ସ୍ୱତନ୍ତ୍ର: ଦୁନିଆରେ କେତେ ରଙ୍ଗ । କିନ୍ତୁ ଆଖି ସୁନ୍ଦର ରଙ୍ଗକୁ ହିଁ ଖୋଜେ । ସୁନ୍ଦରମାନେ ଆକର୍ଷଣୀୟ । ଦେଖୁ ଦେଖୁ ମନ ଲାଖି ଯାଉଥିବ । ଲୋକଙ୍କ ଭିତରେ ଭିନ୍ନତା ଦେଉଥିବ । କିନ୍ତୁ, ଏମିତି ଗୋଟିଏ ରଙ୍ଗ ଅଛି, ଯିଏ ଶାସନକୁ ଦୋହଲାଇ ଦିଏ, ବଞ୍ଚିତଙ୍କୁ ହକ୍ ଦିଏ, ଶୋଷିତଙ୍କୁ ଅଧିକାର ଦିଏ । ଇନ୍ଦ୍ର ଧୁନରେ ବି ଯାହାର ସ୍ଥାନ ନାହିଁ । କିନ୍ତୁ ଯେଉଁଠି ସବୁ ରଙ୍ଗ ନିଜର ସତ୍ତା ହଜାଇ ଦିଅନ୍ତି, ସେଇଠୁ ଆରମ୍ଭ ହୁଏ ସେହି ରଙ୍ଗର ସାମ୍ରାଜ୍ୟ । ନିଶବ୍ଦ ରାତିର ବହଳ ଅନ୍ଧାରଠୁ ଆରମ୍ଭ କରି ଆମ କାଳିଆ ସାଆନ୍ତଙ୍କ ଭାବପୂର୍ଣ୍ଣ ରୂପ ପର୍ଯ୍ୟନ୍ତ... ସେହି ରଙ୍ଗ ଭିତରେ ଲୁଚି ରହିଛି ଅସୀମ ରହସ୍ୟ, ଆଭିଜାତ୍ୟ ଆଉ ଶହ ଶହ ଅବ୍ୟକ୍ତ କାହାଣୀ । ଏହା କାହା ପାଇଁ ଶୋକ ଆଉ ନୀରବତାର ପ୍ରତୀକ, ତ ଆଉ କାହା ପାଇଁ ଆତ୍ମବିଶ୍ୱାସର ସବୁଠୁ ଶକ୍ତିଶାଳୀ ପରିଚୟ ।

କଳା...ଏହା କେବଳ ଏକ ରଙ୍ଗ ନୁହେଁ, ଏହା ହେଉଛି ପ୍ରତିବାଦର ସବୁଠୁ ଶାଣିତ ସ୍ୱର, ବିପ୍ଲବର ଅଗ୍ନି ପରୀକ୍ଷା, ଆଉ ଶୋଷଣ ବିରୋଧରେ ଛିଡ଼ା ହେବାରେ ଶୋଷିତର ଅତୁଟ ସାହସ । ଯେତେବେଳେ ସମାଜର ନୀରବତା ଭାଙ୍ଗେ, ଯେତେବେଳେ ଅନ୍ୟାୟ ବିରୋଧରେ ବିଦ୍ରୋହର ସ୍ଫୁଲିଙ୍ଗ ଜଳିଉଠେ, ସେତେବେଳେ କଳା ରଙ୍ଗ ପାଲଟିଯାଏ ସଂଗ୍ରାମର ପ୍ରତୀକ । କାନ୍ଧରେ କଳା ପଟି ହେଉ, ପବନରେ ଉଡ଼ୁଥିବା କଳା ପତାକା ହେଉ କିମ୍ବା ଆଖିରେ ଥିବା ବିପ୍ଲବର ସ୍ୱପ୍ନ । କଳା ରଙ୍ଗ ଦେଖାଇଦିଏ ଯେ ଶାସନ ଆଉ ଶୋଷଣର ଶୃଙ୍ଖଳାକୁ ଭାଙ୍ଗିବାର ତାକତ୍ ତାହା ପାଖରେ ଅଛି ।

'କଳା' ରଙ୍ଗ ମାନବ ଇତିହାସ, ସଂସ୍କୃତି, ରାଜନୀତି ଓ ସଂଘର୍ଷର ଏକ ଅଦ୍ଭୁତ କାହାଣୀ । କେମିତି କଳା ରଙ୍ଗ ଦାସତ୍ୱର ଶୃଙ୍ଖଳରୁ ବାହାରି ପ୍ରତିବାଦର ଗର୍ଜନ ଭାବେ ପରିଚିତ ହେଲା ? କିପରି ଏହି ଅନ୍ଧକାରର ରଙ୍ଗ ଶତାବ୍ଦୀ ଶତାବ୍ଦୀ ଧରି ସମଗ୍ର ବିଶ୍ୱରେ ପ୍ରତିବାଦର ସବୁଠାରୁ ଶକ୍ତିଶାଳୀ ରୂପ ନେଲା ।