• ପାକିସ୍ତାନରୁ ମିଳୁଥିବା ଆତଙ୍କବାଦୀଙ୍କ ଆହ୍ୱାନ କାରଣରୁ ଭାରତର ଧ୍ୟାନ ତା ଉପରେ ଅଧିକ କେନ୍ଦ୍ରିତ ରହୁଛି
  • ଦୀର୍ଘାବଧିରେ ଚୀନ୍ ରାଜନୀତି, ଅର୍ଥଶାସ୍ତ୍ର, ବାଣିଜ୍ୟ ଓ ଅନ୍ୟ ସାମରିକ ମାମଲା ସହିତ ସବୁକ୍ଷେତ୍ରରେ ଭାରତର ପ୍ରତିଦ୍ୱଦ୍ୱୀ ହେବ
  • ମଣିଷ ବାସ୍ତବିକ ଜୀବନ ଓ ଭୂ-ରାଜନୈତିରେ କେବେବି ନିଜର ପଡୋଶୀ ବାଛି ପାରିବ ନାହିଁ

ମୁମ୍ବାଇ: ପୂର୍ବତନ ସ୍ଥଳସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରୱାଣେ ଭାରତର ଜାତୀୟ ସୁରକ୍ଷାକୁ ନେଇ ବଡ଼ ତଥା ଦୂରଦର୍ଶି ବୟାନ ଦେଇଛନ୍ତି। ତାଙ୍କ ନୂଆ ପୁସ୍ତକର ଲୋକାର୍ପଣ ଅବସରରେ ସେ ସ୍ପଷ୍ଟ କରିଛନ୍ତି ଯେ ଏବେ ପାକିସ୍ତାନରୁ ମିଳୁଥିବା ଆତଙ୍କବାଦୀଙ୍କ ଆହ୍ୱାନ କାରଣରୁ ଭାରତର ଧ୍ୟାନ ତା ଉପରେ ଅଧିକ କେନ୍ଦ୍ରିତ ରହୁଛି, ତେବେ ଦୀର୍ଘ ଅବଧିରେ ଚୀନ୍ ହିଁ ଭାରତର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଜେନେରାଲ ନରୱାଣେ ତାଙ୍କ କୂଟନୈତିକ ବୋଧ ମାଧ୍ୟମରେ ଚୀନ୍ ଲାଗି ‘ଶତ୍ରୁ’ ଶବ୍ଦ ବ୍ୟବହାର କୁ ଟାଳି ଯାଇଛନ୍ତି।

ଏଣୁ ଜେନେରାଲ ନରୱାଣେ ଚୀନ ସହ କଥାବାର୍ତ୍ତାର ରାସ୍ତା ଉନ୍ମୁକ୍ତ ରଖି ନିଜର ସୈନ୍ୟ ପ୍ରତିରୋଧ କ୍ଷମତାକୁ ମଜଭୁତ କରିବାକୁ ପରାମର୍ଶ ଦେଇଛନ୍ତି। ସୁରକ୍ଷା ଆହ୍ୱାନ ସମ୍ପର୍କରେ ସେ କହିଛନ୍ତି ଯେ ପାକିସ୍ତାନ ଓ ଚୀନ ସହ ସୀମାକୁ କୁ ନେଇ ଥିବା ବିବାଦ ସମାଧାନ ହୋଇ ନାହିଁ। ହେଲେ ଚୀନ ଓ ପାକିସ୍ତାନ ସମ୍ପୂର୍ଣ୍ଣ ଅଲଗା ସ୍ତରରେ ଆସୁଛନ୍ତି। ଏଥିରେ ପାକିସ୍ତାନ ଦ୍ୱାରା ଆତଙ୍କବାଦକୁ ଦିଆଯାଉଥିବା ନିରନ୍ତର ପ୍ରୋତ୍ସାହନ ଯୋଗୁ ଭାରତର ତତ୍କାଳୀକ ଧ୍ୟାନ ନିଜର ପଶ୍ଚିମ ସୀମା ଉପରେ କେନ୍ଦ୍ରିତ ରହୁଛି।

ତେବେ ଦୀର୍ଘାବଧିରେ ଚୀନ୍ ରାଜନୀତି, ଅର୍ଥଶାସ୍ତ୍ର, ବାଣିଜ୍ୟ ଓ ଅନ୍ୟ ସାମରିକ ମାମଲା ସହିତ ସବୁକ୍ଷେତ୍ରରେ ଭାରତର ପ୍ରତିଦ୍ୱଦ୍ୱୀ ହେବ। ନରୱାଣେ କହିଛନ୍ତି ଯେ ଯେଉଁଠି ପ୍ରତିଯୋଗୀତା ରହିଛି ସେଠାରେ ଯୁଦ୍ଧର ଆଶଙ୍କା ମଧ୍ୟ ଥାଏ। ନରୱାଣେ ଜୋର ଦେଇ କହିଛନ୍ତି ଯେ ଭାରତକୁ ବଳ ପ୍ରୟୋଗ କରିବା ବଦଳେ କୂଟନୈତିକ ତନ୍ତ୍ର ଓ ଆଲୋଚନା ମାଧ୍ୟମରେ ମତପାର୍ଥକ୍ୟର ସମାଧାନ ଉଦ୍ୟମ କରିବା ଆବଶ୍ୟକ। ଏଥିରେ ଶକ୍ତିର ଉପଯୋଗ ଶେଷ ବିକଳ୍ପ ହୋଇ ରହିବ ।

ସେହିପରି କ୍ଷେତ୍ରିୟ ସ୍ଥିରତା ଉପରେ ଆଲୋଚନା କରି ସେ ନେପାଳ, ଭୁଟ୍ଟାନ, ବାଂଲାଦେଶ ଓ ମିୟାଁମାର ଭଳି ପଡୋଶୀଙ୍କ ସହ ଶାନ୍ତି କାୟମ ରଖିବା ଉପରେ ଜୋର ଦେଇଛନ୍ତି। ନରୱାଣେ କହିଛନ୍ତି ଯେ ମଣିଷ ବାସ୍ତବିକ ଜୀବନ ଓ ଭୂ-ରାଜନୈତିରେ କେବେବି ନିଜର ପଡୋଶୀ ବାଛି ପାରିବ ନାହିଁ। ଏଣୁ ଉପଲବ୍ଧ ପରିସ୍ଥିତିରେ ସର୍ବଶ୍ରେଷ୍ଠ ପ୍ରୟାସ କରିବା ଉଚିତ ହୋଇଥାଏ। ଏଥିରେ ଯଦି ପଡୋଶୀ ଦେଶରେ ଅସ୍ଥିରତା, ହିଂସା ଅଥବା ଶରଣାର୍ଥୀ ସଂକଟ ଉପୁଜେ ଏହାର ସିଧା ପ୍ରଭାବ ଭାରତର ସୁରକ୍ଷା, ତସ୍କରୀ ଓ ଅବୈଧ ଅସ୍ତ୍ରଶସ୍ତ୍ର ଯାତାୟାତ ଉପରେ ପଡିଥାଏ। ଏଣୁ ପଡୋଶୀଙ୍କୁ ସ୍ଥିର ରଖିବା ଭାରତୀୟ ଜାତୀୟ ସ୍ୱାର୍ଥ ପାଇଁ ଅତ୍ୟନ୍ତ ଆବଶ୍ୟକ।