ପଦ୍ମପୁର ୨୪।୬:  ଧାନ ବିକ୍ରି ସମସ୍ୟା ଓ ପ୍ରଶାସନିକ ଅବହେଳା ଯୋଗୁଁ ପୁଣି ଚର୍ଚ୍ଚାରେ ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା । ବ୍ୟବସ୍ଥାର ଚକ୍ରବ୍ୟୂହରେ ଚାପି ହୋଇ ଶେଷରେ ରାଷ୍ଟ୍ରପତିଙ୍କ ନିକଟରେ ‘ଇଚ୍ଛାମୃତ୍ୟୁ’ ପାଇଁ ଆବେଦନ କରିଛନ୍ତି ଜଣେ ଯୁବ ଚାଷୀ । ଏଭଳି ଏକ ସମ୍ବେଦନଶୀଳ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ମେଲଛାମୁଣ୍ଡା ଗ୍ରାମରୁ ।

ସୂଚନାଯୋଗ୍ୟ ଯେ, ମେଲଛାମୁଣ୍ଡା ଗ୍ରାମର ଯୁବ ଚାଷୀ ଗୋପାଳ ସାହୁ ଚଳିତ ରବି ଋତୁରେ କଷ୍ଟେମଷ୍ଟେ ଧାନ ଚାଷ କରିଥିଲେ । ହେଲେ ଧାନ ବିକ୍ରି ସମୟରେ ତାଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳିପାରିନାହିଁ । ଘରେ ରୋଗୀଣା ମାଆଙ୍କ ଚିକିତ୍ସା ଏବଂ ଅନ୍ୟାନ୍ୟ ଜରୁରୀ ଖର୍ଚ୍ଚ ତୁଲାଇବା ପାଇଁ ସେ ବାଧ୍ୟ ହୋଇ ଅତି କମ୍ ମୂଲ୍ୟରେ କିଛି ଧାନ ଖୋଲା ବଜାରରେ ବିକ୍ରି କରିଦେଇଥିବା ବେଳେ ବାକି ରହିଥିବା ଧାନତକ ସରକାରୀ ମଣ୍ଡିରେ ବିକ୍ରି କରିବା ଆଶାରେ ଗୋପାଳ ଦୀର୍ଘ ଦିନ ହେବ ଟୋକନ୍କୁ ଅପେକ୍ଷା କରି ରହିଛନ୍ତି । ଏଥିପାଇଁ ସେ ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିଜର ଗୁହାରି ଜଣାଇଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ସୁଫଳ ନମିଳିବା ତଥା କେହି ତାଙ୍କ ଦୁଃଖ ନଶୁଣିବାରୁ ଶେଷରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ।

Also Read:- ଓଡ଼ିଶାରେ ପ୍ରଥମ ଥର ‘ମଲ୍ଟି ଏଜେନ୍ସି ମାରିଟାଇମ ସିକ୍ୟୁରିଟି ଗ୍ରୁପ’ ବୈଠକ, ମୁଖ୍ୟମନ୍ତ୍ରୀ କହିଲେ- ସମୁଦ୍ର ଆମ ପାଇଁ ସୀମା ନୁହେଁ ନିବେଶର ପ୍ରବେଶ ପଥ

ଚାଷ କାର୍ଯ୍ୟ ପାଇଁ କରିଥିବା ଧାର-କରଜର ବୋଝ ଗୋପାଳଙ୍କ ମୁଣ୍ଡ ଉପରେ ଚାପ ସୃଷ୍ଟି କରିଥିବା ବେଳେ ପ୍ରଶାସନର ନୀରବତା ତାଙ୍କୁ ମାନସିକ ଚାପଗ୍ରସ୍ତ କରିଛି । ଅନ୍ୟ କୌଣସି ଉପାୟ ନପାଇ ସେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ଚରମ ପଦକ୍ଷେପ ସ୍ୱରୂପ ଇଚ୍ଛାମୃତ୍ୟୁ ଆବେଦନ କରିଛନ୍ତି । ସେ ଜିଲ୍ଲାପାଳଙ୍କ ଜରିଆରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏହି ପତ୍ର ପ୍ରଦାନ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Watch Video: