ଭୁବନେଶ୍ୱର: ଛାତ୍ର ନିର୍ବାଚନକୁ ନେଇ ଏବିଭିପି ପକ୍ଷରୁ ନିର୍ବାଚନୀ ଇସ୍ତହାର ଉନ୍ମୋଚନ କରାଯାଇଛି । ଏବିଭିପିର ମୁଖ୍ୟ କାର୍ଯ୍ୟଳୟରେ ଏହାକୁ ଉନ୍ମୋଚନ କରାଯାଇଛି । ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କ୍ୟାମ୍ପସକୁ ଭୟ ମୁକ୍ତ କରିବାକୁ ଇସ୍ତହାରରେ ଗୁରୁତ୍ୱ ଦିଆଯାଇଛି । ଏହା ଛଡ଼ା ଶିକ୍ଷାର ଗୁଣବତ୍ତା, ଅଧ୍ୟାପକ ପଦବୀ ପୁରୁଣ, ୱାଡର୍ଣ୍ଣ ପଦବୀ ପୂରଣକୁ ନେଇ ସଂକଳ୍ପ ପତ୍ରରେ ଉଲ୍ଲେଖ ହୋଇଛି । ଛାତ୍ରୀଙ୍କ ପାଇଁ ସୁରକ୍ଷା , ପଠା ପଢ଼ା ସହ ରୋଜଗାର ଶିକ୍ଷାକୁ ଗୁରୁତ୍ୱ ଦେବା ପାଇଁ ସଂକଳ୍ପ ପତ୍ରରେ ଉଲ୍ଲେଖ କରାଯାଇଛି ।

ଏପଟେ ଛାତ୍ର ହିଂସାକୁ ପୂରା ଏବିଭିପି ନିନ୍ଦା କରେ ବୋଲି କହିଛନ୍ତି ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବୀରେନ୍ଦ୍ର ସିଂ ସୋଲାଙ୍କି । ସେ କହିଛନ୍ତି, “ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିଦ୍ୟାର୍ଥୀଙ୍କ ହକ୍ ପାଇଁ ଲଢ଼େ । ୩୬୫ ଦିନ ଏବିଭିପି ଛାତ୍ରଛାତ୍ରୀଙ୍କ ସହ ରହିଛି । ନିର୍ବାଚନକୁ ନେଇ ପ୍ରସ୍ତୁତି କରିବାର ଆବଶ୍ୟକତା ନାହିଁ । ଯେଉଁମାନେ ଛାତ୍ରଙ୍କ ସହ ନାହାନ୍ତି ତାଙ୍କୁ ପ୍ରସ୍ତୁତ ହେବାର ଅବଶ୍ୟକତା ରହୁଛି । ଛାତ୍ର ନିର୍ବାଚନ ପାଇଁ ଠିକ ସମୟ ରହିଛି ।“

ସେ କହିଛନ୍ତି, ଓଡିଶାରେ ନିର୍ବାଚନ ବନ୍ଦ ହେବା ପରଠାରୁ ନିର୍ବାଚନ କରିବା ପାଇଁ ଏବିଭିପି ଦାବି କରିଆସୁଥିଲା । ନେତୃତ୍ୱ ସୃଷ୍ଟି କରିବା ପାଇଁ ଏହାର ଆବଶ୍ୟକତା ରହିଛି । ପୂର୍ବ ସରକାର ଏହାକୁ ବନ୍ଦ କରିଦେଲେ । ଦୀର୍ଘ ୮ ବର୍ଷ ପରେ ଓଡିଶାରେ ଛାତ୍ର ନିର୍ବାଚନ ହେଉଛି । ଏବିଭିପି ସହ ଛାତ୍ରଛାତ୍ରୀ ଅଛନ୍ତି । ଓଡିଶାର ୧୭ଟି କଲେଜ ରେ ୨୩୦ ପଦବୀ ଏବିଭିପି ନିର୍ଦ୍ୱନ୍ଦ୍ୱରେ ରହିଛି । ଆଗକୁ ନିର୍ବାଚନରେ ମଧ୍ୟ ସମ୍ପୂର୍ଣ ବାଜିମାତ କରିବ ବୋଲି କହିଛନ୍ତି ।