ନୂଆଦିଲ୍ଲୀ ୧୭।୯: ଦିଲ୍ଲୀ ବିଏମଡବ୍ଲୁ ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ ଗଗନପ୍ରୀତ କୌରଙ୍କୁ ଝଟକା ଲାଗିଛି। କୋର୍ଟ ତାଙ୍କୁ ସେପ୍ଟେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅର୍ଥମନ୍ତ୍ରାଳୟ ଅଧିକାରୀ ନଭଜୋତ ସିଂହଙ୍କ ବାଇକକୁ ଧୌଲାକୂଆଁ ନିକଟରେ ଏକ ବିଏମଡବ୍ଲୁ କାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ନଭଜ୍ୟୋତ ସିଂହଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ସନ୍ଦୀପ ଗୁରୁତର ରୂପେ ଆହତ ହୋଇଛନ୍ତି। ଦୁର୍ଘଟଣା କାଳରେ ବିଏମଡବ୍ଲୁକୁ ଗଗନପ୍ରୀତ ଚଳାଉଥିଲେ।

ଗଗନପ୍ରୀତଙ୍କ ଉପରେ ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଦୁର୍ଘଟଣାରେ ଗୁରୁତର ଆହତ ନଭଜ୍ୟୋତ ଓ ତାଙ୍କ ପତ୍ନୀଙ୍କୁ ନିକଟସ୍ଥ କୌଣସି ହସ୍ପିଟାଲକୁ ନେବା ପରିବର୍ତ୍ତେ ସେ ୧୯ କିଲୋମିଟର ଦୂର ଏକ ଛୋଟ ହସ୍ପିଟାଲକୁ ନେଇଯାଇଥିଲେ, ଯେଉଁଠି ଡାକ୍ତର ନଭଜ୍ୟୋତଙ୍କୁ ମୃତ ଘୋଷଣା କରିଥିଲେ। ମାମଲାରେ ପୋଲିସ ବିଏନଏସ ଧାରା ୨୮୧ (ଦ୍ରୁତଗତିରେ ଗାଡ଼ି ଚଳାଇବା), ୧୨୫(ବି) ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇବା, ୧୦୫ ଓ ୨୩୮ରେ ମୋକଦ୍ଦମା ରୁଜୁ କରିଛି।

ପୋଲିସ ଅନୁସାରେ ଅଭିଯୁକ୍ତମାନେ ଦୁର୍ଘଟଣା ସମ୍ପର୍କରେ ସୂଚିତ କରିବା ପାଇଁ ପିସିଆର କଲ ମଧ୍ୟ କରିନଥିଲେ। ଏଣୁ ଅଭିଯୁକ୍ତ ବାହନ ଦୁର୍ଘଟଣାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ଏହା ଛଡା ଦୁର୍ଘଟଣାସ୍ଥଳ ନିକଟରେ ବଡ଼ ହସ୍ପିଟାଲ ଥାଇ ମଧ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ୧୯ କିଲୋମିଟର ଦୂରରେ ଥିବା ନ୍ୟୁଲାଇଫ ହସ୍ପିଟାଲକୁ ନେଇଯିବାକୁ ନିଷ୍ପତ୍ତି କରିଥିଲେ। ଏଣୁ ଅଭିଯୁକ୍ତମାନେ ପ୍ରମାଣ ଲୁଚାଇବାକୁ ଚେଷ୍ଟା କରିଥିଲେ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।