କୋଲକାତା: ବିଧାନସଭାରୁ ସଂସଦ ଯାଏଁ ବିଦ୍ରୋହର ସାମନା କରୁଥିବା ମମତା ବାନାର୍ଜୀଙ୍କୁ ଏବେ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି । କଲିକତା ହାଇକୋର୍ଟ ଟିଏମସିର ବିଦ୍ରୋହୀ ବିଧାୟକ ଋତବ୍ରତ ବାନାର୍ଜୀଙ୍କ ବିଧାନସଭାରେ ବିରୋଧୀ ଦଳ ନେତା ମାନ୍ୟତାକୁ ଠିକ୍ ବୋଲି କହିଛନ୍ତି । ଏଠାରେ ବିଧାନସଭା ବାଚସ୍ପତି ରଥେନ୍ଦ୍ର ବୋଷଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦିଆଯାଇଥିଲା । ଟିଏମସି ପକ୍ଷରୁ ଶୋଭନଦେବ ଚଟ୍ଟୋପଧ୍ୟାୟ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମକୁ ମାତ୍ର ୮୦ ଆସନ ମିଳିଥିଲା । ଏହା ପରେ ମୁଖ୍ୟ ବିରୋଧୀ ଦଳ ହୋଇଥିବାରୁ ବିରୋଧୀ ଦଳ ନେତା ଟିଏମସି ପାଖରେ ଥିଲା । କିନ୍ତୁ ଟିଏମସିର ଆଭ୍ୟନ୍ତରୀଣ କଳହ କଥା ସାମନାକୁ ଆସିବାରେ ଲାଗିଥିଲା । ମେ 6ରେ ଟିଏମସି ନେତୃତ୍ୱରେ ବରିଷ୍ଠ ନେତା ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ଦଳ ନେତା ଏବଂ ମୁଖ୍ୟ ସଚେତକ କରିବା ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଥିଲେ । କିନ୍ତୁ ଋତବ୍ରତ ବାନାର୍ଜୀ ଏବଂ ସନ୍ଦୀପାନ ଶାହା ସମେତ ଅନେକ ବିଧାୟକ ଏହାକୁ ବିରୋଧ କରିଥିଲେ । ବାଚସ୍ପତିଙ୍କୁ ଯେଉଁ ଲିଷ୍ଟ ଦିଆଯାଇଛି, ସେଥିରେ ଅନେକ ବିଧାୟକଙ୍କ ମିଛ ଦସ୍ତଖସ୍ତ ଥିବା ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ପରେ ଜୁନ୍ ୧ରେ ଋତବ୍ରତ ବାନାର୍ଜୀ ଏବଂ ସନ୍ଦୀପାନ ଶାହାଙ୍କୁ ପାର୍ଟିରୁ ବାହାର କରାଯାଇଥିଲା ।

ଏତିକିରେ ଥମି ନଥିଲା ବିଦ୍ରୋହ । ଏହା ପରେ ଋତବ୍ରତ ବାନାର୍ଜୀ ଓ ସନ୍ଦୀପାନ ଶାହା ପାର୍ଟିର ଅନ୍ୟ ଅସନ୍ତୁଷ୍ଟ ବିଧାୟକଙ୍କ ସମର୍ଥନ ନେଇ ବିଧାନସଭାରେ ପହଞ୍ଚିଥିଲେ । ଋତବ୍ରତ ବାନାର୍ଜୀ ବିରୋଧୀ ଦଳ ନେତା ପାଇଁ ଦାବି ଉପସ୍ଥାପନ କରିଥିଲେ । ଋତବ୍ରକଙ୍କ ପାଖରେ ୫୮ ବିଧାୟକଙ୍କ ସମର୍ଥନ ଥିବାରୁ ବାଚସ୍ପତି ରଥନ୍ଦ୍ର ବୋଷ ବିଦ୍ରୋହୀ ଗୋଷ୍ଠୀଙ୍କ ଦାବି ଶୁଣିଥିଲେ ଏବଂ ବିରୋଧୀ ଦଳ ନେତାର ମାନ୍ୟତା ଦେଇଥିଲେ ।