ଭୁବନେଶ୍ବର ୨୯।୧: ରାଜ୍ୟସଭା ନିର୍ବାଚନରେ ଦୁଇଟି ସିଟ୍ ନେବ ବିଜେଡି । ରାଜ୍ୟସଭାରେ ଖାଲି ହେଉଥିବା ୪ଟି ଆସନରୁ ବିଜେଡି ଦୁଇଟି ଆସନରେ ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ସାରଦା ଜେନା । ଏଥିପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରି ସାରିଛି । ସମୟକୁ ଅପେକ୍ଷା କରନ୍ତୁ । ଦଳ କେମିତି ଜିତିବ ସେ ନେଇ ଦଳର ସୁପ୍ରିମୋ ଓ ରାଜନୈତିକ ବ୍ୟାପାର କମିଟି ନିଷ୍ପତ୍ତି ନେବେ ବୋଲି ସାରଦା କହିଛନ୍ତି ।

ପିସିସି ସଭାପତି ଭକ୍ତ ଚରଣ ଦାସ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ସମୟ ମାଗିବା ପ୍ରସଙ୍ଗରେ ସାରଦା କହିଛନ୍ତି, କେଉଁ ପରିପ୍ରେକ୍ଷୀରେ ଭେଟିବେ, କ’ଣ ଆଲୋଚନା ହେବ ଭେଟଘାଟ ପରେ ଜଣାପଡ଼ିବ । ଭେଟିବା ପରେ କିଛି କୁହାଯାଇପାରିବ ।

କଂଗ୍ରେସ ସମର୍ଥନରେ ବିଜେଡି ଜିତିବ କି ବୋଲି ପ୍ରଶ୍ନରେ ପ୍ରତିକ୍ରିୟା ରଖି କହିଛନ୍ତି ଏବେଠୁ କିଛି କୁହାଯାଇ ପାରିବନି । କିନ୍ତୁ ବିଜେଡି ଦୁଇଟି ଆସନ ନିଶ୍ଚିତ ଜିତିବ ବୋଲି ସାରଦା ଜେନା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟସଭା ପାଇଁ ଓଡ଼ିଶାରୁ ୪ଟି ସିଟ୍ ଖାଲି ହେବ । ୪ଟି ଆସନ ଭିତରୁ ବିଜେପି ୨ଟି ଏବଂ ବିଜେଡି ଗୋଟିଏ ଆସନ ଜିତିବା ଥୟ । କିନ୍ତୁ କିଏ ଏହି ଆସନରେ ପ୍ରାର୍ଥି ହେବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେହିଭଳି ଚତୁର୍ଥ ସିଟ୍ ପାଇଁ ବିଜେପି କି ବିଜେଡି ପାଖରେ ସଂଖ୍ୟା ନଥିବାରୁ ଏହି ଆସନ ପାଇଁ ଛକାପଞ୍ଛା ଦେଖିବାକୁ ମିଳିବ । ଚତୁର୍ଥ ସିଟ୍‌କୁ ନେଇ ଏବେ ବି କଳ୍ପନାଜଳ୍ପନା ଜାରି ରହିଛି । ତେଣୁ ବିଜେଡି ଓ କଂଗ୍ରେସର ଆଭିମୁଖ୍ୟ କ'ଣ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।