ପୁରୀ ୨୦।୭: ଆଜି ହେରାପଞ୍ଚମୀ । ଘୋଷଯାତ୍ରାର ଆଜି ହେଉଛି ପଞ୍ଚମ ଦିବସ । ଭକ୍ତଙ୍କ ଗହଣରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଗୁଣ୍ତିଚା ମନ୍ଦିର ଜନ୍ମବେଦୀକୁ ଆସିଛନ୍ତି । ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଭକ୍ତ ଆଉ ଶ୍ରଦ୍ଧାଳୁ ।

ଶୃଙ୍ଖଳିତ ଦର୍ଶନକୁ ନେଇ କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାଏକଙ୍କ ପ୍ରତିକ୍ରିୟା ରଖିଛନ୍ତି । ଆଜି ହେରାପଞ୍ଚମୀ ପାଇଁ ଅଧିକ ଭକ୍ତ ଆସିବେ । ସେଥିପାଇଁ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ୮ ଭାଗରେ ବିଭକ୍ତ କରାଯାଇଛି । ଯଥେଷ୍ଟ ପୋଲିସ ଫୋର୍ସ ଅଛନ୍ତି । ରାତିରେ ହେରାପଞ୍ଚମୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଏହାସହ ମଙ୍ଗଳବାର ରଥ ଦକ୍ଷଣ ମୋଡ଼ ପାଇଁ ୫୨ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି । ପ୍ରଶାସନ ତରଫରୁ ଦିଆଯାଇଥିବା ନିୟମକୁ ମାନିବାକୁ ଲୋକ ମାନଙ୍କୁ ଅନୁରୋଧ କଲେ କେନ୍ଦ୍ରାଞ୍ଚଳ ଆଇଜି ।

Also Read:- ହେରାପଞ୍ଚମୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଭିଆଇପି ଦର୍ଶନ ପାଇଁ କୌଣସି ବ୍ୟବସ୍ଥା ନଥିବା କହିଲେ କେନ୍ଦ୍ରାଞ୍ଚଳ ଆଇଜି

ସେପଟେ ଭିଆଇପି ଦର୍ଶନ ନାଁରେ ଅନଲାଇନ ମାଧ୍ୟମରେ ବିଜ୍ଞାପନ ଘଟଣାକୁ ନେଇ କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି, ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ eoOdisha ନାଁରେ ଏତଲା ଦିଆଯାଇଛି । ଭିଆଇପି ଦର୍ଶନ ପାଇଁ ଆମର କୌଣସି ବ୍ୟବସ୍ଥା ନାହିଁ । ସେଥିପାଇଁ ଆମର କୌଣସି ନିୟମ ମଧ୍ୟ ନାହିଁ ।

ରବିବାର ଯଜ୍ଞ ମଣ୍ତପରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ଗୁପ୍ତ ନୀତି ସଂପନ୍ନ ହେବା ପରେ ସୋମବାର ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହେରାପଞ୍ଚମୀ ନୀତି ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପାଳିଆ ମହାଜନ ମା' ମହାଲକ୍ଷ୍ମୀଙ୍କୁ ମାଜଣା କରିବା ସହ ପାଟଶାଢ଼ୀ, ଅଳଙ୍କାର ବେଶ କରାଇ ସାରିବା ପରେ ପୂଜାପଣ୍ତା ସେବକ ପନ୍ତି ଭୋଗ କରିବେ । ଘଣ୍ଟ, ଛତା, ପଟୁଆରରେ ମା' ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ତ ଦେଇ ଗୁଣ୍ତିଚା ମନ୍ଦିର ସମ୍ମୁଖରେ ଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ ଭାଙ୍ଗିବା ପରେ ମନ୍ଦିର ଭିତରକୁ ଯାଇ ପ୍ରଭୁଙ୍କୁ ସାକ୍ଷାତ କରିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ମହାପ୍ରଭୁଙ୍କର ଏହି ମାନବୀୟ ଲୀଳାରେ ସାମିଲ ହେବା ପାଇଁ ପ୍ରତିଟି ଭକ୍ତ ଚାହିଁ ରହିଛନ୍ତି ।