ନୂଆଦିଲ୍ଲୀ : ରାଜ୍ୟସଭାରେ ବୁଧବାର ସୁପ୍ରିମକୋର୍ଟ (ବିଚାରପତିଙ୍କ ସଂଖ୍ୟା) ସଂଶୋଧନ ବିଧେୟକ ୨୦୨୬ ଗୃହୀତ ହୋଇଯାଇଛି। ଏହି ବିଧେୟକର ଉଦ୍ଦେଶ୍ୟ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ଛାଡି ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟାକୁ ୩୩ରୁ ବଢାଇ ୩୭ କରିବା। ବିଧେୟକ ଉପରେ ବିତର୍କ କାଳରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲ କହିଛନ୍ତି ଯେ ‘ନ୍ୟାୟପାଳିକା ଉପରେ ବଢୁଥିବା କାମର ବୋଝ, ନ୍ୟାୟିକ ମାମଲାର ବଦଳୁଥିବା ପ୍ରକୃତି ଓ ସାମ୍ବିଧାନିକ ଏବଂ ଆଇନ ବ୍ୟାଖ୍ୟା ସମ୍ପର୍କିତ ନୂଆ ପ୍ରଶ୍ନକୁ ନଜରରେ ରଖି ସୁପ୍ରିମ କୋର୍ଟରେ ଜଜ୍ ଙ୍କ ସଂଖ୍ୟା ବଢାଇବା ବର୍ତ୍ତମାନ ସମୟର ଚାହିଦା ଓ ଏହା ସମୟରେ କରାଯାଉଥିବା ସୁଧାର ମଧ୍ୟ’।

ତେବେ ଏହି ବିଧେୟକ ପୂର୍ବରୁ ଲୋକସଭାରେ ଗୃହୀତ ହୋଇସାରିଛି ଓ ରାଜ୍ୟସଭାରେ ବିଚାରବିମର୍ଶ ପରେ ପୁଣି ଲୋକସଭାକୁ ପଠାଇ ଦିଆଯାଇଛି। ଏଣୁ ବିଧେୟକ ଲାଗି ସଂସଦୀୟ ମଞ୍ଜୁରୀ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଏହି ବିଧେୟକ ଆଇନରେ ପରିଣତ ହେଲେ ମେ ୨୦୨୬ର ସେହି ଅଧ୍ୟାଦେଶ ସ୍ଥାନ ନେବ ଯେଉଁଥିରେ ସୁପ୍ରିମକୋର୍ଟରେ ଜଜଙ୍କ ସଂଖ୍ୟା ବଢା ଯାଇଥିଲା। ୨୦୧୯ ମସିହା ପରେ ସୁପ୍ରିମକୋର୍ଟରେ ପ୍ରଥମ ଥର ଜଜଙ୍କ ସଂଖ୍ୟା ବୃଦ୍ଧି ହୋଇଛି।

ଅର୍ଜୁନ ରାମ ମେଘବାଲ ରାଜ୍ୟସଭାରେ କହିଛନ୍ତି ଯେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତ ୧୧ ମେ ୨୦୨୬ରେ ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିଲେ। ଏଥିରେ ସୁପ୍ରିମକୋର୍ଟରେ ନୂଆ ମାମଲା ସଂଖ୍ୟା ବୃଦ୍ଧି ଓ ମାମଲାର ସମାଧାନ ହାର କାୟମ ରଖିବା ପାଇଁ ଅତିରିକ୍ତ ଜଜଙ୍କ ଆବଶ୍ୟକତା ସମ୍ପର୍କରେ ସୂଚିତ କରିଥିଲେ। ମେଘବାଲ କହିଛନ୍ତି ଯେ କୋର୍ଟରେ ଦୈନିକ କେସ୍ ଫାଇଲ ସଂଖ୍ୟା ବେଶ୍ ବଢି ଯାଇଛି। ଏକ ଅନୁମାନରେ ସେ କହିଛନ୍ତି ଯେ ବାର୍ଷିକ ପ୍ରାୟ ୧୦ ହଜାର କେସ୍ ର ଅନ୍ତର ଆସି ପାରେ। ତେବେ କୋର୍ଟରେ ଜଜଙ୍କ ସଂଖ୍ୟା କମ୍ ରହିବା ଯୋଗୁ ଅପାରଧିକ ଅପିଲ ଓ ଅନ୍ୟ ମାମଲା ଶୁଣାଣିରେ ବିଳମ୍ବ ହେଉଛି। ମେଘବାଲ ଜୋର ଦେଇ କହିଛନ୍ତି ଯେ ଲମ୍ବିତ ମାମଲା ସଂଖ୍ୟା ହ୍ରାସ କରିବା ସରକାରଙ୍କ ପ୍ରାଥମିକତା ଅଟେ ଓ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ବିଚାର ପ୍ରକ୍ରିୟା ସୁଧାରର ଏକ ଅଂଶବିଶେଷ।

ମେଘବାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ରୀୟ କ୍ୟାବିନେଟ୍ ୫ ମେ ୨୦୨୬ରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ ଓ ଏହା ପରେ ଏକ ଅଧ୍ୟାଦେଶ ଜାରି ହୋଇଥିଲା। ସେହି ଅନୁସାରେ ସୁପ୍ରିମକୋର୍ଟରେ ୧ ଜୁନ ୨୦୨୬ରେ ୫ ଜଣ ନୂଆ ଜଜ୍ ନିଯୁକ୍ତ ହୋଇଥିଲେ ଓ ସବୁଠୁ ପୁରୁଣା ଲମ୍ବିତ ଦିବାନୀ ଏବଂ ଅପରାଧିକ ମାମଲାର ଶୁଣାଣି ନିମନ୍ତେ ୪ଟି ସ୍ୱତନ୍ତ୍ର ବେଞ୍ଚ ଗଠନ କରାଯାଇଥିଲା।