କଲମ୍ବିଆ: ଚୁଗୁଲି କରି ରୋଜଗାର। ଏ କଥାଟା ଆପଣଙ୍କୁ ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବା। ଲାଗିବନି ବା କେମିତି ! ଚୁଗୁଲି ଅର୍ଥାତ ଏଘର ମାଉସୀ, ସେ ଘର ପିଉସୀ କାମ କରି କିଏ କଣ ରୋଜଗାର କରେ। ଖାସ୍ ସେଇଥିପାଇଁ ତ ଚୁଗୁଲି ଓ ଚୁଗୁଲିଆ ସମସ୍ତେ ଦୂରେଇ ରହିବାକୁ ଚାହାନ୍ତି। କାରଣ ଏ ଏମିତି ଜଣେ ବ୍ୟକ୍ତି, କେତେବେଳେ ଯେ କାର ପୋଲ୍ ଖୋଲିଦେବ, ତାହା କହିହେବ ନାହିଁ। କିନ୍ତୁ କଲମ୍ବିଆର ଜଣେ ମହିଳାଙ୍କ ପାଇଁ ଚୁଗୁଲି କୌଣସି ଖରାପ ଅଭ୍ୟାସ ନୁହେଁ, ବରଂ ଏହା ହିଁ ତାଙ୍କ ରୋଜଗାରର ମାଧ୍ୟମ। ଲୋକଙ୍କ ରହସ୍ୟ ଶୁଣିବା, ତଥ୍ୟ ସଂଗ୍ରହ କରିବା ଏବଂ ଆବଶ୍ୟକ ପଡ଼ିଲେ ସେହି ରହସ୍ୟକୁ ଗୋପନ ରଖିବା ପାଇଁ ସେ ନିଅନ୍ତି ଟଙ୍କା!

କଲମ୍ବିଆର ମରିୟମ୍ ନାମକ ଏହି ମହିଳା ନିଜକୁ ଜଣେ ପେସାଦାର ‘ଚିସ୍ମୋସା’ ବା ଚୁଗୁଲିଖୋର ବୋଲି ପରିଚୟ ଦିଅନ୍ତି। ତାଙ୍କ ହାତରେ ପ୍ରାୟ ସବୁବେଳେ ଏକ ଖାତା ଥାଏ। ଆଖପାଖରେ କିଏ କ’ଣ କହୁଛି, କାହା ଜୀବନରେ କ’ଣ ଘଟୁଛି—ସେସବୁ ତଥ୍ୟ ସେ ଖାତାରେ ଲେଖି ରଖନ୍ତି।

କିନ୍ତୁ ମରିୟମ୍ କେବଳ ଶୁଣିଥିବା କଥାକୁ ନେଇ ଚୁଗୁଲି କରନ୍ତି ନାହିଁ। କାହାର ବ୍ୟକ୍ତିଗତ ତଥ୍ୟ ଅନ୍ୟ ଜଣଙ୍କୁ କହିବା ପୂର୍ବରୁ ସେ ତାହାର ପ୍ରମାଣ ମଧ୍ୟ ସଂଗ୍ରହ କରନ୍ତି। ତାଙ୍କ ଘରେ ଏକ ବୋର୍ଡ ରହିଛି, ଯେଉଁଥିରେ ଫଟୋ ଏବଂ ବିଭିନ୍ନ ସାମଗ୍ରୀ ଲାଗିଛି। ଏଗୁଡ଼ିକୁ ସେ ନିଜ ପାଖରେ ଥିବା ତଥ୍ୟର ପ୍ରମାଣ ବୋଲି କହନ୍ତି।

ମରିୟମଙ୍କ ବ୍ୟବସାୟର ସବୁଠାରୁ ରୋଚକ କଥା ହେଉଛି—ସେ କେବଳ ରହସ୍ୟ ଖୋଲିବା ପାଇଁ ନୁହେଁ, ରହସ୍ୟ ଲୁଚାଇ ରଖିବା ପାଇଁ ମଧ୍ୟ ଟଙ୍କା ନିଅନ୍ତି। କାହାର ବ୍ୟକ୍ତିଗତ ତଥ୍ୟ କିମ୍ବା ପ୍ରେମ ସମ୍ପର୍କ ଅନ୍ୟମାନଙ୍କ ଆଗରେ ପ୍ରଘଟ ନ କରିବା ପାଇଁ ସେ ଥରେ ପ୍ରାୟ ୧୬ ହଜାର ଟଙ୍କା ନେଇଥିବା କହିଛନ୍ତି। ଅର୍ଥାତ୍ ମରିୟମଙ୍କ ପାଖରେ ଥିବା ରହସ୍ୟର ମଧ୍ୟ ଏକ ଦାମ ରହିଛି। ଛୋଟ ଛୋଟ ସୂଚନା କିମ୍ବା ଗସିପ୍ ପାଇଁ ସେ ସାଧାରଣତଃ ୧୫୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ନିଅନ୍ତି। ତଥ୍ୟ ଯେତେ ରୋଚକ, ତାହାର ଦାମ ମଧ୍ୟ ସେହି ଅନୁସାରେ ବଢ଼ିଥାଏ।

ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ଅଜବ ପେସାରୁ ହୋଇଥିବା ଆୟରେ ମରିୟମ୍ ନିଜ ପାଇଁ ଘର କିଣିଛନ୍ତି। ଅନ୍ୟମାନଙ୍କ ଜୀବନର ଗୁପ୍ତ କଥା ତାଙ୍କ ପାଇଁ ଏକପ୍ରକାର ସମ୍ପତ୍ତି ପାଲଟିଯାଇଛି। ମରିୟମଙ୍କ କହିବା ଅନୁସାରେ, ଚୁଗୁଲି କରିବା ତାଙ୍କ ପାଇଁ କେବଳ ଏକ କାମ ନୁହେଁ। ଏହା ତାଙ୍କ ଜୀବନର ଏକ ଅଂଶ ପାଲଟିଯାଇଛି।

also read- ଭୂମିକମ୍ପ ଯୋଗୁଁ ଗଲାଣି ୪୭ ଜୀବନ, ଧ୍ବଂସାବଶେଷ ତଳେ ଫସି ରହିଛନ୍ତି ଅନେକ ଲୋକ

ଯେଉଁ ଚୁଗୁଲିକୁ ଅନେକ ଲୋକ ଏକ ଖରାପ ଅଭ୍ୟାସ ବୋଲି ଭାବନ୍ତି, ମରିୟମ୍ ସେହି ଚୁଗୁଲିକୁ ନିଜର ପେସା କରି ଦେଇଛନ୍ତି। ଲୋକଙ୍କ ରହସ୍ୟ ତାଙ୍କ ପାଇଁ କେବଳ ଗପ ନୁହେଁ—ସେହି ରହସ୍ୟ ହିଁ ତାଙ୍କ ଆୟର ଉତ୍ସ !