ନୂଆଦିଲ୍ଲୀ: ଖାଦ୍ୟ ପ୍ରେମୀଙ୍କ ପାଇଁ ୨୦୨୫ ବର୍ଷ ଏକ ରୋମାଞ୍ଚକର ବର୍ଷ ବୋଲି ପ୍ରମାଣିତ ହୋଇଛି । ଭାରତର ଅଗ୍ରଣୀ ଖାଦ୍ୟ ବିତରଣ ପ୍ଲାଟଫର୍ମ, ସ୍ୱିଗି ମଙ୍ଗଳବାର ଏହାର ବହୁ ପ୍ରତୀକ୍ଷିତ ବାର୍ଷିକ ରିପୋର୍ଟ "ହାଉ ଇଣ୍ଡିଆ ସ୍ୱିଗିଡ"ର ୧୦ମ ସଂସ୍କରଣ ପ୍ରକାଶ କରିଛି । ଏହି ରିପୋର୍ଟରେ ବର୍ଷ ସାରା ଫୁଡ୍ ଡେଲିଭରି ଟ୍ରେଣ୍ଡ୍ସ ଏବଂ ଭାରତୀୟଙ୍କ ପରିବର୍ତ୍ତନଶୀଳ ପସନ୍ଦର ସାରାଂଶ ଦିଆଯାଇଛି । ତଥ୍ୟ ଦର୍ଶାଉଛି ଯେ ୨୦୨୫ରେ ଭାରତୀୟମାନେ ବିରିୟାନି, ବର୍ଗର, ପିଜା ଏବଂ ଦୋସାରେ ସର୍ବାଧିକ ଅର୍ଡର କରିଛନ୍ତି ।

ସ୍ୱିଗିର ରିପୋର୍ଟ ଅନୁସାରେ, ଭାରତୀୟ ଉପଭୋକ୍ତାଙ୍କ ପ୍ରଥମ ପସନ୍ଦରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ବିରିୟାନି ପୁଣି ଥରେ ତାଲିକାର ଶୀର୍ଷରେ ରହିଛି । ୨୦୨୫ରେ ୟୁଜର୍ସ ପ୍ଲାଟଫର୍ମରେ ରେକର୍ଡ ୯୩ ନିୟୁତ ବିରିୟାନି ଅର୍ଡର କରିଥିଲେ । ବିରିୟାନି ପରେ, ଫାଷ୍ଟଫୁଡର ଜଲୱା ଥିଲା । ବର୍ଗର ୪.୪୨ କୋଟି ଅର୍ଡର ସହିତ ଦ୍ୱିତୀୟ ସର୍ବାଧିକ ଅର୍ଡର ହୋଇଥିବା ଆଇଟମ୍ ଭାବରେ ଉଭା ହୋଇଥିଲା । ଇଟାଲୀୟ ଖାଦ୍ୟ ମଧ୍ୟ ପଛରେ ନଥିଲା । ପିଜା ଏହି ବର୍ଷ ୪.୦୧ କୋଟି ଥର ଅର୍ଡର କରାଯାଇଥିଲା । ଦକ୍ଷିଣ ଭାରତୀୟ ସ୍ୱାଦର ଲୋକପ୍ରିୟତା ମଧ୍ୟ ଅକ୍ଷୁର୍ଣ୍ଣ ରହିଥିଲା । ୨.୬୨ କୋଟି ଅର୍ଡର ସହିତ ଦୋସା ଶ୍ରେଷ୍ଠ ଖାଦ୍ୟ ସାମଗ୍ରୀ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି ।

ସ୍ୱିଗି ନିଜ ରିପୋର୍ଟରେ କହିଛି, "ହାଇପରଲୋକାଲ ଅର୍ଥାତ୍ ସ୍ଥାନୀୟ ଖାଦ୍ୟ ପାଇଁ ପସନ୍ଦ ବଢିଛି । ରିପୋର୍ଟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ସଂଖ୍ୟା ଥିଲା ପାହାଡିଆ ଖାଦ୍ୟର ଚାହିଦା ବୃଦ୍ଧି । ଗତ ବର୍ଷ ତୁଳନାରେ ଏହା ୯ ଗୁଣ ବୃଦ୍ଧି ପାଇଛି । ଏହା ବ୍ୟତୀତ, ଗତ ଗୋଟିଏ ବର୍ଷରେ ମାଲାବାରି, ରାଜସ୍ଥାନୀ, ମାଲୱାନୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଖାଦ୍ୟର ଅର୍ଡର ମଧ୍ୟ ପ୍ରାୟ ୨ ଗୁଣ ବୃଦ୍ଧି ପାଇଛି । ଏହା ଦର୍ଶାଉଛି ଯେ ଲୋକମାନେ ଏବେ ଘରେ ସେମାନଙ୍କର ପାରମ୍ପରିକ ଏବଂ ସ୍ୱଦେଶୀ ସ୍ୱାଦ ଖାଇବାକୁ ପସନ୍ଦ କରୁଛନ୍ତି ।

ଭାରତୀୟ ଖାଦ୍ୟ ସହିତ ବିଦେଶୀ ଖାଦ୍ୟ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି । ମେକ୍ସିକାନ୍ ଖାଦ୍ୟ ୧୬ ନିୟୁତ ଅର୍ଡର ସହିତ ଲୋକପ୍ରିୟ ଥିଲା । ଏହା ପରେ ତିବ୍ବତୀୟ ଖାଦ୍ୟ ୧୨ ନିୟୁତରୁ ଅଧିକ ଅର୍ଡର ପାଇଥିଲା । କୋରିଆନ୍ ଡ୍ରାମା ଏବଂ ପପ୍ ସଂସ୍କୃତିର ପ୍ରଭାବ ଯୋଗୁ, ୪.୭ ନିୟୁତ କୋରିଆନ୍ ଖାଦ୍ୟର ଅର୍ଡର ହୋଇଥିଲା । ତେବେ ମଧ୍ୟାହ୍ଣ ଅପେକ୍ଷା ରାତ୍ରୀ ଭୋଜନ ସମୟରେ ଅଧିକ ଅର୍ଡର ହୋଇଛି । ୨୦୨୫ରେ, ରାତ୍ରୀ ଭୋଜନ ପାଇଁ ଅର୍ଡର ମଧ୍ୟାହ୍ନ ଭୋଜନ ଅପେକ୍ଷା  ପ୍ରତିଶତ ଅଧିକ ଥିଲା ।