ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ଚାଞ୍ଚଲ୍ୟ। କୁଆଡେ ଗଲେ ଶୁଭଶ୍ରୀ ? ଇନ୍ଫୋସିଟି ଅଞ୍ଚଳରୁ ଜଣେ ନାବାଳିକା ନିଖୋଜ ହେବା ମାମଲାରେ ଏବେ ଆକ୍ସନ ମୋଡ୍ରେ କମିଶନରେଟ ପୋଲିସ। ନିଖୋଜ ନାବାଳିକା ଏବଂ ଜଣେ ସନ୍ଦିଗ୍ଧ ଯୁବକଙ୍କ ସନ୍ଧାନ ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ପୁରସ୍କାର ରାଶି ଘୋଷଣା କରାଯାଇଛି। ଯିଏ ବି ଏମାନଙ୍କ ସମ୍ପର୍କରେ ସଠିକ୍ ସୂଚନା ଦେବେ, ତାଙ୍କୁ ନଗଦ ୫୦ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ପୋଲିସ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ଇନ୍ଫୋସିଟି ଥାନା ଅଞ୍ଚଳରୁ ନିଖୋଜ ଥିବା ନାବାଳିକା ଜଣକ ହେଉଛନ୍ତି ଭାଗ୍ୟଶ୍ରୀ ମିଶ୍ର। ଗତ ମାର୍ଚ୍ଚ ୯, ୨୦୨୬ରୁ ସେ ନିଖୋଜ ଅଛନ୍ତି ଏବଂ ପୋଲିସ ତାଙ୍କୁ ଖୋଜୁଛି। ଠିକ୍ ସେହିପରି ଏହି ମାମଲାରେ ଜଣେ ସନ୍ଦିଗ୍ଧ ଯୁବକଙ୍କ ଉପରେ ମଧ୍ୟ ପୋଲିସର ନଜର ରହିଛି। ସନ୍ଦିଗ୍ଧ ଯୁବକ ଜଣକ ହେଉଛନ୍ତି ବାଲେଶ୍ୱର ସଦର ଅନ୍ତର୍ଗତ ନୂଆପୁର ଶାସଙ୍ଗ ଗ୍ରାମର ୨୦ ବର୍ଷୀୟ ଆକାଶ ମିଶ୍ର।

ଏହି ଦୁଇ ଜଣଙ୍କ ସମ୍ପର୍କରେ କୌଣସି ବି ସୁରାକ୍ କିମ୍ବା ଖବର ପାଇଲେ ତୁରନ୍ତ କମିଶନରେଟ ପୋଲିସ ଦ୍ୱାରା ଜାରି କରାଯାଇଥିବା ସରକାରୀ ଟେଲିଫୋନ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ସୂଚନା ପ୍ରଦାନକାରୀଙ୍କ ନାମ ଓ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି।