ବେଜିଂ : ଚୀନ-ନେପାଳ ସୀମାରେ ପ୍ରକୃତିର ତାଣ୍ଡବ  ଭୟଙ୍କର ଭୂସ୍ଖଳନ ପରେ ଚାରିଆଡ଼େ ହାହାକାର। ଚୀନର ଶିଜାଙ୍ଗ ଅଞ୍ଚଳରେ ଭୂସ୍ଖଳନ ଓ ମାଟି-ପଥରର ବନ୍ୟା ପରିସ୍ଥିତିକୁ ଭୟଙ୍କର କରିଦେଇଛି। ୧୬ ଜଣଙ୍କ ମୃତ୍ୟୁ ନିଶ୍ଚିତ କରାଯାଇଥିବା ବେଳେ ୫୪୬ ଜଣ ଏବେ ବି ନିଖୋଜ ଅଛନ୍ତି। ଆଉ ସବୁଠାରୁ ବଡ଼ ଚିନ୍ତାର କଥା ହେଉଛି ନିଖୋଜଙ୍କ ମଧ୍ୟରେ ଅଛନ୍ତି ୪୯ ଜଣ ଭାରତୀୟ ନାଗରିକ । ଚୀନ-ନେପାଳ ସୀମାରେ ଗ୍ୟିରୋଙ୍ଗ ବନ୍ଦର ନିକଟରେ ଅଗଷ୍ଟ ୨୬ ତାରିଖରେ ଘଟିଥିବା ଏହି ଭୟଙ୍କର ବିପର୍ଯ୍ୟୟ ପରେ ଏବେ ମଧ୍ୟ ଜୋରଦାର ଉଦ୍ଧାର ଅଭିଯାନ ଚାଲିଛି ।

ଚୀନର ଶିଜାଙ୍ଗ ଅଞ୍ଚଳର ଅଧିକାରୀଙ୍କ କହିବା ଅନୁଯାୟୀ, ଗ୍ୟିରୋଙ୍ଗ ବନ୍ଦରରେ ଭୂସ୍ଖଳନ ପରେ ଚୀନ ପକ୍ଷରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହ ୫୪୬ ଜଣଙ୍କର ଏବେ ବି କୌଣସି ଖୋଜଖବର ମିଳୁନାହିଁ। ତେବେ ନିଖୋଜଙ୍କ ତାଲିକାରେ କେବଳ ଚୀନ ନାଗରିକ ନାହାନ୍ତି। ୨୩ଟି ଦେଶର ମୋଟ ୨୬୧ ଜଣ ବିଦେଶୀ ନାଗରିକଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ। ଏହି ତାଲିକାରେ ସର୍ବାଧିକ ୧୦୪ ଜଣ ନେପାଳୀ ନାଗରିକ ଥିବା ବେଳେ ୪୯ ଜଣ ଭାରତୀୟ ଅଛନ୍ତି। ଏହା ପରେ ଲାଟଭିଆର ୩୩, ଆମେରିକାର ୧୮ , ବ୍ରିଟେନର ୧୫ ଜଣ ନାଗରିକ , କାନାଡା ଓ ଅଷ୍ଟ୍ରେଲିଆର ୬ ଜଣ ଲେଖାଏଁ ନାଗରିକ ମଧ୍ୟ ନିଖୋଜ ଅଛନ୍ତି। ଦକ୍ଷିଣ ଆଫ୍ରିକାର ୪ ଜଣ, ମାଲେସିଆ, ଜର୍ମାନୀ ଓ ରୁଷର ୩ ଜଣ ଲେଖାଏଁ ଏବଂ ଆୟରଲ୍ୟାଣ୍ଡ, ଏଷ୍ଟୋନିଆ, ଫ୍ରାନ୍ସ, ନେଦରଲ୍ୟାଣ୍ଡ ଓ ନ୍ୟୁଜିଲ୍ୟାଣ୍ଡର ୨ ଜଣ ଲେଖାଏଁ ନାଗରିକଙ୍କ ସମ୍ପର୍କରେ ମଧ୍ୟ ସୂଚନା ମିଳୁନାହିଁ।

ଏହି ବିପର୍ଯ୍ୟୟର ମୂଳ କାରଣ ଭାବେ ଗ୍ଲେସିୟର ଭାଙ୍ଗିବା ଏବଂ ତାହା ପରେ ବିପୁଳ ପରିମାଣର ବରଫ, ପଥର, କାଦୁଅ ଓ ପାଣି ତଳକୁ ଆସିବାକୁ ଦର୍ଶାଯାଇଛି। ଚୀନ ପକ୍ଷର ଅଧିକାରୀମାନେ ଏହାକୁ ଦୀର୍ଘକାଳୀନ ଗ୍ଲୋବାଲ୍ ୱାର୍ମିଂ ସହ ଜଡ଼ିତ ଗ୍ଲେସିୟରର ଅସ୍ଥିରତାର ଏକ ଉଦାହରଣ ବୋଲି କହିଛନ୍ତି। ଏବେ ଚାରିଆଡେ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ବ୍ୟାପକ ଅଭିଯାନ ଚାଲିଛି। ତେବେ ଭୂସ୍ଖଳନ ପରେ ରାସ୍ତା ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇଥିବାରୁ ଉଦ୍ଧାରକାରୀଙ୍କ ପାଇଁ ଚ୍ୟାଲେଞ୍ଜ ବଢ଼ିଛି । କାଦୁଅ, ବଡ଼ ବଡ଼ ପଥର ଓ ଧ୍ୱଂସାବଶେଷ ଭିତରେ ଜୀବିତ ଲୋକଙ୍କୁ ଖୋଜିବାକୁ ଉଦ୍ଧାରକାରୀ ଦଳ ଲାଗିଛନ୍ତି।

ଚୀନ କର୍ତ୍ତୃପକ୍ଷ ନିଖୋଜ ବିଦେଶୀ ନାଗରିକଙ୍କ ଦେଶର ଦୂତାବାସ ଓ କନସୁଲେଟଗୁଡ଼ିକୁ ସୂଚନା ଦେଇଛନ୍ତି। ଏହା ସହ ପରିବାରବର୍ଗଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ୍ ମଧ୍ୟ ଖୋଲାଯାଇଛି।ଚୀନ-ନେପାଳ ସୀମାରେ ଏହି ବିପର୍ଯ୍ୟୟ ଏବେ ଏକ ବଡ଼ ମାନବୀୟ ସଙ୍କଟର ରୂପ ନେଇଛି। ୫୪୬ ଜଣଙ୍କ ନିଖୋଜ ତାଲିକାରେ ୪୯ ଜଣ ଭାରତୀୟ ଥିବାରୁ ଭାରତରେ ମଧ୍ୟ ଚିନ୍ତା ବଢ଼ିଛି। ନିଖୋଜମାନଙ୍କ ମଧ୍ୟରୁ କେତେଜଣ ଜୀବିତ ଉଦ୍ଧାର ହେଉଛନ୍ତି, ସେନେଇ ଏବେ ସମସ୍ତଙ୍କ ନଜର ଉଦ୍ଧାର ଅଭିଯାନ ଉପରେ।