ନୂଆଦିଲ୍ଲୀ: ମହାକାଶ ବୈଜ୍ଞାନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଚୀନ ଏକ ଐତିହାସିକ ସଫଳତା ହାସଲ କରିଛି । ବିଶ୍ୱରେ ପ୍ରଥମ ଥର ପାଇଁ ମହାକାଶରୁ ଫେରୁଥିବା ଏକ ରକେଟକୁ ସମୁଦ୍ର ମଧ୍ୟରେ ସଫଳତାର ସହ ସୁରକ୍ଷିତ ଭାବେ ଅବତରଣ କରାଯାଇଛି । ଚୀନର Long March-10A ରକେଟର ପ୍ରଥମ ପର୍ଯ୍ୟାୟକୁ ସମୁଦ୍ରରେ ଏକ ସ୍ୱତନ୍ତ୍ର ଅଫସୋର ପ୍ଲାଟଫର୍ମରେ ଲଗାଯାଇଥିବା ଜାଲ ସାହାଯ୍ୟରେ କ୍ୟାପଚର କରାଯାଇଛି । ଏହି ସଫଳ ପରୀକ୍ଷଣ ଚୀନର ‘ରିୟୁଜେବଲ୍ ରକେଟ୍’ କାର୍ଯ୍ୟକ୍ରମ ଏବଂ ଆଗାମୀ ଚନ୍ଦ୍ର ମିଶନକୁ ଆହୁରି ସହଜ କରିବ ।

ଚୀନ ଏରୋସ୍ପେସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କର୍ପୋରେସନ ସୂଚନା ଅନୁଯାୟୀ, ହୈନାନ କମର୍ସିଆଲ ସ୍ପେସ୍ ଲଞ୍ଚ୍ ସାଇଟ୍‌ରୁ Long March-10A ରକେଟ୍ ସଫଳତାର ସହ ଉଡ଼ାଣ ଭରିଥିଲା । ଉଡ଼ାଣର ପ୍ରାୟ ୬ ମିନିଟ୍ ପରେ ଏହାର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଲଗା ହୋଇଯାଇଥିଲେ । ଏହାପରେ ରକେଟ୍ ବୁଷ୍ଟରଟି ନିୟନ୍ତ୍ରିତ ଭାବେ ପୃଥିବୀ ଆଡ଼କୁ ଫେରିବା ଆରମ୍ଭ କରିଥିଲା । ସମୁଦ୍ରରେ ତିଆରି ହୋଇଥିବା ସ୍ୱତନ୍ତ୍ର ରିକଭରି ପ୍ଲାଟଫର୍ମର ଜାଲରେ ଛନ୍ଦି ହୋଇ ସୁରକ୍ଷିତ ଲ୍ୟାଣ୍ଡ କରିଥିଲା ।

ବର୍ତ୍ତମାନ ସୁଦ୍ଧା ଆମେରିକାର ସ୍ପେସଏକ୍ସ ସମୁଦ୍ରରେ ଥିବା ଡ୍ରୋନ ଶିପ୍ ଉପରେ ରକେଟର ଭର୍ଟିକାଲ୍ ଲ୍ୟାଣ୍ଡିଂ କରିଥିଲା । କିନ୍ତୁ ଚୀନ ଏହାଠାରୁ ଆଗକୁ ଯାଇ ଏକ ନୂଆ ‘ନେଟ୍ ସିଷ୍ଟମ୍’ ପ୍ରଯୁକ୍ତିର ବ୍ୟବହାର କରିଛି । ଏହି ବ୍ୟବସ୍ଥା ଦ୍ୱାରା ଲ୍ୟାଣ୍ଡିଂ ସମୟରେ ରକେଟ୍ ଉପରେ ଚାପ କମ୍ ପଡ଼ିଥାଏ । ରକେଟ୍ ନଷ୍ଟ ହେବାର ଆଶଙ୍କା କମିଯାଏ ।

 

କାହିଁକି ଗୁରୁତ୍ୱପୂର୍ଣ୍ଣ ଏହି ପ୍ରଯୁକ୍ତିବିଦ୍ୟା ?

ମହାକାଶ ମିଶନଗୁଡ଼ିକରେ ରକେଟ୍ ବୁଷ୍ଟର ସବୁଠାରୁ ଦାମୀ ହୋଇଥାଏ । ରିୟୁଜେବଲ୍ ଯୋଗ୍ୟ ପ୍ରଯୁକ୍ତିବିଦ୍ୟା ଯୋଗୁଁ ପ୍ରତିଥର ନୂଆ ରକେଟ୍ ତିଆରି କରିବାର ଖର୍ଚ୍ଚ ବଞ୍ଚିବ । ଏହା ମହାକାଶ ସେକ୍ଟରରେ ଲଞ୍ଚିଂ ଖର୍ଚ୍ଚକୁ ବହୁ ପରିମାଣରେ ହ୍ରାସ କରିଥାଏ । ଏହି ନେଟ୍ ରିକଭରିର ସଫଳତା ପରେ ଭବିଷ୍ୟତରେ ସାଟେଲାଇଟ୍ ଲଞ୍ଚ, ସ୍ପେସ୍ ଷ୍ଟେସନ ମିଶନ ଏବଂ ଚନ୍ଦ୍ର ଅଭିଯାନ ଆହୁରି ଶସ୍ତା ଏବଂ ସହଜ ହୋଇପାରିବ ।