ନ୍ୟୁୟର୍କ୦୨ |୧୧  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବାରମ୍ବାର ଅପମାନିତ କରିବା ପରେ ଶେଷରେ କ୍ଷମା ମାଗିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣୀ । ଏହାସହ ସେ ଆମେରିକା ସହ ବନ୍ଧୁତାର ହାତ ବଢାଇଛନ୍ତି । ଟାରିଫ୍ ଓ୍ୱାର୍ ମଧ୍ୟରେ କାନାଡାର ଏହି ପଦକ୍ଷେପ ଟ୍ରମ୍ପଙ୍କୁ କିଛି ମାତ୍ରାରେ ଖୁସି କରିଛି । କାରଣ ଦୀର୍ଘଦିନ ଧରି ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ପଡିଥିଲା । ଏବେ କିନ୍ତୁ ମାର୍କ ନିଜ ଭୁଲକୁ ସ୍ବୀକାର କରିବା ସହ ଆମେରିକାକୁ ବନ୍ଧୁ ବୋଲି କହିଛନ୍ତି ।

ସୂଚନା ଅନୁସାରେ, ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ହେଲା ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇ ପଡିଥିଲା । ଯାହାର ଦଶା କାନାଡାକୁ ଭୋଗିବାକୁ ପଡିଥିଲା । କାରଣ ଟ୍ରମ୍ପ୍ ଏହି ପଡୋଶୀ ଦେଶ ଉପରେ କଡା ଟାରିଫ୍ ଶୁଳ୍କ ବସାଇଥିଲେ । ଯାହା କାନାଡାର ଅର୍ଥନୀତିକୁ କିଛି ମାତ୍ରାରେ  ଦୁର୍ବଳ କରିଦେଇଥିଲା ।

ଗଣମାଧ୍ୟମ ସହ ଆଲୋଚନା ବେଳେ ମାର୍କ କହିଛନ୍ତି ଯେ, ସେ ଟ୍ରମ୍ପଙ୍କୁ କ୍ଷମା ମାଗିଛନ୍ତି । ଦକ୍ଷଣ କୋରିଆରେ ଅନୁଷ୍ଠିତ ଏସିଆ-ପାସିଫିକ୍ ସମ୍ମିଳନୀରେ ଭାଗ ନେବା ପରେ ଉଭୟ ନେତା ପରସ୍ପରକୁ ଭେଟିଥିଲେ । ଏକ ରୁଦ୍ଧଦ୍ବାର ବୈଠକରେ ଅନେକ ପ୍ରସଙ୍ଗ ଉପରେ ସେମାନେ ଆଲୋଚନା କରିଥିଲେ । ଯେଉଁଠି ସେ ନିଜ ଭୁଲ ସ୍ବୀକାର କରିଥିଲେ । କାନାଡା ଏବଂ ଆମେରିକା ମଧ୍ୟରେ ସମ୍ପର୍କ କିପରି ପୂର୍ବପରି ସୁଦୃଢ ହେବ ସେନେଇ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏକ ବିଜ୍ଞାପନ ପାଇଁ ଆମେରିକା ସହ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ସେ ବିଜ୍ଞାପନକୁ ରିଲିଜ୍ ପୂର୍ବରୁ ବିରୋଧ କରିଥିଲେ । କିନ୍ତୁ ଏହା ପରେ ବି ତାହାକୁ ରିଲିଜ୍ କରାଯାଇଥିଲା । ଯାହାକୁ ଟ୍ରମ୍ପ୍ ଜୋରଦାର ବିରୋଧ କରିଥିଲେ । ଏହା ଏକ ଫେକ୍ ଭିଡିଓ ବୋଲି ସେ କହିଥିଲେ ।

ଏବେ କିନ୍ତୁ ଉଭୟ ଦେଶ ଖୁବ୍ ଶୀଘ୍ର ପରସ୍ପର ସହ ସମ୍ପର୍କ ସୁଧାରିବା ଦିଗରେ କାର୍ଯ୍ୟ କରିବେ । ଆଗ ଭଳି ବାଣିଜ୍ୟ କାରବାର ଜାରି ରଖିବାକୁ ଖୁବ୍ ଶୀଘ୍ର ଆଲୋଚନା ହେବ ବୋଲି ମାର୍କ କହିଛନ୍ତି ।