ନୂଆଦିଲ୍ଲୀ: ଭାରତ ସରକାର ସୁରକ୍ଷା ଏବଂ ଆଇନ-ବ୍ୟବସ୍ଥା ଦୃଷ୍ଟିରୁ ବ୍ଲୁଟୁଥ୍-ବେସ୍ଡ ମେସେଜିଂ ଆପ୍ ବିଟ୍ଚାଟ୍ ଉପରେ କଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଭାରତରେ ଏହି ଆପ୍କୁ ଗୁଗଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋରରୁ ହଟାଇ ଦିଆଯାଇଛି । ସରକାରୀ ସୂତ୍ର ଅନୁସାରେ, ଦେଶରେ ଆଇନ ବ୍ୟବସ୍ଥା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିର ରଖିବା କେନ୍ଦ୍ର ସରକାରଙ୍କ ପ୍ରାଥମିକତା ଏବଂ ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ବିଟ୍‌ଚାଟ୍ କ’ଣ ?

ବିଟ୍‌ଚାଟ୍ ହେଉଛି ଏକ ମେସେଜିଂ ଆପ୍, ଯାହା ଇଣ୍ଟରନେଟ୍ ଆଧାରିତ ମେସେଜିଂ ପରିବର୍ତ୍ତେ ଭିନ୍ନ ଢଙ୍ଗରେ କାମ କରିଥାଏ । ଏହା ବ୍ଲୁଟୁଥ୍ ପରି ୱାୟରଲେସ୍ ଟେକ୍ନିକ୍ ସାହାଯ୍ୟରେ ଆଖପାଖରେ ଉପସ୍ଥିତ ଡିଭାଇସ୍ ମଧ୍ୟରେ ମେସେଜ ପଠାଇବାରେ ସହାୟକ ହୋଇଥାଏ । ଇଣ୍ଟରନେଣ୍ଟ ଯୋଗାଯୋଗ ସୁବିଧା ନଥିବା କିମ୍ୱା ତା’ ଉପରେ ନିର୍ଭରତା ହ୍ରାସ କରିବା ପାଇଁ ଏହି ଆପକୁ ବ୍ୟବହାର କରାଯାଇଥାଏ ।

ସରକାର କାହିଁକି ଚିନ୍ତିତ ?

ସରକାରୀ ସୂତ୍ର ଅନୁଯାୟୀ, ବିଟ୍‌ଚ ଆଇନ ଶୃଙ୍ଖଳା ପାଇଁ ସମ୍ଭାବ୍ୟ ବିପଦ ଭାବରେ ଚିହ୍ନଟ କରାଯାଇଛି । କାରଣ ଏପରି ଆପ୍ ପାରମ୍ପରିକ ଅନଲାଇନ୍ ଯୋଗାଯୋଗ ବ୍ୟବସ୍ଥାଠାରୁ ଭିନ୍ନ ଭାବରେ ମେସେଜିଂ କରିବାକୁ ଅନୁମତି ଦିଏ । ତେଣୁ ସରକାରଙ୍କ ଚିନ୍ତା କେବଳ ଆପ୍ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏହାର ବ୍ୟବହାର ଏବଂ ଏହା ଦ୍ୱାରା ସୃଷ୍ଟି ହୋଇପାରୁଥିବା ସମ୍ଭାବ୍ୟ ଆଇନ ଶୃଙ୍ଖଳା ଆହ୍ୱାନ ଉପରେ ରହିଛି ।

ସରକାରୀ ସୂତ୍ର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆଇନ ଶୃଙ୍ଖଳା ବଜାୟ ରଖିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ତେଣୁ ସରକାର ସେହି ସବୁ ପ୍ରଯୁକ୍ତିବିଦ୍ୟା ପ୍ଲାଟଫର୍ମର ବ୍ୟବହାର ପ୍ରତି ସତର୍କ ଅଛନ୍ତି ଯାହା ଦ୍ୱାରା ସାର୍ବଜନୀନ ଶୃଙ୍ଖଳାକୁ ପ୍ରଭାବିତ ହୋଇପାରେ ।