ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନକୁ ଆଖିରେ ରଖି ରାଜ୍ୟର ୫୨ ଜଣ ପ୍ରମୁଖ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ୍ ଯୋଗାଇ ଦିଆଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟପାଥ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ବହୁଜନ ସମାଜ ପାର୍ଟି ସୁପ୍ରିମୋଙ୍କ ସମେତ ମୋଟ ୫୨ ଜଣ ନେତାଙ୍କୁ ବୁଲଟେପ୍ରୁଫ୍‌ ଜ୍ୟାକେଟ ଦିଆଯାଇଛି । ଏନେଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଏନଆଇ ଖବର ପ୍ରକାଶ କରିଛି । ତେବେ ଏହି ତାଲିକାରେ ୧୧ ଜଣ ରାଜ୍ୟର ମନ୍ତ୍ରୀ ସାମିଲ ଅଛନ୍ତି । ମନ୍ତ୍ରୀମାନଙ୍କ ମଧ୍ୟରେ ସଞ୍ଜୟ ନିଷାଦ, ନନ୍ଦ ଗୋପାଳ ଗୁପ୍ତା ଏବଂ ଓମପ୍ରକାଶ ରାଜଭର ପ୍ରମୁଖ ସାମିଲ । ଏଏନଆଇର ସୂଚନା ଅନୁସାରେ, ଏହି ତାଲିକା​‌ରେ ବିଜେପି ନେତ୍ରୀ ଅପର୍ଣ୍ଣା ଯାଦବଙ୍କ ନାଁ ରହିଛି । 

ପ୍ରତ୍ୟେକ ବୁଲେଟପ୍ରୁଫ ଜ୍ୟାକେଟ୍‌ର ମୂଲ୍ୟ ପ୍ରାୟ ଦଶ ଲକ୍ଷ ଟଙ୍କା ବୋଲି କୁହାଯାଉଛି । ପ୍ରଥମ ପର୍ଯ୍ୟାୟରେ ଆଠ ଜଣ ନେତାଙ୍କୁ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୪୪ ଜଣଙ୍କୁ ଏହି ଜ୍ୟାକେଟ୍ ପ୍ରଦାନ କରାଯାଇଛି। ଏହା ସହିତ ଭାଜପାର ଅନ୍ୟ କେତେଜଣ ନେତା, ସ୍ୱତନ୍ତ୍ର ଦେବ ସିଂହ, ଜୟବୀର ସିଂହ ଓ ମହେନ୍ଦ୍ର ସିଂହଙ୍କୁ ମଧ୍ୟ ବିଶେଷ ସୁରକ୍ଷା ବ୍ୟବସ୍ଥା ଦିଆଯାଇଛି । ଏହା ବ୍ୟତୀତ ରାଜ୍ୟରେ ଆଉ ୯୮ ଜଣ ନେତା ଓ ପ୍ରମୁଖ ବ୍ୟକ୍ତିଙ୍କୁ ବିଭିନ୍ନ ଶ୍ରେଣୀର ସୁରକ୍ଷା ପ୍ରଦାନ କରାଯିବ। ଏହି ସମସ୍ତ ପଦକ୍ଷେପ ୨୦୨୭ ବିଧାନସଭା ନିର୍ବାଚନକୁ ଧ୍ୟାନରେ ରଖି ନିଆଯାଉଛି। 

ରାଜନୈତିକ ଦଳଗୁଡ଼ିକ ମଧ୍ୟ ନିର୍ବାଚନ ପାଇଁ ନିଜର ପ୍ରସ୍ତୁତି ଜୋରଦାର କରୁଛନ୍ତି ।ଭାରତୀୟ ଜନତା ପାର୍ଟି ପକ୍ଷରୁ ସାଧାରଣ ସମ୍ପାଦକ ବିନୋଦ ତାଓ୍ବଡେଙ୍କୁ ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଛି। ତାଙ୍କ ସହିତ ଜଗଦୀଶ ଈଶ୍ୱରଭାଇ ପଟେଲଙ୍କୁ ସହ-ପ୍ରଭାରୀ ଭାବରେ ନିଯୁକ୍ତ କରିଛି ବିଜେପି ।  ପାର୍ଟି ରାଜ୍ୟରେ ସାମାଜିକ ଓ ଜାତିଗତ ସନ୍ତୁଳନ ମଜଭୁତ କରିବା ଉପରେ ବିଶେଷ ଧ୍ୟାନ ଦେଉଛି। ଅନ୍ୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ନେତାମାନଙ୍କୁ ସଂଗଠନାତ୍ମକ ପଦବୀରେ ଅଧିକ ପ୍ରତିନିଧିତ୍ୱ ଦିଆଯାଉଛି।ଏହା ସହିତ ବିଜେପି ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ଭେ ଆରମ୍ଭ କରିଛି। ଏହି ସର୍ଭେ ମାଧ୍ୟମରେ ସଂଗଠନର ଶକ୍ତି, ସମ୍ଭାବ୍ୟ ପ୍ରାର୍ଥୀ ଏବଂ ସ୍ଥାନୀୟ ସମସ୍ୟା ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି । ଏହା ୨୦୨୭ ନିର୍ବାଚନରେ ପ୍ରଭାବ ପକାଇପାରେ।