ନୂଆଦିଲ୍ଳୀ ୦୩।୦୯; ଆମେରିକାର ପ୍ରସିଦ୍ଧ ବିୟର କମ୍ପାନୀ 'ପାବ୍ଷ୍ଟ ବ୍ଲୁ ରିବନ' (Pabst Blue Ribbon)ରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। କମ୍ପାନୀର ପ୍ରାୟ ୪୦,୦୦୦ ପାଉଣ୍ଡ (୧୮,୦୦ କିଲୋଗ୍ରାମ) ପ୍ରାୟ ୩୪,୦୦୦ କ୍ୟାନ୍ ବିୟର ଚୋରି ହୋଇଯାଇଛି। ଏହି ଅଭାବନୀୟ ଘଟଣାକୁ କମ୍ପାନୀ ଏକ ଅତ୍ୟନ୍ତ ଆକର୍ଷଣୀୟ ଓ ହାସ୍ୟରସପୂର୍ଣ୍ଣ ଢଙ୍ଗରେ ସୋସିଆଲ ମିଡିଆରେ ଉପସ୍ଥାପିତ କରିଛି।

ଟେକ୍ସାସ-ସ୍ଥିତ ଏହି କମ୍ପାନୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛି, ଯେଉଁଥିରେ ଏକ ଡେଲିଭରି ଟ୍ରକର ଫଟୋରେ ବଡ଼ ଅକ୍ଷରରେ "STOLEN" ବା ଚୋରି ବୋଲି ଲେଖାଯାଇଛି। କମ୍ପାନୀ ସିଧାସଳଖ ଚୋରମାନଙ୍କୁ ଟାର୍ଗେଟ କରି ଲେଖିଛି ଯେ, ବନ୍ଧୁମାନଙ୍କ ଆଗରେ ଏତେ ବିୟର ପାଇଥିବାରୁ ସେମାନେ ଗର୍ବ କରିପାରନ୍ତି, କିନ୍ତୁ ଦୁଃଖର କଥା ଏହା ସଚ୍ଚୋଟ ଭାବେ ମିଳି ନଥିଲା। ଏଥିସହ କମ୍ପାନୀ ଚୋରମାନଙ୍କୁ ଟ୍ରକ୍ ଫେରାଇବା ପାଇଁ ଠିକ୍ '୧୮ ଦିନ ଏବଂ ୪୪ ମିନିଟ୍'ର ଏକ ଅଜବ ସମୟସୀମା ଦେଇଛି। ଯାହାଫଳରେ କୌଣସି ପ୍ରଶ୍ନ ପଚରାଯିବ ନାହିଁ ଏବଂ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ପୁରସ୍କୃତ ମଧ୍ୟ କରାଯିବ। ଲୋକମାନେ ଏହାକୁ କେବଳ ଏକ ମାର୍କେଟିଂ ଷ୍ଟଣ୍ଟ ବୋଲି ନ ଭାବିବା ପାଇଁ, କମ୍ପାନୀ ପୋଷ୍ଟର ଶେଷରେ ସ୍ପଷ୍ଟ ଭାବରେ କହିଛି ଯେ ଏହା ବାସ୍ତବ ଏବଂ ସେମାନେ ସମ୍ପୂର୍ଣ୍ଣ ଗମ୍ଭୀର।

ପ୍ରକୃତରେ ଗତ ଅଗଷ୍ଟ ୧୭ ତାରିଖରେ କାଲିଫର୍ନିଆର ମଣ୍ଟକ୍ଲେୟାରରେ ଜାଲ କାଗଜପତ୍ର ବ୍ୟବହାର କରି ଏହି କାର୍ଗୋ ଚୋରି କରାଯାଇଥିଲା। ଏହି ଅଜବ ଚୋରି ସମସ୍ତଙ୍କୁ ଚଳିତ ବର୍ଷ ଆରମ୍ଭର ସେହି ଘଟଣା କଥା ମନେ ପକାଇ ଦେଇଛି, ଯେତେବେଳେ ୟୁରୋପରେ ୧୨ ଟନ୍ ଅର୍ଥାତ୍ ୪,୦୦,୦୦୦ରୁ ଅଧିକ 'କିଟକ୍ୟାଟ୍' ଚକୋଲେଟ୍ ଚୋରି ହୋଇଥିଲା। ଏହି ପୋଷ୍ଟରେ କିଟକ୍ୟାଟ୍ ମଧ୍ୟ ମଜାକିଆ ଢଙ୍ଗରେ କମେଣ୍ଟ କରି ଲେଖିଛି ଯେ ଏଭଳି ମାମଲାରେ ସେମାନଙ୍କର ପ୍ରଚୁର ଅଭିଜ୍ଞତା ରହିଛି।