ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ ତାଙ୍କ ‘କକ୍ରୋଚ’ ଟିପ୍ପଣୀ ଉପରେ ନିକଟରେ ବିସ୍ତାର ପୂର୍ବକ ନିଜ କଥା ରଖିଛନ୍ତି। ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ତାଙ୍କ ମୌଖିକ ଟିପ୍ପଣୀକୁ ଭୁଲ ଉପାୟରେ ପ୍ରସ୍ତୁତ କରାଯାଇଛି। ସିଜେଆଇ କହିଛନ୍ତି ଅନେକ କଥା ତାଙ୍କ ନାମ ନେଇ ପ୍ରସାରଣ କରାଯାଇଛି, ଯାହାକୁ ସେ କେବେ ବାସ୍ତବରେ କେଉଁଠି କହିବି ନାହାନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏଇଭଳି ପ୍ରସ୍ତୁତିକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସେ କହିଛନ୍ତି ଯେ ସୋସିଆଲ ମିଡିଆ ମାଧ୍ୟମରେ ଯୁବବର୍ଗଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରାଯାଉଛି।

ସିଜେଆଇ କହିଛନ୍ତି ଯେ କୋର୍ଟରେ କୁହାଯାଇଥିବା କଥାକୁ ସନ୍ଦର୍ଭରୁ ପୃଥକ କରି ଦେଖାଇଲେ ଏହାର ଅର୍ଥ ବଦଳି ପାରେ। ତାଙ୍କ ଅନୁସାରେ କୋର୍ଟଙ୍କ ଚିପ୍ପଣୀକୁ ସମ୍ପୂର୍ଣ୍ଣ ଶୁଣଣି ସନ୍ଦର୍ଭରେ ବୁଝିବା ଆବଶ୍ୟକ ଅଟେ। ପ୍ରଧାନ ବିଚାରପତି ସୋସିଆଲ ମିଡିଆରେ କୋର୍ଟ କାର୍ଯ୍ୟର ଛୋଟ ଛୋଟ ଭିଡିଓ କ୍ଲିପ ଭାଇରାଲ ହେବାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ତାଙ୍କ କହିବା କଥା ହେଲା କୌଣସି ଦୀର୍ଘ ଶୁଣାଣିର କିଛି ସେକେଣ୍ଡକୁ ପୃଥକ କରି ଦେଖାଇଲେ ଲୋକଙ୍କ ମଧ୍ୟରେ କୋର୍ଟକୁ ନେଇ ଭୁଲ ଧାରଣା ସୃଷ୍ଟି ହୋଇପାରେ। ଏଣୁ ସେ ମିଡିଆ ଓ ସାଧାରଣ ନାଗରିକଙ୍କୁ ଏପରି ସାମଗ୍ରୀ ସେୟାର କରିବା ସମୟରେ ଦାୟିତ୍ୱ ଓ ସନ୍ଦର୍ଭକୁ ଧ୍ୟାନ ଦେବାକୁ ନିବେଦନ କରିଛନ୍ତି।

ସିଜେଆଇ କହିଛନ୍ତି ଯେ ସୋସିଆଲ ମିଡିଆ ସହ ଜଡିତ ଯେ କୌଣସି ବ୍ୟକ୍ତି ହୋଇଥାନ୍ତୁ ନା କାହିଁକି, ପ୍ରିଣ୍ଟ ମିଡିଆରେ କାମ କରନ୍ତୁ କି ସାଧାରଣ ନାଗରିକ ହୁଅନ୍ତୁ ସମସ୍ତଙ୍କର କିଛି ଅଧିକାର ଓ ସାମ୍ବିଧାନିକ ଦାୟିତ୍ୱ ମଧ୍ୟ ରହିଛି। ଏଣୁ ଲୋକଙ୍କୁ ନିଜ ଅଧିକାର ସହିତ କର୍ତ୍ତବ୍ୟ କୁ ମଧ୍ୟ ବୁଝିବା ଆବଶ୍ୟକ। ତାଙ୍କ ଅନୁସାରେ ସମାଜରେ ସଦଭାବ କାୟମ ରଖିବାକୁ ସମସ୍ତଙ୍କୁ ନିଜ ଭୂମିକା ଦାୟିତ୍ୱର ସହ ନିର୍ବାହ କରିବା ଉଚିତ।

କକରୋଚ ବିବାଦ କ’ଣ?
ଏହି ବିବାଦ ୧୫ ମେ ୨୦୨୬ରେ ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି କାଳରେ ହୋଇଥିବା କଥିତ ଟିପ୍ପଣୀରୁ ଆରମ୍ଭ ହୋଇଥିଲା। ସୂଚନା ଅନୁସାରେ ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କିଛି ଲୋକଙ୍କୁ କକରୋଚ ସହ ତୁଳନା କରିଥିଲେ, ଯେଉଁମାନଙ୍କ ବିରୋଧରେ ଆରୋପ ଥିଲା ଯେ ସେମାନେ ନକଲୀ ଡିଗ୍ରିଧାରୀ ଅଟନ୍ତି। ସିଜେଆଇ ଏପରି ଲୋକଙ୍କ ଦ୍ୱାରା ସୋସିଆଲ ମିଡିଆ ଓ ଆକ୍ଟିଭିଜିମ ମାଧ୍ୟମରେ ବ୍ୟବସ୍ଥାକୁ ଟାର୍ଗେଟ କରୁଥିବାର ଉଲ୍ଲେଖ କରିଥିଲେ। ସିଜେଆଇଙ୍କ ଏହି ଟିପ୍ପଣୀ ପରେ ସୋସିଆଲ ମିଡିଆରେ କକ୍ରୋଚ ଜନତା ପାର୍ଟି (ସିଜେପି) ନାମରେ ଏକ ବ୍ୟାଙ୍ଗାତ୍ମକ ଅନଲାଇନ ଆନ୍ଦୋଳନ ମୁଣ୍ଡ ଟେକିଥିଲା।