ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏବେ ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ବେଶି ରାଜନୀତି । କିନ୍ତୁ ଏହି ରାଜନୀତି ହୁଏତ କିଛି ଦିନ ଭିତରେ ଥମିପାରେ ବୋଲି ଆଶା କରାଯାଉଛି । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଜ ଚୌକି ଛାଡ଼ିବାକୁ ରାଜି ହୋଇଥିବା କୁହାଯାଉଛି । ତେଣୁ ସେ ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଛନ୍ତି । ଯଦିଓ ଏନେଇ ଔପଚାରିକ ଭାବରେ କୌଣସି ସୂଚନା ମିଳିନାହିଁ, କିନ୍ତୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଯଦି ଏହି ଚର୍ଚ୍ଚା ସତ ହୁଏ ତେବେ, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଖୁବଶୀଘ୍ର କର୍ଣ୍ଟାଟକର ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିପାରନ୍ତି । ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ ସିଦ୍ଦରାମୈୟା (Siddaramaiah) ଏବଂ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର (D K Shivakumar) ଙ୍କ ମଧ୍ୟରେ କ୍ଷମତା ଭାଗବଣ୍ଟାକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ କଂଗ୍ରେସ ହାଇକମାଣ୍ଡ ଗମ୍ଭୀର ଆଲୋଚନା ଚଳାଇଛନ୍ତି ।

କଂଗ୍ରେସ ହାଇକମାଣ୍ଡଙ୍କ ବୈଠକ

ରିପୋର୍ଟ ଅନୁଯାୟୀ, କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଏବଂ ଦଳୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏହି ବିବାଦର ସମାଧାନ ପାଇଁ ସିଦ୍ଦରମୈୟା ଏବଂ ଡି. କେ. ଶିବକୁମାରଙ୍କ ସହ କେତେକ ପର୍ଯ୍ୟାୟରେ ଗୁପ୍ତ ବୈଠକ କରିଛନ୍ତି। କର୍ଣ୍ଣାଟକ ସରକାର ଓ ଦଳୀୟ ସ୍ଥିରତାକୁ ବଜାୟ ରଖିବା ପାଇଁ ହାଇକମାଣ୍ଡ ଉଭୟ ନେତାଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଆସନ୍ତା ମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତୃତ୍ୱ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି ବୋଲି ଜଣାପଡ଼ିଛି।

ଶିବକୁମାରଙ୍କ ଗୋଷ୍ଠୀର ଚାପ

କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୩ ବିଧାନସଭା ନିର୍ବାଚନ ଜିତିବା ସମୟରେ ଦଳ ମଧ୍ୟରେ ଏକ ଆପୋଷ ବୁଝାମଣା ବା 'ପାୱାର ଶେୟାରିଂ ଫର୍ମୁଲା' ହୋଇଥିଲା। ଏହି ଯୋଜନା ଅନୁଯାୟୀ, ପ୍ରଥମ ଅଢେଇ ବର୍ଷ ପାଇଁ ସିଦ୍ଦରାମୈୟା ରାଜ୍ୟର ମୁଖ୍ୟମନ୍ତ୍ରୀ ରହିବେ ଏବଂ ବାକି ଅଢେଇ ବର୍ଷ ପାଇଁ ଡିକେ ଶିବକୁମାର ଏହି ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ଏହି ସମୟ ସୀମା ଅତିକ୍ରମ କରିଥିବାରୁ, ଶିବକୁମାରଙ୍କ ଅନୁଗତ ତଥା ସମର୍ଥକମାନେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ନେତୃତ୍ୱ ପରିବର୍ତ୍ତନ କରିବା ପାଇଁ ହାଇକମାଣ୍ଡଙ୍କ ଉପରେ ଚାପ ପକାଉଛନ୍ତି।

ସିଦ୍ଦରମୈୟା କରିବେ କଣ ?

ଯଦି ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତି, ତେବେ ଦଳ ତାଙ୍କୁ ସନ୍ତୁଷ୍ଟ ରଖିବା ପାଇଁ ଏକ ବଡ଼ ଭୂମିକା ଅଫର କରିବାକୁ ଚେଷ୍ଟା କରୁଛି। ତାଙ୍କୁ କେନ୍ଦ୍ର ରାଜନୀତିକୁ ଆଣିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟସଭା ଆସନ କିମ୍ବା ଜାତୀୟ ସ୍ତରରେ କୌଣସି ବଡ଼ ସାଂଗଠନିକ ଦାୟିତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଏହା ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ । ସମ୍ଭାବ୍ୟ ନେତୃତ୍ୱ ପରିବର୍ତ୍ତନ ଏବଂ ରାଜନୈତିକ କଳ୍ପନାଜଳ୍ପନାକୁ ନେଇ ସିଦ୍ଦରମୈୟା କିମ୍ବା ଡି କେ ଶିବକୁମାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ବୟାନ ଆସିନାହିଁ। ଉଭୟ ନେତା ଏହି ପ୍ରସଙ୍ଗରେ ନୀରବ ରହିବାକୁ ଶ୍ରେୟସ୍କର ମଣିଛନ୍ତି।

ଅନ୍ୟପଟେ, କର୍ଣ୍ଣାଟକର ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀମାନେ ନିଜ ନିଜ ପ୍ରିୟ ନେତାଙ୍କ ସପକ୍ଷରେ ସୋସିଆଲ ମିଡିଆରେ ପୋଷ୍ଟକରୁଛନ୍ତି, ଫଳରେ ଫେସବୁକ୍ ଓ ଏକ୍ସ (ଟ୍ୱିଟର) ଭଳି ପ୍ଲାଟଫର୍ମରେ ଏହାକୁ ନେଇ ବେଶ୍ ଚର୍ଚ୍ଚା ଲାଗିରହିଛି । ଅଧିକାଂଶ କଂଗ୍ରେସ ନେତା ଏହି ବିଷୟରେ ସିଧାସଳଖ କହିବାକୁ ମନା କରିଦେଇଛନ୍ତି ଏବଂ ସମସ୍ତ ନିଷ୍ପତ୍ତି ହାଇକମାଣ୍ଡଙ୍କ ଉପରେ ଛାଡ଼ି ଦେଇଛନ୍ତି।

ବିରୋଧୀଙ୍କ କଟାକ୍ଷ

କଂଗ୍ରେସ ମଧ୍ୟରେ ଚାଲିଥିବା ଏହି ଆସନ କନ୍ଦଳ ବା କ୍ଷମତା ଯୁଦ୍ଧ (Power Struggle) କୁ ନେଇ ବିରୋଧୀ ଦଳଗୁଡ଼ିକ (ବିଶେଷ କରି ବିଜେପି ଓ ଜେଡିଏସ) କଂଗ୍ରେସକୁ କଡ଼ା ସମାଲୋଚନା କରିବାର ସୁଯୋଗ ହାତଛଡ଼ା କରିନାହାନ୍ତି। ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ, କଂଗ୍ରେସ ସରକାର ରାଜ୍ୟର ବିକାଶ ଓ ଜନସାଧାରଣଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବା ପରିବର୍ତ୍ତେ କେବଳ କିଏ ମୁଖ୍ୟମନ୍ତ୍ରୀ ହେବ, ସେହି ଚୌକି ଲଢ଼େଇରେ ବ୍ୟସ୍ତ ରହୁଛି।