ଶ୍ରୀନଗର: ଗତବର୍ଷ ପହଲଗାମରେ ହୋଇଥିବା ନରସଂହାରରେ ସାମିଲ ୩ ଜଣ ଆତଙ୍କବାଦୀ ୨୬ ନାଗରିକଙ୍କୁ ହତ୍ୟାର କିଛି ସମୟ ପୂର୍ବରୁ ଏକ ଗଛ ତଳେ ବସି ଶାନ୍ତିରେ ମଧ୍ୟାହ୍ନ ଭୋଜନ କରିଥିଲେ। ଏହା ପରେ ସେମାନେ ୨ ସ୍ଥାନୀୟ ସହଯୋଗୀଙ୍କୁ କିଛି ପରାମର୍ଶ ଦେଇଥିଲେ ଓ ସେଠାରୁ କିଛି ଦୂରରେ ସେମାନଙ୍କୁ ଗଛ ଛାଇରେ ଅପେକ୍ଷା କରିବାକୁ କହିଥିଲେ। ଏହା ପରେ ସେମାନେ ବେସରନ ପାର୍କରେ ପ୍ରବେଶ କରିଥିଲେ। ସେମାନେ ଗୁଳିକାଣ୍ଡ ଭିଆଇବା ପୂର୍ବରୁ ପୁଣି ଥରେ ଯିବା ଆସିବା ରାସ୍ତାକୁ ଭଲ ଭାବେ ତଦାରଖ କରିଥିଲେ ଓ ଶ୍ରମିକଙ୍କ ବେଶରେ କମ୍ବଳ ଘୋଡେଇ ହୋଇ ପାର୍କ କୁ ପଶିଥିଲେ। କମ୍ବଳ ତଳେ ସେମାନେ ଅସ୍ତ୍ରଶସ୍ତ୍ର ଲୁଚେଇ ରଖିଥିଲେ।

ପାର୍କରେ ପହଞ୍ଚିବା ପରେ ୩ ଜଣ ଅଲଗା ଅଲଗା ହୋଇ ପର୍ଯ୍ୟଟକଙ୍କ ଉପରେ ଗୁଳି ବର୍ଷା କରିଥିଲେ। ରକ୍ତର ହୋରି ଖେଳିବା ପରେ ସେମାନେ ଫେରିବା ରାସ୍ତାରେ ଖୁସିରେ ଫାଙ୍କା ଗୁଳି ଚାଳନା କରିଥିଲେ। ଏ କଥା ଏନଆଇଏର ୧,୫୯୭ ପୃଷ୍ଠାର ଚାର୍ଜସିଟ୍ ରେ ଉଲ୍ଲେଖ ରହିଛି। ଏପ୍ରିଲ ୨୨ ତାରିଖରେ ଆତଙ୍କବାଦୀମାନେ ପହଲଗାମର ବେସରନରେ ପର୍ଯ୍ୟଟକଙ୍କୁ ହତ୍ୟା କରିବା ପୂର୍ବରୁ ସେମାନଙ୍କୁ ସେମାନଙ୍କ ଧର୍ମ ପଚାରିଥିଲେ ଓ କେତେକଙ୍କୁ କଲମା ମଧ୍ୟ ପଢିବାକୁ କହିଥିଲେ। କାରଣ ସେମାନଙ୍କ ଉଦ୍ଦେଶ୍ୟ କେବଳ ଅଣ ମୁସଲମାନଙ୍କୁ ହତ୍ୟା କରିବାର ଥିଲା, ଯାହା ଦ୍ୱାରା ସାରା ଦେଶରେ ସାମ୍ପ୍ରଦାୟିକ ଉତ୍ତେଜନା ଓ ହିଂସା ଉପୁଜିଥାନ୍ତା, ହେଲେ ଦେଶରେ ସେଭଳି କିଛି ହେଲା ନାହିଁ।

ଲସ୍କର-ଏ-ତୌୟବା ଆତଙ୍କବାଦୀ ଖେଳିଥିବା ଏହି ରକ୍ତର ହୋରି ସମ୍ପର୍କିତ ବିଭିନ୍ନ ତଥ୍ୟକୁ ଏନଆଇଏ ନିଜ ଚାର୍ଜସିଟ୍ ରେ ଉଲ୍ଲେଖ କରିଥିବା ବେଳେ ଆକ୍ରମଣର ଦିନକ ପୂର୍ବରୁ ୩ ଜଣ ନିକଟସ୍ଥ ଗ୍ରାମର ଢୋକରେ ରାତି ବିତାଇଥିବାର ଉଲ୍ଲେଖ କରିଛି। ଏହି ମାମଲାରେ ଢୋକର ମାଲିକ ଓ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଗିରଫ କରାଯାଇଛି। ଧରାପଡିଥିବା ଆତଙ୍କବାଦୀଙ୍କ ସ୍ଥାନୀୟ ସହାୟତାକାରୀଙ୍କ ମଧ୍ୟରୁ ଜଣେ ପରଭେଜ ଅହମଦ ଜୋଥଡ ଓ ତାଙ୍କ ସମ୍ପର୍କୀୟ ବସିର ଅହମଦ ଜୋଥଡ ଏବେ ହାଜତରେ ଅଛନ୍ତି। ପରବେଜଙ୍କ ଅନୁସାରେ ୩ ଜଣ ଆତଙ୍କବାଦୀଙ୍କୁ ବସିର ଅହମଦ ତାଙ୍କ ଢୋକକୁ ଆଣିଥିଲା ଓ ସେମାନଙ୍କୁ ଘରେ ରଖାଇଥିଲା।

ଚାର୍ଜସିଟ୍ ଅନୁସାରେ ବେସରନ ଘାଟିରେ ପ୍ରବେଶ ପୂର୍ବରୁ ଆତଙ୍କବାଦୀମାନେ ପାଖରେ ବହୁଥିବା ଏକ ନାଳ ପାଖକୁ ଯାଇ ଉପତ୍ୟାକାରେ ଲୋକଙ୍କ ଗତିବିଦ୍ଧି ଦେଖିଥିଲେ। ଏହା ପରେ ଆତଙ୍କବାଦୀମାନେ ପୁଣି ଏକାଠି ହୋଇଥିଲେ ଓ ନିଜ ସାମାନପତ୍ର ସେହିଠାରେ ଛାଡି ଆଗକୁ ବଢିଥିଲେ। ଶେଷରେ ଗୁଳିକାଣ୍ଡ ବେଳକୁ ଜଣେ ଆତଙ୍କବାଦୀ ତା ମୁଣ୍ଡରେ ଆକ୍ସନ କ୍ୟାମେରା ଗୋ- ପ୍ରୋ ପିନ୍ଧିଥିଲା। ଯାହାଦ୍ୱାରା ଘଟଣା ବେଳର ଲାଇଭ ଭିଡିଓ ସୁଟିଂ କରି ସେମାନେ ପ୍ରସାରିତ କରିପାରିବେ। ଏହି ଆତଙ୍କବାଦୀ ଜଣକ ବାଡ଼ ତଳ ଦେଇ ଘାଟିକୁ ପ୍ରବେଶ କରିଥିଲା। ବାକି ୨ ଜଣ ଟୟଲେଟ ପାଖ ଦେଇ ମେନଗେଟ୍ ଆଡକୁ ବଢିଥିଲେ। ମଧ୍ୟାହ୍ନ ୨ଟା ୨୩ ମିନିଟ୍ ରେ ଜଣେ ଆତଙ୍କବାଦୀ ତା ଏମ-୪ କାର୍ବାଇନରୁ ପ୍ରଥମ ଗୁଳି ଚଳାଇଥିଲା। ଏହାର କିଛି ସେକେଣ୍ଡ ପରେ ଅନ୍ୟ ୨ ଆତଙ୍କବାଦୀ ଏକେ-୪୭ରୁ ଗୁଳି କରିବା ଆରମ୍ଭ କରିଥିଲେ।