ପାଟନା: ବିହାର ରାଜଧାନୀ ପାଟନା ବିମାନ ବନ୍ଦରରେ ସୋମବାର ପୂର୍ବାହ୍ନରେ ଦିଲ୍ଲୀରୁ ଆସିଥିବା ଏୟାର ଇଣ୍ଡିଆ ବିମାନ ବାର୍ଡ ହିଟ୍ ଶିକାର ହୋଇଛି। ଲ୍ୟାଣ୍ଡିଂ କାଳରେ ବିମାନର ଡାହାଣପଟ ଇଞ୍ଜିନ ନିକଟରେ ପକ୍ଷୀ ଧକ୍କା ଲାଗିଥିବା ପାଇଲଟ ଆଶଙ୍କା କରିଛନ୍ତି। ଏହା ଜାଣିବା ମାତ୍ରେ ପାଇଲଟ ଏ ସମ୍ପର୍କରେ ତୁରନ୍ତ ବିମାନ ବନ୍ଦର ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି)ଙ୍କୁ ସୂଚିତ କରିଥିଲେ। ଏହା ପରେ ସତର୍କତା ମୂଳକ ଏମାର୍ଜେନ୍ସୀ ପ୍ରୋଟକଲ ଲାଗୁ କରାଯାଇଥିଲା। ବିମାନଟି ସକୁଶଳେ ଅବତରଣ କରିଯାଇଥିବା ବେଳେ ଏଥିରେ ଥିବା ୧୬୪ ଜଣ ଯାତ୍ରୀ ଓ ଚାଳକ ଦଳ ସଦସ୍ୟ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁସାରେ ଏୟାର ଇଣ୍ଡିଆ ଫ୍ଲାଇଟ୍ ଏଆଇ ୧୭୪୧ ଦିଲ୍ଲାରୁ ପାଟନା ଆସିଥିଲା। ସକାଳ ପାଖାପାଖି ୭ଟା ୪୩ ମିନିଟ୍ ରେ ବିମାନ ଜୟପ୍ରକାଶ ନାରାୟଣ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲ୍ୟାଣ୍ଡ କରୁଥିଲା। ବିମାଟି ଅବତରଣ ପାଇଁ ରନୱେ ନିକଟକୁ ପହଞ୍ଚିବା କାଳରେ ପାଇଲଟ ଡାହାଣ ପଟ ଇଞ୍ଜିନରେ ପକ୍ଷୀ ଧକ୍କା ଲାଗିବାର ଅନୁମାନ କରିଥିଲେ। ଏ ସମ୍ପର୍କରେ ପାଇଲଟ ତୁରନ୍ତ ଏଟିସିଙ୍କୁ ସୂଚିତ କରିଥିଲେ। ସୂଚନା ମିଳିବାମାତ୍ରେ ଏୟାରପୋର୍ଟ କର୍ତ୍ତୃପକ୍ଷ ସକ୍ରିୟ ହୋଇ ଯାଇଥିଲେ ଓ ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ସବୁ ବ୍ୟବସ୍ଥା କରିଥିଲେ।

ବିମାନ ଅବତରଣ ପରେ ଟେକ୍ନିକାଲ ଟିମ୍ ଯାଞ୍ଚ କରିଛନ୍ତି। ଏହି ଯାଞ୍ଚ କାଳରେ ବାର୍ଡ ହିଟ୍ ପୁଷ୍ଟି ହୋଇଛି। ତେବେ ଏଥି ଯୋଗୁ ବିମାନ ଇଞ୍ଜିନକୁ କୌଣସି ପ୍ରକାରର ଆଘାତ ଲାଗିନଥିବା କୁହାଯାଇଛି। ସୁରକ୍ଷା ଯାଞ୍ଚ ପରେ ପରେ ବିମାନକୁ ପୁଣି ଦିଲ୍ଲୀ ଫେରିବାକୁ ପ୍ରସ୍ତୁତ କରାଯାଇଥିଲା। ତେବେ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରଥାମିକତା ଦେଇ ବିମାନର ଜରୁରି ଟେକ୍ନିକାଲ ଯାଞ୍ଚ କରାଯାଇଛି। ଏୟାର ଇଣ୍ଡିଆ ବିମାନ ଏଆଇ ୧୭୪୧ ସକାଳ ୮ଟା ୪୫ ମିନିଟ୍ ରେ ଦିଲ୍ଲୀ ଫେରିବାର ଥିଲା। ତେବେ ଯାଞ୍ଚ ପାଇଁ ଫେରିବାରେ ବିଳମ୍ବ ହୋଇଛି।