ଭୁବନେଶ୍ବର: ଆଉ ଶୁଣିବାକୁ ମିଳିବନି ଭାବଭରା କଣ୍ଠର ଯାଦୁ।ଶୁଭିବନି ସେହି ସୁମଧୁର କଣ୍ଠ ସ୍ବର। ଯେଉଁ ସ୍ବର ଦିନେ ପ୍ରତି ଓଡ଼ିଆକୁ ବାନ୍ଧି ରଖୁଥିଲା, ବିଶେଷ କରି ଯୁବପୀଢ଼ୀଙ୍କ ହୃଦୟରେ ଘର କରି ରହିଥିଲା... ସେ ସ୍ବର ଆଜି ନୀରବି ଯାଇଛି। ପରଲୋକରେ ଓଡ଼ିଶା ସଙ୍ଗୀତ ଜଗତର ସୁନାମଧନ୍ୟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର। ଜୀବନ ମରଣ ସହ ସଂଘର୍ଷ କରି ଶେଷରେ ହାରି ଯାଇଛନ୍ତି ହ୍ୟୁମାନ। ସୋମବାର ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ୩୪ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି।

ତାଙ୍କ ବିୟୋଗରେ ସଙ୍ଗୀତ ପ୍ରେମୀ ସହ ସବୁ ବର୍ଗରେ ଶୋକର ଲହରି ଖେଳିଯାଇଛି। ତାଙ୍କ ବିୟୋଗରେ ଓଡ଼ିଶା ସଙ୍ଗୀତ ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକ ପୋଷ୍ଟରେ କହିଛନ୍ତି ‘‘ ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଆମ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି।’’

ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ହ୍ୟୁମାନ ସାଗରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି ‘‘ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅନେକ ଗୀତରେ କଣ୍ଠଦାନ କରି ବହୁତ କମ ସମୟ ମଧ୍ୟରେ ସେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ; ସଙ୍ଗୀତ ଜଗତର ଜଣେ ଉଜ୍ଜ୍ୱଳ ତାରକାକୁ ହରାଇଲା । ତାଙ୍କ ସ୍ୱରର ଯାଦୁ ସବୁଦିନ ପାଇଁ ଓଡ଼ିଆ ଶ୍ରୋତାଙ୍କ ମନରେ ଅମର ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି।’’

କେନ୍ଦ୍ରମନ୍ତ୍ରୀ ଜୁଏଲ ମଧ୍ୟ ହ୍ୟୁମାନଙ୍କ ବିୟୋଗରେ ଶୋକ ପ୍ରକାଶ କରି କହିଛନ୍ତି ‘‘ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ସେ ତାଙ୍କ ସୁମଧୁର ସ୍ୱର ଓ ମୂହବ୍ୟାଙ୍ଗ ଦ୍ୱାରା ଆମ ହୃଦୟରେ ସ୍ଥାନ ନେଇଥିଲେ। ତାଙ୍କର ସୁନ୍ଦର କୃତିଗୁଡିକ ସଦା ଶ୍ରୋତାଙ୍କ ମନରେ ଅବିଚ୍ଛିନ୍ନ ରହିବ। ତାଙ୍କ ପରିବାରଙ୍କ ନିକଟରେ ସମବେଦନା ଜଣାଇବା ସହ, ଅମର ଆତ୍ମାଙ୍କ ସଦଗତି କାମନା କରୁଛି।’’

 

ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ହ୍ୟୁମାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ନବୀନ କହିଛନ୍ତି ‘‘ହ୍ୟୁମାନ ସାଗରଙ୍କ ଦେହାନ୍ତ ବିଷୟରେ ଜାଣି ଗଭୀର ଭାବେ ଦୁଃଖିତ। ତାଙ୍କର ଭାବପୂର୍ଣ୍ଣ ସଙ୍ଗୀତ ଅଗଣିତ ଶ୍ରୋତାଙ୍କ ହୃଦୟକୁ ଛୁଇଁଛି ଏବଂ ଓଡ଼ିଆ ସଙ୍ଗୀତ ପ୍ରତି ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।’’

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ହ୍ୟୁମାନଙ୍କ ବିୟୋଗରେ ଶୋକ ପ୍ରକାଶ କରି କହିଛନ୍ତି ‘‘ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଖବର ପାଇ ଗଭୀର ଦୁଃଖିତ। ତାଙ୍କ ବିୟୋଗ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଦିବଂଗତ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଏହି ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।’’

ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ହ୍ୟୁମାନଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ହ୍ୟୁମାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେ ଲେଖିଛନ୍ତି ‘‘ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ଖବର ମୋତେ ସ୍ତବ୍ଧ କରିଦେଇଛି। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ, ଶୋକରେ ଥିବା ପରିବାର ବର୍ଗଙ୍କୁ ମୋର ଆନ୍ତରିକ ସମବେଦନା ଜଣାଉଛି। ପ୍ରଭୁ ଏହି ଦୁଃଖ ସମୟରେ ତାଙ୍କ ପରିବାର ବର୍ଗଙ୍କୁ ସାହସ ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ। ଓଁ ଶାନ୍ତି!’’

 

ସୂଚନାଯୋଗ୍ୟ, ହ୍ୟୁମାନ ସାଗରଙ୍କ ଲିଭର୍ ଖରାପ ଥିବା ବେଳେ, କିଡନି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ସେ କିଛି ସପ୍ତାହ ହେଲା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଗତ ଶୁକ୍ରବାର ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ଗତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟି ନଥିଲା। ତାଙ୍କର ଅନେକ ଅଙ୍ଗ ଅଚଳ ହୋଇ ପଡ଼ିଥିଲା। ଆଗାମୀ ୭୨ ଘଣ୍ଟା ହ୍ୟୁମାନଙ୍କ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ ବୋଲି ଡାକ୍ତର କହିଥିଲେ ।