ଭୁବନେଶ୍ବର ୧।୨: ସବୁ ବର୍ଗ ପାଇଁ ବଜେଟ୍ ସହାୟକ ହେବ କହିଲେ ମଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ଐତିହାସିକ ବଜେଟ୍, ମୋଦିଙ୍କ ସ୍ବପ୍ନକୁ ସାକାର କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବଜେଟ୍ରେ ଯୁବଶକ୍ତିକୁ ଫୋକସ୍ କରାଯାଇଛି । ଏହି ବଜେଟ୍ ଶିଳ୍ପ, କୃଷିକୁ ପ୍ରାଧାନ୍ୟ ଦେବ । ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ବଜେଟ୍ରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ଧ୍ୟାନ ନେଇ ଧନ୍ୟବାଦ ଜଣାଇଲେ । ‘ଟର୍ଟଲ ଟ୍ରେଲ୍’, ‘NW-୫’, ‘ବିରଳ ମୃତ୍ତିକା କରିଡର’ ପାଇଁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାକୁ ପ୍ରାଧାନ୍ୟ ଦିଆଯାଇଛି ମୁଖ୍ୟମନ୍ତ୍ରୀ କହିଛନ୍ତି । ନିଯୁକ୍ତି ସୃଷ୍ଟି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ବ ଦିଆଯାଇଛି ।

ପବିତ୍ର ମାଘ ପୂର୍ଣ୍ଣିମା ଏବଂ ସନ୍ଥ ଗୁରୁ ରବିଦାସ ଜୀଙ୍କ ଜୟନ୍ତୀର ପବିତ୍ର ଅବସରରେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ମାର୍ଗଦର୍ଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ 'କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭'କୁ ମୁଁ ସ୍ୱାଗତ ଜଣାଉଛି । ଏହି ବଜେଟ୍ କେବଳ ଏକ ଆର୍ଥିକ ଦସ୍ତାବିଜ ନୁହେଁ, ବରଂ ବିକଶିତ ଭାରତ ଗଠନ ଦିଗରେ ଏକ ଦୂରଦର୍ଶୀ ରୋଡମ୍ୟାପ୍। ଏକ ସର୍ବସମାବେଶୀ ଅର୍ଥନୀତିର ପରିକଳ୍ପନା ସହ ଏହା ଯୁବପିଢ଼ିଙ୍କ ପାଇଁ ଅସରନ୍ତି ସୁଯୋଗ, କୃଷକଙ୍କ ପାଇଁ ସୁରକ୍ଷା କବଚ, ମଧ୍ୟବିତ୍ତଙ୍କ ପାଇଁ ଆଶ୍ୱସ୍ତି ଏବଂ ଉଦ୍ୟୋଗୀଙ୍କ ପାଇଁ ପ୍ରୋତ୍ସାହନର ଏକ ନୂତନ ବାତାବରଣ ସୃଷ୍ଟି କରିଛି। ‘ବିକାଶ ସହ ବିରାସତ’ ମନ୍ତ୍ରକୁ ଆଧାର କରି ଏହି ବଜେଟ୍ ନବସୃଜନ, ଉତ୍ପାଦନ ଏବଂ ଜ୍ଞାନ ପରମ୍ପରା ମଧ୍ୟରେ ଏକ ଅପୂର୍ବ ସମନ୍ୱୟ ରକ୍ଷା କରିବାରେ ସମର୍ଥ ହୋଇଛି।

ଓଡ଼ିଶାର ପ୍ରଗତି ପାଇଁ ଏହି ବଜେଟ୍ରେ ସ୍ୱତନ୍ତ୍ର ଦୃଷ୍ଟିପାତ କରାଯାଇଛି, ଯାହା ରାଜ୍ୟର ଅର୍ଥନୈତିକ କାୟାକଳ୍ପରେ ଏକ ମାଇଲଖୁଣ୍ଟ ସଦୃଶ ହେବ। ବିଶେଷ କରି ‘ରେୟାର ଅର୍ଥ କରିଡର’ ର ପ୍ରତିଷ୍ଠା ରାଜ୍ୟରେ ଖଣିଜ ପ୍ରକ୍ରିୟାକରଣ ଏବଂ ଉଚ୍ଚ-ବୈଷୟିକ ଶିଳ୍ପାୟନକୁ ନୂତନ ଗତି ପ୍ରଦାନ କରିବ। ଜାତୀୟ ଜଳପଥ-୫ ର କାର୍ଯ୍ୟକାରିତା ଆମର ଶିଳ୍ପାଞ୍ଚଳ ଏବଂ ବନ୍ଦର ମଧ୍ୟରେ ସଂଯୋଗୀକରଣକୁ ସହଜ କରି ଏକ ସୁଲଭ ଓ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ଗଠନ କରିବ, ଯାହାଫଳରେ ସ୍ଥାନୀୟ ଯୁବକମାନେ ବ୍ୟାପକ ନିଯୁକ୍ତି ଓ ତାଲିମ ସୁଯୋଗ ପାଇପାରିବେ। ଏଥିସହ ପୂର୍ବଘାଟର ଜୈବ ବିବିଧତାକୁ ପାଥେୟ କରି ‘ଟର୍ଟଲ ଟ୍ରେଲ୍’ ଏବଂ ପର୍ବତାରୋହଣ ଭିତ୍ତିକ ପର୍ଯ୍ୟଟନ ପଦକ୍ଷେପ ଓଡ଼ିଶାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରମୁଖ ଆକର୍ଷଣ ଭାବେ ଉଭା କରିବ।

ସାମାଜିକ ନ୍ୟାୟ ଏବଂ ସମନ୍ବିତ ବିକାଶର ଏହି ମହାଯଜ୍ଞରେ MSME ଏବଂ ଷ୍ଟାର୍ଟଅପ୍ ଗୁଡ଼ିକୁ ଦିଆଯାଇଥିବା ଗୁରୁତ୍ୱ ‘ଆତ୍ମନିର୍ଭର ଭାରତ’ ସଂକଳ୍ପକୁ ଆହୁରି ସୁଦୃଢ଼ କରିବ। ସୁଶାସନ ଓ ସ୍ଥାୟୀ ପ୍ରଗତିର ଏହି ସମନ୍ୱିତ ପ୍ରୟାସ ପାଇଁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି ଏବଂ ଏହି ଜନକଲ୍ୟାଣକାରୀ ବଜେଟ୍ ପାଇଁ ମାନ୍ୟବର ଅର୍ଥମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛି।