ଭୁବନେଶ୍ବର୧୧:ମହଙ୍ଗା ପଡିଲା ନିଜକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବଡ଼ ଅଧିକାରୀ କହି ଦଲାଲଗିରି କରିବା । ଦୁଇ ଧ୍ରୁତଙ୍କୁ ଦିଲ୍ଲୀରୁ ଗିରଫ କଲା ସିବିଆଇ । ଏକ ନେଟୱାର୍କ ସଂସ୍ଥାର ସିଇଓଙ୍କ ନିକଟରୁ ଜିଏସଟି ରେଡ୍ରୁ ରକ୍ଷା କରିବା ପାଇଁ ୧୮ଲକ୍ଷ ଟଙ୍କା ନେଉଥିବା ବେଳେ ମାଡି ବସିଲା ସିବିଆଇ । ଧରା ପଡିଥିବା ଦୁଇ ଦଲାଲ ହେଲେ ଭୁବନେଶ୍ବରର ଅଜିତ ପାତ୍ର ଓ ରାଜସ୍ଥାନର ମିଙ୍କୁଲାଲ ଜୈନ । ଏମାନଙ୍କ ଘରେ ରେଡ୍ କରି କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ସିବିଆଇ ।

ନିଜକୁ କେତେବେଳେ ଜିଏସଟି ନିର୍ଦ୍ଦେଶକ ତ ଆଉ କେତେବେଳେ କେନ୍ଦ୍ର ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀର ପରିଚୟ ଦେଉଥିଲେ । କେନ୍ଦ୍ର ଓ ବିଭିନ୍ନ ରାଜ୍ୟରେ ବଡ ବଡ ପଦବୀରେ କାମ କରୁଥିବା ଅଧିକାରୀଙ୍କ ବଦଳି ଓ ଆନୁସଙ୍ଗୀକ ସୁବିଧା ଯୋଗାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିଲେ । ଦିଲ୍ଲୀ ଠାରୁ ଆରମ୍ଭ କରି ବିହାର, ରାଜସ୍ଥାନ, ମୁମ୍ବାଇ, ପଶ୍ଚିମବଙ୍ଗରେ ଏମାନଙ୍କର ନେଟୱାର୍କ ରହିଥିଲା । ନିଜକୁ ବେଳେ ବେଳେ ଆଇଏଏସ ଓ ଆଇପିଏସ ଅଧିକାରୀର ମଧ୍ୟ ପରିଚୟ ଦେଉଥିଲେ ।

ଗତ ୪ ତାରିଖରେ ରାଜସ୍ଥାନ ଜୟପୁରର ସାଇବଡିର ନେଟୱାର୍କ ପ୍ରାଇଭେଟ ଲିମିଟେଡ ଉପରେ ଜିଏସଟି ରେଡ୍ ହେବାର ଭୟ ଦେଖାଇଥିଲେ । ଜିଏସଟି ରେଡକୁ ବନ୍ଦ କରିବା ପାଇଁ ୨୦ ଲକ୍ଷ ଡିଲ କରିଥିଲେ ଅଜିତ । ଅଜିତଙ୍କୁ ନେଟୱାର୍କ ସିଇଓ ୧୮ ଲକ୍ଷ ଟଙ୍କା କ୍ୟାସ ଦେବାକୁ ଯାଇଥିବା ବେଳେ ପୂର୍ବରୁ ସୂଚନା ପାଇଥିବା ସିବିଆଇ ଏମାନଙ୍କୁ ଗିରଫ କରିଥିଲା ।

ଅଜିତର ଦିଲ୍ଲୀ, ରାଜସ୍ଥାନ ଓ ବିହାର ସମେତ ଓଡ଼ିଶାରେ ଥିବା ଘର ଉପରେ ଚଢାଉ କରି ୪ ଗୋଟି ଦାମୀ କାର୍ ସହିତ ୧୮ କାର୍ ଜବତ କରିଥିଲା । ନିକଟରେ ୧୨ କୋଟି ଦେଇ ଲଣ୍ଡନରୁ କିଣିଥିବା ଏକ କାରକୁ ଜବତ କରିଛି ସିବିଆଇ । ଏହା ସହିତ ଭୁବନେଶ୍ବର, ଦିଲ୍ଲୀ, ବିହାର ଓ ରାଜସ୍ଥାନ ଓ ମୁମ୍ବାଇରେ ଥିବା ଘରେ ରେଡ୍ କରାଯାଇଛି । ଅଜିତ ଘରୁ ପୋଲିସ ପ୍ରାୟ ୨ କିଲୋ ଓଜନର ସୁନା ଗହଣା ଜବତ କରିଥିବା ସୂଚନା ମିଳିଛି । ଏହି ଦୁଇ ଜଣଙ୍କ ପାଖକୁ କେଉଁ କେଉଁ ରାଜ୍ୟର କେଉଁ କେଉଁ ବଡ ବଡ ଅଧିକାରୀ ମାନେ ଆସୁଥିଲେ, କାହାର ଛତ୍ରଛାୟା ତଳେ ଏମାନେ ନିଜର ନେଟୱାର୍କ ଚଳାଉଥିଲେ ତାର ପୁରା ଖୋଳତାଡ କରୁଛି ସିବିଆଇ । ଅଜିତ ମୁଖ୍ୟତଃ ବଡ ବଡ ସରକାରୀ ଅଧିକାରୀ ଓ ବଡ ବଡ ଠିକା ସଂସ୍ଥାର ମାଲିକ ମାନଙ୍କୁ ଟାର୍ଗେଟ୍ରେ ରଖିଥିଲା । ଏବେ ଦିଲ୍ଲୀର ସିବିଆଇ କାର୍ଯ୍ୟାଳୟରେ ଅଜିତ ଓ ମିଙ୍ଗୁଲାଲଙ୍କୁ ମାରାଥନ ଜେରା କରୁଛି ସିବିଆଇ ।