ଇନ୍ଦୋର: ପ୍ରାୟ ୬ ବର୍ଷ ପୂର୍ବରୁ ସରକାର ଗୋଟିଏ ଆଧୁନିକ ହସ୍ପିଟାଲ ତିଆରି ପାଇଁ ଯୋଜନା କଲେ । ଏଥିପାଇଁ ଟଙ୍କା ବି ଆସିଲା, ହସ୍ପିଟାଲ ଚାଲିଲା । ଡାକ୍ତରଙ୍କ ସମେତ ୮୭ ଜଣ କର୍ମଚାରୀ କାମ କଲେ । ହସ୍ପିଟାଲରେ ରୋଗୀ ସେବା ପାଇଁ ୧୦୦ଟି ବେଡ୍‌ର ବ୍ୟବସ୍ଥା ବି କରାଗଲା । ଅନ୍ୟ ସରକାରୀ ହସ୍ପିଟାଲ ଭଳି ସେଠାରେ ଡାକ୍ତରଙ୍କ ବଦଳି ଏବଂ ନିଯୁକ୍ତି ଚାଲିଲା । କିନ୍ତୁ ଏବେ ଖବର ମିଳିଲା ଯେ, ବଡ଼ ଦୁର୍ନୀତି ହୋଇଛି । ଆପଣ ଭାବୁଥିବେ କଣ ଦୁର୍ନୀତି ହୋଇଛି ? ପ୍ରକୃତରେ ହସ୍ପିଟାଲଟି କେବଳ କାଗଜ କଲମରେ କାର୍ଯ୍ୟକ୍ଷମ ରହିଛି । ଅର୍ଥାତ ଇଟା-ସିମେଣ୍ଟରେ ତିଆରି କୌଣସି ବିଲ୍ଡିଂ ନିର୍ମାଣ ହୋଇନି । ସେକଥା ଛାଡ଼ନ୍ତୁ, ହସ୍ପିଟାଲ ପ୍ରତିଷ୍ଠା ପାଇଁ ଏବେ ଯାଏଁ ଜମି ବି ମିଳିପାରିନି । 

ମଧ୍ୟପ୍ରଦେଶର ଇନ୍ଦୋରରୁ ଏଭଳି ଆଶ୍ଚର୍ଯ୍ୟଜନକ ଏବଂ ଅଜବ ଖବର ସାମ୍ନାକୁ ଆସିଛି। ‘ଟାଇମ୍ସ ଅଫ ଇଣ୍ଡିଆ’ରେ ପ୍ରକାଶିତ ଖବର ଅନୁସା ରାଜ୍ୟର ଖଜରାନା ଅଞ୍ଚଳରେ ଏକ ପ୍ରସ୍ତାବିତ ୧୦୦ ବେଡ୍ ବିଶିଷ୍ଟ ସିଭିଲ୍ ହସ୍ପିଟାଲ୍ ଗତ ୬ ବର୍ଷ ହେବ କେବଳ କାଗଜପତ୍ରରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ରହିଛି। ଆଶ୍ଚର୍ଯ୍ୟର କଥା ହେଉଛି, ବାସ୍ତବରେ ଏହି ମେଡିକାଲ ପାଇଁ ଏପର୍ଯ୍ୟନ୍ତ ଗୋଟିଏ ବି ଇଟା ପଡ଼ିନାହିଁ କିମ୍ବା କୌଣସି ଜମି ମଧ୍ୟ ଚୂଡ଼ାନ୍ତ ହୋଇପାରିନାହିଁ।

କାଗଜପତ୍ରରେ ନିଯୁକ୍ତି ଏବଂ ବଦଳି
 ପ୍ରାୟ ୬ ବର୍ଷ ପୂର୍ବରୁ ମଧ୍ୟପ୍ରଦେଶ ସରକାର ଖଜରାନାଠାରେ ଏକ ଆଧୁନିକ ସିଭିଲ୍ ହସ୍ପିଟାଲ୍ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ। ମେଡିକାଲ ବିଲ୍ଡିଂ ପାଇଁ ଜମି ଖୋଜା ଚାଲିଥିବା ବେଳେ, ପ୍ରଶାସନିକ ସ୍ତରରେ  ଡାକ୍ତରଖାନା ପାଇଁ ୮୭  ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀ ପଦବୀ ମଞ୍ଜୁର କରିଦିଆଯାଇଥିଲା। ବର୍ଷ ବର୍ଷ ଧରି ଏହି କାଗଜପତ୍ରର ମେଡିକାଲ ପାଇଁ ନିୟମିତ ବଦଳି ଏବଂ ନିଯୁକ୍ତି ପ୍ରକ୍ରିୟା ଚାଲିଥିଲା। ବର୍ତ୍ତମାନ ଏହି ପଦବୀରେ ଥିବା ପ୍ରାୟ ୮୦ ଜଣ କର୍ମଚାରୀ ସହରର ଅନ୍ୟାନ୍ୟ ସରକାରୀ ମେଡିକାଲ ଯେପରିକି ପିସି ସେଠୀ ହସ୍ପିଟାଲ, ହୁକୁମଚାନ୍ଦ ହସ୍ପିଟାଲ ଏବଂ ବିଭିନ୍ନ ସଞ୍ଜୀବନୀ କ୍ଲିନିକରେ କାମ କରୁଛନ୍ତି।

ସରକାର ଓ ଅଧିକାରୀଙ୍କ ସଫେଇ
ଏହି ଅଜବ ସ୍ଥିତି ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ମଧ୍ୟପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା କହିଛନ୍ତି, ‘ପ୍ରଥମେ ସେଠାରେ ଏକ ସହରୀ ପିଏଚ୍‌ସି (ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ଥିଲା, ଯାହାକୁ ପରେ ୫୦ ବେଡ୍ ଏବଂ ତା'ପରେ ୧୦୦ ବେଡ୍ ବିଶିଷ୍ଟ ମେଡିକାଲରେ ପରିଣତ କରିବାକୁ ଯୋଜନା କରାଯାଇଥିଲା। ଉପଯୁକ୍ତ ସରକାରୀ ଜମି ମିଳିନଥିବାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ବିଲ୍ଡିଂ ତିଆରି ନହେବା ପର୍ଯ୍ୟନ୍ତ କର୍ମଚାରୀମାନଙ୍କୁ ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ କରାଯାଇଛି।’

ସେହିପରି ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମାଧବ ହାସାନୀ କହିଛନ୍ତି ଯେ, ସହର ଭିତରେ ବଡ଼ ସରକାରୀ ଜମି ମିଳିବା ସହଜ ନହେବାରୁ ନିର୍ମାଣରେ ବିଳମ୍ବ ଘଟିଛି, କିନ୍ତୁ କର୍ମଚାରୀଙ୍କ ଦକ୍ଷତାର ସଠିକ୍ ବ୍ୟବହାର କରାଯାଉଛି। ଏହି ଘଟଣାକୁ ନେଇ କଂଗ୍ରେସ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି। ପୂର୍ବତନ ମନ୍ତ୍ରୀ ସଜ୍ଜନ ସିଂହ ବର୍ମା ପ୍ରଶ୍ନ କରିଛନ୍ତି ଯେ, ଯେଉଁ ମେଡିକାଲର ଅସ୍ତିତ୍ୱ ହିଁ ନାହିଁ, ସେଠାରେ ବର୍ଷ ବର୍ଷ ଧରି ନିଯୁକ୍ତି ଓ ବଦଳି କିଭଳି କରାଯାଉଥିଲା ? ସେ ଏହି ସଙ୍ଗୀନ ମାମଲାକୁ ଆଗାମୀ ବିଧାନସଭା ଅଧିବେଶନରେ ଉଠାଇବା ସହ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବେ ବୋଲି ଚେତାବନୀ ଦେଇଛନ୍ତି।