ନୂଆଦିଲ୍ଲୀ: ଗୁରତର ଅପରାଧ ଲାଗି ଲଗାତାର ୩୦ ଦିନ ହାଜତରେ ରହୁଥିବା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବରଖାସ୍ତ ପ୍ରାବଧାନ ଥିବା ବିବାଦୀୟ ୧୩୦ତମ ସମ୍ବିଧାନ ସଂଶୋଧନ ବିଧେୟକର ସମୀକ୍ଷା କରୁଥିବା ସଂଯୁକ୍ତ ସଂସଦୀୟ କମିଟି (ଜେପିସି) ଜୁଲାଇ ୧୭ରେ ତାଙ୍କ ରିପୋର୍ଟ ଦେଇ ପାରନ୍ତି। କୌଣସି ବିଧେୟକକୁ ସଂସଦରେ ଉପସ୍ଥାପନ ପୂର୍ବରୁ ଜେପିସି ଦ୍ୱାରା ଗୃହୀତ କରିବା ଏକ ନିୟମିତ ପ୍ରକ୍ରିୟା। ସୂତ୍ର ଅନୁସାରେ ବିଧେୟକରେ ବିବାଦସ୍ପଦ ପ୍ରାବଧାନକୁ ରଖାଯିବାର ସମ୍ଭାବନା ରହିଛି। ଏହି ବ୍ୟବସ୍ଥା ଅନୁସାରେ କୌଣସି ପ୍ରକାରର ଗୁରୁତର ଅପରାଧ ଲାଗି ପ୍ରଧାନମନ୍ତ୍ରୀ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଲଗାତାର ୩୦ ଦିନ ପର୍ଯ୍ୟନ୍ତ ହାଜତରେ ରହିଲେ ସେ ସ୍ୱତଃ ପଦରୁ ହରଖାସ୍ତ ହୋଇଯିବେ।

ରାଜନୈତିକ ପ୍ରତିଶୋଧ ନିମନ୍ତେ ଯେପରି ଆଇନର ଦୂରପଯୋଗ ନ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ସାବଧାନତା ଅବଲମ୍ବନ ମଧ୍ୟ ରହିପାରେ। ସୂତ୍ର ଅନୁସାରେ ବିଧେୟକକୁ ସମ୍ଭବତଃ ଜୁଲାଇ ୨୦ରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ବିଚାର ବିମର୍ଶ ଓ ଗୃହୀତ କରିବା ପାଇଁ ଉପସ୍ଥାପନା କରାଯାଇପାରେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତବର୍ଷ ଅଗଷ୍ଟ ମାସରେ ଏହି ବିଧେୟକକୁ ସଂସଦରେ ଉପସ୍ଥାପନ କରିଥିଲେ। ଏହାର ସମୀକ୍ଷା ଲାଗି ବିଜେପି ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଅଧ୍ୟକ୍ଷତାରେ ୩୧ ସଦସୀୟ ଜେପିସି ଗଠନ କରାଯାଇଥିଲା।

ତେବେ ଏହି ବିଧେୟକ ଆଇନରେ ପରିଣତ ହେଲେ ଶାସକ ଦଳ ବିରୋଧୀଙ୍କ ଚିନ୍ତାକୁ ଅଣଦେଖା କରିବେ ଓ ବିଧେୟକକୁ ଗୃହୀତ କରିବା ପାଇଁ ପ୍ୟାନେଲକୁ ଏକ ରବର ଷ୍ଟାମ୍ପ ରୂପେ ବ୍ୟବହାର କରିବ ବୋଲି ତର୍କ ଦେଇ କଂଗ୍ରେସ ସମେତ ଭାରତର ଅଧିକାଂଶ ବିରୋଧୀ ଦଳ ପ୍ୟାନେଲରେ ଭାଗ ନେବା ବ୍ୟର୍ଥ କହି କାର୍ଯ୍ୟାନୁଷ୍ଠାନକୁ ବହିଷ୍କାର କରିଥିଲେ। ହେଲେ ବିରୋଧୀ ଦଳ ବିଧେୟକକୁ ଅଗଣତାନ୍ତ୍ରିକ, ସଂଘୀୟ ବିରୋଧୀ ଓ ପ୍ରାକୃତିକ ନ୍ୟାୟର ମୂଳ ସିଦ୍ଧାନ୍ତର ବିପେରୀତ କାରଣ ଏହା ସାର୍ବଜନିକ ପ୍ରତିନିଧିଙ୍କୁ ଦୋଷ ସିଦ୍ଧି ବଦଳେ କେବଳ ହାଜତ ମିଆଦକୁ ନେଇ ଦଣ୍ଡିତ କରୁଥିବାର କହି ଟାଳି ଯାଇଥିଲେ। ତେବେ ଶାସକ ମେଣ୍ଟ ସମ୍ପର୍କିତ ସଦସ୍ୟମାନେ ବିପକ୍ଷଙ୍କ ଅଭିଯୋଗକୁ ଅଗ୍ରାହ୍ୟ କରିଦେଇଛନ୍ତି। କହିଛନ୍ତି ତିନିଥର ଜାମିନ ନିବେଦନ କରିବାକୁ ୩୦ ଦିନ ଯଥେଷ୍ଟ ସମୟ ଓ ଆଇନ ପ୍ରକୃତିକ ନ୍ୟାୟର ଉଲ୍ଲଂଘନ କରୁ ନାହିଁ।

ସୂତ୍ର ଅନୁସାରେ ପ୍ୟାନେଲ ସଦସ୍ୟ ହୁଅନ୍ତୁ କି ଶାସକ ଦଳ ସଦସ୍ୟ ଅଥବା ନିରପେକ୍ଷ ସମସ୍ତେ ଏଥିରେ ସହମତ ଯେ ପ୍ରସ୍ତାବିତ ବିଧେୟକରେ ଆଇନର ଦୂରୁପଯୋଗ ରୋକିବା ପାଇଁ ପ୍ରାବଧାନ ଯୋଡାଯିବା ଦରକାର। ଏହି ପରାମର୍ଶ ସୁପାରିଶର ଅଂଶବିଶେଷ ହେବ। କମିଟି ଠାରୁ ଏହା ବି ଅପେକ୍ଷା କରାଯାଉଛି ଯେ ସେହି ପ୍ରସ୍ତାବିତ ଆଇନର ପ୍ରବଧାନକୁ ଲାଗୁ କରିବା ପାଇଁ ଅପରାଧ ପ୍ରକୃତି ସମ୍ପର୍କରେ ପ୍ରତିବନ୍ଧକ ଅଥବା ସୀମା ନିର୍ଦ୍ଧାରିତ କରିବାକୁ ସୁପାରିଶ କରନ୍ତୁ।

ସୂତ୍ର ଅନୁସାରେ ସଂସଦ ସମିତିରେ ସାମିଲ ବିରୋଧୀ ସାଂସଦ ବିଧେୟକ ଉପରେ ସହମତି ପ୍ରକାଶ କରିପାରନ୍ତି। ହେଲେ ଏହି କମିଟିରେ ବିଜେପି ଓ ଏନଡିଏରେ ସେମାନଙ୍କ ସହଯୋଗୀ ଦଳଙ୍କ ଦବଦବା ରହିଛି। ତେବେ ଏଥିରେ ଏଆଇଏମଆଇଏମର ଅସଦୁଦ୍ଦିନ ଓବେସୀ, ଏନସିପି(ଏସପି)ର ସୁପ୍ରିୟା ସୁଲେ ମଧ୍ୟ ସଦସ୍ୟ ଅଛନ୍ତି। ୱାଇଏସଆରସିପିର ରାଜ୍ୟସଭା ସାଂସଦ ନିରଞ୍ଜନ ରେଡ୍ଡୀ ମଧ୍ୟ ୩୧ ସଦସୀୟ ସମିତିରେ ସଦସ୍ୟ ଅଛନ୍ତି।

ସମ୍ବିଧାନର ୧୩୦ତମ ସଂଶୋଧନ ବିଧେୟକ ୨୦୨୫ରେ ଥିବା ପ୍ରାବଧାନରେ ଯଦି କୌଣସି ମନ୍ତ୍ରୀଙ୍କ ଉପରେ ୫ ବର୍ଷ ଅଥବା ଏହାଠୁ ଅଧିକ ଜେଲଦଣ୍ଡ ଭଳି ଅପରାଧର ଅଭିଯୋଗ ଥାଏ ଓ ତାଙ୍କୁ ଗିରଫ କରି ଲଗାତାର ୩୦ ଦିନ ହାଜତରେ ରଖାଯାଏ ତେବେ ତାଙ୍କୁ ପଦରୁ ହଟା ଯାଇ ପାରିବ। ପ୍ରସ୍ତାବିତ ବିଧେୟକ ଅନୁସାରେ ପ୍ରଧାନମନ୍ତ୍ରୀ ଅଥବା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ରାଷ୍ଟ୍ରପତି ଅଥବା ରାଜ୍ୟପାଳଙ୍କ ଦ୍ୱାରା କ୍ରମଶଃ ପଦରୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇପାରେ। ଅଥବା ହାଜତରେ ତାଙ୍କର ୩୧ ତମ ଦିନରେ ପଦବୀରୁ ସେ ସ୍ୱତଃ ନିଷ୍କାସିତ ହୋଇପାରିବେ।