ନୂଆଦିଲ୍ଲୀ : ସାମ୍ନାରେ ରାସ୍ତା, ହାତରେ ଷ୍ଟିଅରିଂ କିନ୍ତୁ ମଝିରେ ଯେ ପତ୍ନୀ। ଫୁଲରେ ଆହୁରି ସୁନ୍ଦର। ତାଠୁ କିନ୍ତୁ ସୁନ୍ଦର ସ୍ମୃତି, ଅଧିକ ସୁନ୍ଦର ପ୍ରେମ। ବୟସରେ ସାୟାହ୍ନରେ ପହଞ୍ଚିଥିବା ଅଟୋ ଚାଳକଙ୍କ ପ୍ରେମ। ଯାହା କେବଳ ପ୍ରେମର ମାନେ ବୁଝାଏନି। ହୃଦୟକୁ ଛୁଏଁ ସେହି ସ୍ୱୀକାରୋକ୍ତି, ଆଗ୍ରହ ଆଉ ଅନୁଭବ। ସୋସିଆଲ୍ ମିଡିଆରେ ଭାଇରାଲ୍ ଏବି ବୃଦ୍ଧ ଅଟୋ ଚାଳକଙ୍କ ପ୍ରେମ କାହାଣୀ। ଆହୁରି ମନକୁ ଛୁଏଁ ତାଙ୍କ ସରଳ ହୃଦୟର ସବୁଜ ସତେଜ ସ୍ମୃତି। ଘଟମାଣଟି ବେଙ୍ଗାଲୁରୁର। ଜଣେ ବୃଦ୍ଧ ଅଟୋଚାଳକଙ୍କ ପତ୍ନୀଙ୍କ ମୃତ୍ୟୁକୁ ବିତିଗଲାଣି ପ୍ରାୟ ୮ ବର୍ଷ । ଏହି ସମୟ ଭିତରେ ପରିସ୍ଥିତି ବଦଳିଛି, ଦିନ ବଦଳିଛି, କିନ୍ତୁ ତାଙ୍କ ମନରେ ପତ୍ନୀଙ୍କ ପ୍ରତି ଥିବା ଭଲପାଇବା ଓ ସମ୍ମାନରେ ଆସିନାହିଁ କୌଣସି ପରିବର୍ତ୍ତନ । ଏ କାହାଣୀ ତାର ଏକ ଜ୍ୱଳନ୍ତ ଉଦାହରଣ...

ସୋସିଆଲ ମିଡିଆରେ ଭାଇରାଲ ଏକ ଭିଡିଓରେ ଦେଖିବାକୁ ବାକୁ ମିଳିଛି ଜଣେ ବୃଦ୍ଧ ଅଟୋ ଚାଳକଙ୍କୁ। ଅଟୋ ଭିତରେ ରହିଛି ପତ୍ନୀଙ୍କର ଅନେକ ଫଟୋ। ଯାହାକୁ ସେ ଫୁଲରେ ସଜାଉଥିବା ଦେଖିବାକୁ ମିଳୁଛି। ଅଟୋର ଜଣେ ପ୍ୟାସେଞ୍ଜର ତାଙ୍କ ଭିଡିଓ କରି ପଚାରିଲେ, “ଏହି ଫୁଲ କାହା ପାଇଁ” ? ସେତେବେଳେ ବୃଦ୍ଧ ଜଣକ ହସି ହସି ନିଜ ପତ୍ନୀଙ୍କ ଫଟୋ ଆଡ଼କୁ ଇସାରା କରିଥିଲେ। ଏହି ଛୋଟିଆ ଇସାରା ପରିଚୟ ଦେଇଥିଲା ତାଙ୍କ ଗଭୀର ପ୍ରେମର । ବୃଦ୍ଧ ଅଟୋ ଚାଳକ କୁହନ୍ତି ଯେ, ତାଙ୍କ ପତ୍ନୀ ଏହି ଦୁନିଆ ଛାଡ଼ି ଯିବା ପ୍ରାୟ ୮ ବର୍ଷ ହୋଇଗଲାଣି। କିନ୍ତୁ ଏତେ ବର୍ଷ ପରେ ବି ସେ ତାଙ୍କୁ ଟିକେ ବି ଭୁଲି ପାରିନାହାନ୍ତି। ସେଥିପାଇଁ ପ୍ରତିଦିନ ଅଟୋ ଚଳାଇବାକୁ ବାହାରିବା ପୂର୍ବରୁ ସେ ପତ୍ନୀଙ୍କ ଫଟୋକୁ ଫୁଲରେ ସଜାନ୍ତି। ଏହା ତାଙ୍କ ପାଇଁ କୌଣସି ଦେଖାଣିଆ କାମ ନୁହେଁ। ବରଂ ପତ୍ନୀଙ୍କୁ ମନେ ପକାଇବା ଏବଂ ତାଙ୍କୁ ନିଜ ପାଖରେ ଅନୁଭବ କରିବାର ଏକ ଆଗ୍ରହ ଓ ଅଭ୍ୟାସ। ଏହି ଫଟୋ ଏବଂ ଫୁଲ ପଛରେ ଲୁଚିଛି ଦଶନ୍ଧି ଦଶନ୍ଧିର ଏକ ସମ୍ପର୍କ, ସାଥୀକୁ ହରାଇବାର ଯନ୍ତ୍ରଣା ଏବଂ ତାଙ୍କ ସ୍ମୃତିକୁ ଜୀବିତ ରଖିବାର ଏକ ଗଭୀର ଭାବନା।

ଭିଡିଓରେ ବୃଦ୍ଧ ଅଟୋ ଚାଳକଙ୍କୁ ତାଙ୍କ ପରିବାର ସମ୍ପର୍କରେ ମଧ୍ୟ ପଚରାଯାଇଥିଲା। ସେ କହିଥିଲେ, ତାଙ୍କର ଗୋଟିଏ ପୁଅ, ଗୋଟିଏ ଝିଅ ଏବଂ ୬ ଜଣ ନାତି-ନାତୁଣୀ ଅଛନ୍ତି। ଏ ବୟସରେ ପୁଅ ତାଙ୍କୁ ଅଟୋ ଚଳାଇବାକୁ ମନା କରନ୍ତି। କିନ୍ତୁ ଅଟୋ ଚଳାଇବା ତାଙ୍କ ଖୁସି ବୋଲି କହି ଘରୁ ବାହାରନ୍ତି। ସେ କୁହନ୍ତି, ଯଦି ସେ ଘରେ ଖାଲି ବସି ରହିବେ, ତେବେ ତାଙ୍କ ପାଖରେ ଅଧିକ ସମୟ ରହିବ। ସେହି ଖାଲି ସମୟରେ ପତ୍ନୀଙ୍କ କଥା ମନେ ପଡିବ, ଯାହା ତାଙ୍କୁ ଭାରି କଷ୍ଟ ଦେବ। ତେଣୁ ସେ ଅଟୋ ଚଳାଇବାକୁ ଛାଡ଼ନ୍ତିନି। ଲୋକଙ୍କ ସହ କଥା ହୁଅନ୍ତି, ଯାତ୍ରୀଙ୍କୁ ନେଇ ଯାଆନ୍ତି ଏବଂ ନିଜକୁ ବ୍ୟସ୍ତ ରଖନ୍ତି। ତାଙ୍କ ପାଇଁ ଅଟୋ କେବଳ ରୋଜଗାରର ମାଧ୍ୟମ ନୁହେଁ। ଏହା ତାଙ୍କ ମନକୁ ବ୍ୟସ୍ତ ରଖିବାର ଏକ ମାଧ୍ୟମ ମଧ୍ୟ। ଏହି ବୃଦ୍ଧଙ୍କ ଅଟୋକୁ ଦେଖିଲେ ତାଙ୍କ ଜୀବନର କାହାଣୀ ବେଶ୍ ଭଲ ଭାବେ ଅନୁଭବ କରି ହୁଏ। ଦିନ ଗଡ଼ୁଛି, ବର୍ଷ ବିତୁଛି। କିନ୍ତୁ ସେ ପ୍ରତିଦିନ ପତ୍ନୀଙ୍କୁ ଫୁଲ ଦେବାର ଅଭ୍ୟାସ ଛାଡ଼ିନାହାନ୍ତି। ବୃଦ୍ଧ ଅଟୋ ଚାଳକଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଅନେକଙ୍କୁ ଏହା ଭାବ ବିହ୍ୱଳ କରିଛି।

Also Read- ୨୦୦୦ ବର୍ଷ ପରେ ମିଳିଛି ଏପରି ଚମତ୍କାରୀ ଗଛର ରହସ୍ୟ, ଯାହାର ମୂଲ୍ୟ ଥିଲା ସୁନାଠୁ ଉପରେ...

ଆଜିର ଜେନେରେସନରେ ସମ୍ପର୍କର ମାପ କାଠିକୁ ବୁଝିବା ବେଶ କଷ୍ଟ। ପ୍ରେମର ସେ ମିଠାପଣ, ସଚ୍ଚୋଟତା, ସମର୍ପଣ ସବୁ ଯେମିତି କେଉଁଠି ହଜିଗଲାଣି। ଅଭିଯୋଗ ଓ ପ୍ରତାରଣାର ବୋଝରେ ଦବି ଯାଉଛି ସଂପର୍କ। କିନ୍ତୁ ଏହି ବୃଦ୍ଧ ଅଟୋ ଚାଳକଙ୍କ କାହାଣୀ ଏକ ଭିନ୍ନ ବାର୍ତ୍ତା ଦେଉଛି। ୮ ବର୍ଷ ଏକ ଛୋଟ ସମୟ ନୁହେଁ। କିନ୍ତୁ ଏହି ବୃଦ୍ଧଙ୍କ ଜୀବନରେ ଏହି ୮ ବର୍ଷ ମଧ୍ୟ ତାଙ୍କ ପତ୍ନୀଙ୍କ ସ୍ମୃତିକୁ ମଳିନ କରିପାରିନାହିଁ। କେବେ କେବେ ପ୍ରେମ ପ୍ରମାଣ ଖୋଜେନି। ବାସ୍ ଏମିତି କିଛି ଛୋଟ ଛୋଟ କଥାରେ ଲୁଚି ରହିଥାଏ ପ୍ରେମ। ଗୋଟିଏ ଫଟୋ, କିଛି ଫୁଲ ଏବଂ ପ୍ରତିଦିନ ପତ୍ନୀଙ୍କୁ ମନେ ପକାଇବାର ଏହି ଅଭ୍ୟାସ ହିଁ ଆଜି ତାଙ୍କ ଜୀବନର ଏକ ବଡ଼ ସାହାରା ପାଲଟିଛି।ସତରେ, କିଛି ସମ୍ପର୍କ ମୃତ୍ୟୁ ପରେ ବି ଶେଷ ହୁଏନାହିଁ। ମଣିଷ ଚାଲିଯାଏ, କିନ୍ତୁ ତାଙ୍କ ସ୍ମୃତି, ଭଲପାଇବା ଓ ସାଙ୍ଗରେ କାଟିଥିବା ମୁହୂର୍ତ୍ତଗୁଡ଼ିକ ଜୀବନର ଶେଷ ପର୍ଯ୍ୟନ୍ତ ସାଥୀ ହୋଇ ରହିଯାଏ। ।