ଭୁବନେଶ୍ୱର: ରାଜ୍ୟର ମାଓ ପ୍ରଭାବିତ ଅଂଚଳରେ ସାମଗ୍ରିକ ଉନ୍ନତି ପାଇଁ ଗତ ୨୦୨୪ ମସିହା ଅକ୍ଟୋବର ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ“ଗ୍ରାମୋଦୟ” ଭଳି ଅଭିନବ ପଦକ୍ଷେପ ନିଆଯାଇଥିଲା। ଏହି ପଦକ୍ଷେପରେ ସଂପୃକ୍ତ ଅଂଚଳରେ ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ କିପରି  କାର୍ଯ୍ୟକାରୀ କରାଯାଉଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଗୁରୁବାର ସମୀକ୍ଷାକରିଛନ୍ତି ।

ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ  ଅନୁଷ୍ଠିତ ଏ ସଂପର୍କିତ ରାଜ୍ୟସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମସ୍ତସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ ସଂପୃକ୍ତ ଅଂଚଳର ଜନସାଧାରଣ ଓ ହିତାଧିକାରୀଙ୍କୁ ଶତ ପ୍ରତିଶତ ଲକ୍ଷ୍ୟଭିତ୍ତିକ (ସାଚ୍ୟୁରେସନ ମୋଡ)ରେ ସୁବିଧା କାର୍ଯ୍ୟକାରୀ କରିବାକୁ ସେ ବିଭିନ୍ନ ବିଭାଗଙ୍କୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।

ବୈଠକରେ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ବିଭାଗମାନଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ତଥ୍ୟ ପ୍ରଦାନ କରି ଆଲୋଚନା କରିଥିଲେ।  

ସୂଚନାଥାଉକି, ମାଓ ପ୍ରଭାବିତ ଅଂଚଳରେ ସାମୁହିକ ଓ ପରିବାରଭିତ୍ତିରେ ଜନକଲ୍ୟାଣକାରୀ ଯୋଜନା ଓ ମୌଳିକ ସୁବିଧାକୁ ସାଚ୍ୟୁରେସନମୋଡରେ ଶତ ପ୍ରତିଶତ କାର୍ଯ୍ୟକାରୀ କରାଇ  ସରକାର- ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ବିକାଶ ପ୍ରତି ପାରସ୍ପରିକ ଆସ୍ଥା ସ୍ଥାପନ କରିବା ଉଦ୍ଦେଶ୍ୟ ରଖି ଏହା ଆରମ୍ଭ କରାଯାଇଥିଲା। ଏହି ପଦକ୍ଷେପରେ ରାଜ୍ୟର ମାଓ ପ୍ରଭାବିତ ୧୦ଟି ଜିଲ୍ଲାର ୩୯ଟି ବ୍ଲକର ୧୯୨  ଗ୍ରାମପଂଚାୟତରେ ୪୮୪ ଗ୍ରାମରେ ୫୭ ହଜାର ୨୯୬ ପରିବାରଙ୍କୁ ଚିହ୍ନଟ କରାଯାଇ ଅଗ୍ରାଧିକାର ଭିତ୍ତିରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ପଦକ୍ଷେପ ନିଆଯାଇଛି।

ଏହି ଜିଲ୍ଲାମାନଙ୍କ ମଧ୍ୟରେ ରହିଛନ୍ତି ବରଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡା ଜିଲ୍ଲା। ଏସବୁ ଜିଲ୍ଲାର ଚିହ୍ନଟ କରାଯାଇଥିବା ଅଂଚଳରେ ବିକାଶମୂଳକ କାର୍ଯ୍ୟକୁ ଅନୁଧ୍ୟାନ ଓ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପରିଚାଳନା କମିଟି, ଜିଲ୍ଲାସ୍ତରରେ ଜିଲ୍ଲାପାଳ, ବ୍ଲକ ସ୍ତରରେ ବିଡିଓଙ୍କ ଅଧ୍ୟକ୍ଷତାରେ ଏବଂ ଗ୍ରାମପଞ୍ଚାୟତ ସ୍ତରରେ କମିଟି ଗଠନ କରାଯାଇ କାର୍ଯ୍ୟ ତଦାରଖ କରାଯାଉଛି। ଏଥିପାଇଁ ସଂପୃକ୍ତ୨୦ଟି ବିଭାଗର ଅଧିକାରୀମାନଙ୍କ ଦ୍ୱାରା ପ୍ରାଥମିକ ସର୍ବେକ୍ଷଣ (ବେସ ଲାଇନ ସର୍ଭେ ) କରାଯାଇ ବିଭିନ୍ନ କ୍ଷେତ୍ରରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ ପାଇଁ  କାର୍ଯ୍ୟ କରାଯିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ।