ଢାକା: ବାଂଲାଦେଶ ରାଜନୀତିରେ ଏକ ନୂଆ ବିବାଦ ଦେଖା ଦେଇଛି। ବିରୋଧୀ ଦଳ ସାଂସଦ ତଥା ଜମାତ-ଏ-ଇସ୍ଲାମୀ ନେତା ଅଖତର ହୋସେନ ସଂସଦରେ ଆଶଙ୍କା କରିଛନ୍ତି ଯେ ପଡୋଶୀ ଦେଶରୁ ବାଂଲାଦେଶକୁ ବହୁ ସଂଖ୍ୟାରେ ମୁସଲମାନଙ୍କ ଅନୁପ୍ରବେଶ ହୋଇପାରେ।ସେ ଏହାକୁ ବାଂଲାଦେଶ ବିରୋଧରେ ଭାରତର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଭାରତ ଶରଣାର୍ଥୀ ସଂକଟ ସୃଷ୍ଟି କରି ବାଂଲାଦେଶର ଅର୍ଥ ବ୍ୟବସ୍ଥା ଓ ସଂସାଧନ ଉପରେ ବୋଝ ପକାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି।

ଭାରତୀୟ ନିର୍ବାଚନ ସନ୍ଦର୍ଭରେ ବୟାନ
ସଂସଦରେ ହୋସେନଙ୍କ ଏହି ଟିପ୍ପଣୀ ନିକଟରେ ଭାରତରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନର ଏଗଜିଟ୍ ପୋଲ ପରେ ଆସିଛି। ଏଗଜିଟ୍ ପୋଲରେ ଆସାମରେ ବିଜେପିର ସମ୍ଭାବିତ ବିଜୟ ଓ ପଶ୍ଚିମବଙ୍ଗରେ ଶାସକ ଟିଏମସି ଓ ବିଜେପି ମଧ୍ୟରେ ମୁହାଁମୁହିଁ ଟକ୍କରର ପୂର୍ବାନୁମାନ କରାଯାଇଛି। ହୋସେନ ପଶ୍ଚିମବଙ୍ଗରେ ଶାସକ ଟିଏମସି ଉପରେ ‘ମୁସଲମାନ ତୁଷ୍ଟିକରଣ’ ଓ ଅବୈଧ ପ୍ରବାସୀଙ୍କୁ ଶରଣ ଦେବାର ଆରୋପ ଲଗାଇ କହିଛନ୍ତି ଯେ ନିର୍ବାଚନ ଫଳାଫଳ ପରେ ଦେଶର ସୀମାବର୍ତ୍ତି କ୍ଷେତ୍ରରେ ଉତ୍ତେଜନା ବଢିବ ପାରେ ।

ମନେ ପକାଇଲେ ରୋହିଙ୍ଗ୍ୟା ସଂକଟ କଥା
ଅଖତାର ହୋସେନ ମ୍ୟାଁମାରରୁ ଆସିଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଉଦାହରଣ ଦେଇ କହିଛନ୍ତି ଯେ ବାଂଲାଦେଶ ପୂର୍ବରୁ ମଧ୍ୟ ମାନବୀୟ ସଂକଟର ସମ୍ମୁଖୀନ ହୋଇଛି। ସେ କହିଛନ୍ତି ଯେ ଯେଉଁପରି ମ୍ୟାଁମାରର ରାଖାଇନ ରାଜ୍ୟରୁ ରୋହିଙ୍ଗ୍ୟା ମୁସଲମାନଙ୍କୁ ଧକା ଦିଆଗଲା ସେହିପରି ଶରଣାର୍ଥୀ ଲହର ପଡୋଶୀ ଦେଶ ଭାରତ ମଧ୍ୟ ସୃଷ୍ଟି କରିପାରେ। ହୋସେନଙ୍କ ଏହି ବୟାନକୁ ଏବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମାଙ୍କ ସେହି ବୟାନ ସହ ଯୋଡି ଦେଖା ଯାଉଛି ଯେଉଁଥିରେ ସେ ଅବୈଧ ବାଂଲାଦେଶୀଙ୍କୁ ଫେରସ୍ତ ପଠାଇବାର କଥା କହି ଆସୁଛନ୍ତି।

ସୀମାରେ ପୁସ୍-ଇନ୍ ଦାବି
ବାଂଲାଦେଶ ସଂସଦରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଏନସିପି ସଂଯୋଜକ ନାହିଦ ଇସ୍ଲାମ ନାହିଦ ସୀମାରେ ହେଉଥିବା ହତ୍ୟାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି ଯେ ପୂର୍ବରୁ ବାଂଲାଦେଶ ସୀମାକୁ ୪ ହଜାର ଲୋକଙ୍କୁ ଧକ୍କା ଦିଆଯାଇଛି। ଏଣୁ ସେ ସଂସଦକୁ ସତର୍କ କରିଛନ୍ତି ଯେ ଆଗାମୀ ଦିନରେ ଏହି ସଂକଟ ଆହୁରି ଗୁରୁତର ହୋଇପାରେ।

ସାର୍ବଭୌମତ୍ୱର ସୁରକ୍ଷା ଲାଗି ଏକଜୁଟ ହେବାକୁ ଆହ୍ୱାନ
ଏଥିରେ ନ୍ୟାସନାଲ ସିଟିଜେନ ପାର୍ଟି ସାଂସଦମାନେ ବାଂଲାଦେଶ ଜନତାଙ୍କୁ ୧୯୭୧ ସ୍ୱାଧୀନତା ଆନ୍ଦୋଳନ ଓ ୨୦୨୪ ଜୁଲାଇ ଆନ୍ଦୋଳନ ଭଳି ଏକଜୁଟ ହେବାକୁ ଅପିଲ କରିଛନ୍ତି। ହୋସେନ କହିଛନ୍ତି ଯେ ଆମେ ଏକ ଜଟିଳ ଭୂ-ରାଜନୈତିକ କ୍ଷେତ୍ରରେ ଅବସ୍ଥାନ କରୁଛେ। ଆମେ ଆମର ସାର୍ବଭୌମତ୍ୱ ଓ ସ୍ୱତନ୍ତ୍ରତା ଉପରେ ଥୋପା ଯାଉଥିବା ଯେ କୌଣସି ପ୍ରକାରର ବାହ୍ୟ ନିଷ୍ପତ୍ତି ବିରୋଧରେ ଆମକୁ ମଜଭୁତ ଭାବେ ଛିଡା ହେବାକୁ ପଡିବ।