ଚନ୍ଦ୍ରପୁର : ରାୟଗଡ଼ା ଜିଲ୍ଲାର ଦୁର୍ଗମ ଓ ଆଦିବାସୀବହୁଳ ଚନ୍ଦ୍ରପୁର ବ୍ଲକରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଗୁରୁତର ହୋଇପଡ଼ିଛି । ଏଭଳି ସ୍ଥିତିରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଡେପୁଟେସନରେ ଯାଇ ଫେରିନାହାନ୍ତି । ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ହେଲା କେନ୍ଦ୍ରାପଡ଼ା ଜିଲ୍ଲାରେ ସେବା ଯୋଗାଉଛନ୍ତି । ଅଥଚ ତାଙ୍କୁ ଏଠାରୁ ଦରମା ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରପୁରର ଏହି ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୮ ପଞ୍ଚାୟତର ପ୍ରାୟ ୪୬ ହଜାରରୁ ଅଧିକ ଲୋକ ନିର୍ଭର କରୁଛନ୍ତି । ପଡ଼ୋଶୀ ଗଜପତି ଓ କନ୍ଧମାଳର କେତେକ ଦୁର୍ଗମ ଅଞ୍ଚଳବାସୀ ମଧ୍ୟ ଏଠାକୁ ଆସୁଛନ୍ତି । ଏତେ ବଡ଼ ଅଞ୍ଚଳର ସ୍ୱାସ୍ଥ୍ୟସେବା ମାତ୍ର ୨ଜଣ ଅସ୍ଥାୟୀ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ଷ୍ଟାଫନର୍ସ ଓ ୨ ଜଣ ଏଏନଏମ୍ ସମ୍ଭାଳୁଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅର୍ଡର ନମ୍ବର ୨୧୦୦୯/ଏଚ୍, ତାରିଖ ୨୧.୯.୨୦୧୫ ଅନୁଯାୟୀ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ଜଣେ ଏଏନଏମ୍‌ଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେସନରେ ପଠାଯାଇଛି । ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ହେଲା ସେ ଆଉ ଫେରିନାହାନ୍ତି । ଅଥଚ ଦରମା ଚନ୍ଦ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ରରୁ ହିଁ ତାଙ୍କୁ ପ୍ରଦାନ କରାଯାଉଛି ।

ଏହି ଦୀର୍ଘମିଆଦୀ ଡେପୁଟେସନ କେଉଁ ନିୟମ ଓ ପ୍ରଶାସନିକ ଅନୁମତି ଆଧାରରେ ଚାଲିଛି, ତାହା ତଦନ୍ତ ସାପେକ୍ଷ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଡେପୁଟେସନର ନିୟମିତତା ଓ ଦରମା ପ୍ରଦାନ ପ୍ରକ୍ରିୟାର ସାଞ୍ଚ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି । ଏଥିସହ ଏଠାରେ ଆବଶ୍ୟକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି କରିବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।  ଏ ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।