଣ୍ଡ ନିବେଶ ପାଇଁ ତାଙ୍କର କ୍ଲାଏଣ୍ଟ ଥିଲେ ବୋଲି ଏକ୍ସ ୟୁଜର ମୁଥୁକ୍ରିଷ୍ଣନ୍ ଧଣ୍ଡାପାଣି ଦାବି କରିଥିଲେ । ସେ କହିଛନ୍ତି ଯେ ୨୦୧୪ରୁ ୨୦୨୪ ମଧ୍ୟରେ ନିରନ୍ତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିକୁ ସାର୍ବଜନୀନ ଭାବରେ ସମର୍ଥନ କରିଛନ୍ତି । କିନ୍ତୁ ତାଙ୍କ ଦାବି ଯେ ରାହୁଲ ଗାନ୍ଧୀ ଏବଂ ତାଙ୍କ କର୍ମଚାରୀମାନେ କେବେବି ରାଜନୈତିକ ମତଭେଦକୁ ବୃତ୍ତିଗତ ସମ୍ପର୍କକୁ ପ୍ରଭାବିତ କରିବାକୁ ଦେଇ ନାହାନ୍ତି ।

ସେ ଲେଖିଛନ୍ତି, "ରାହୁଲ କିମ୍ବା ତାଙ୍କ ଅଫିସ କର୍ମଚାରୀମାନେ କେବେ ବି ସେହି ବିଷୟ ମୋ ପାଖକୁ ଆଣି ନାହାନ୍ତି ।" ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ରାହୁଲ ଗାନ୍ଧୀ "ମୋତେ ସମ୍ମାନର ସହିତ ସମ୍ବୋଧନ କରନ୍ତି ଏବଂ କେବେ ବି ଅହଂକାର ଦେଖାଇ ନାହାନ୍ତି ।" ସେ ଏହା ମଧ୍ୟ ଦାବି କରିଥିଲେ ଯେ ରାହୁଲ ଗାନ୍ଧୀ କିଛି ବର୍ଷ ପୂର୍ବେ ଜଣେ ପ୍ରମୁଖ ବୃତ୍ତିଗତଙ୍କୁ ଚୟନ କରିବା ସମୟରେ ତାଙ୍କର ମତାମତ ଲୋଡିଥିଲେ।

ଏହି ପୋଷ୍ଟ ଉପରେ କଂଗ୍ରେ ସାଂସଦ ମଜାଦାର ଅନ୍ଦାଜରେ ଉତ୍ତର ଦେଇଥିଲେ । ଲେଖିଛନ୍ତି, "ମୁଥୁ ଜୀ, ଆପଣଙ୍କ ରାଜନୈତିକ ଦୃଷ୍ଟିକୋଣ ଆପଣଙ୍କର - କିନ୍ତୁ ଦୟାକରି ମୋର ନିବେଶର ଲାଭକୁ ତ୍ୱରାନ୍ୱିତ କରାନ୍ତୁ ।"

 

 

ରାହୁଲଙ୍କ ଏହି ପ୍ରତିକ୍ରିୟା ଅନଲାଇନ ୟୁଜରଭଙ୍କ ମନ ଜିଣିବାରେ ଲାଗିଛି । ଅନେକ ୟୁଜରର ରାହୁଲଙ୍କ ଏପରି ପ୍ରତିକ୍ରିୟାକୁ ପ୍ରଶଂସା କରୁଛନ୍ତି । ନିଜେ ମୁଥୁକ୍ରିଷ୍ଣନ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇ "ତୁମର ଉତ୍ତରରେ ଖୁସିରେ ଆଶ୍ଚର୍ଯ୍ୟ ହେଲି" ବୋଲି କହିଛନ୍ତି ।