ନୌହାଟୀ: ବିଜେପି ବିଧାୟକ ତଥା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ବଂଶଜ ସୁମିତ୍ରୋ ଚାଟାର୍ଜୀ ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ପାଳନ କାଳରେ ଏଆଇସିସି ମୁଖ୍ୟାଳୟରେ ଘଟିଥିବା କଥିତ ଘଟଣାକୁ ନେଇ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନିସର୍ତ୍ତ କ୍ଷମାଯାଚନା ନିମନ୍ତେ ଦାବି କରିଛନ୍ତି। ଚାଟାର୍ଜୀ ଅଭିଯୋଗ କରିଛନ୍ତି ଯେ କାର୍ଯ୍ୟକ୍ରମ କାଳରେ ବନ୍ଦେ ମାତରମ ଗୀତର ପୁରା ସଂସ୍କରଣ ଗାନ କାଳରେ ସୋନିଆ ବିଚଳିତ ଥିଲେ ଓ ଗୀତକୁ ରୋକିବାକୁ ବାରମ୍ବାର ଉଦ୍ୟମ କରୁଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚାଟାର୍ଜୀ ଏହି କଥିତ ଘଟଣାକୁ କେବଳ ଦୁର୍ଭାଗ୍ୟପୂର୍ଣ୍ଣ ନୁହେଁ ବରଂ ଐତିହାସିକ ଭୁଲକୁ ଲଜ୍ଜାଜନକ ଭାବେ ଦହରାଇଥିବାର ଅଭିଯୋଗ କରିଛନ୍ତି।

ଏ ନେଇ ପଶ୍ଚିମବଙ୍ଗ ନୌହାଟୀର ବିଜେପି ବିଧାୟକ ସୁମିତ୍ରୋ ଚାଟାର୍ଜୀ ସୋନିଆ ଗାନ୍ଧିଙ୍କୁ ଏକ ପତ୍ର ଲେଖିଛନ୍ତି। ଜଣେ ସାଧାରଣ ନାଗରିକ, ଦେଶଭକ୍ତ ତଥା ବଙ୍କିମ ଚଟ୍ଟୋପାଧ୍ୟାୟଙ୍କ ବଂଶଜ ଭାବେ ସେ ଏହି ପତ୍ର ଲେଖୁଥିବା ଉଲ୍ଲେଖ କରିଥିବା ବେଳେ ଘଟଣାକୁ ନେଇ ଗଭୀର ଦୁଃଖ, ଶୂନ୍ୟତା ଓ ନିଜର ଅସନ୍ତୋଷ ପ୍ରକାଶ କରୁଥିବା ଲେଖିଛନ୍ତି। ଚାଟାର୍ଜୀ ଲେଖିଛନ୍ତି ଯେ ସ୍ୱାଧୀନ ଭାରତରେ ବନ୍ଦେ ମାତରମ ପୁରା ଗୀତ ଗାଇବାକୁ କୌଣସି ପ୍ରକାରର ଦ୍ୱିବିଧା ଖୁଦିରାମ ବୋଷଙ୍କ ଭଳି ସ୍ୱଧୀନତା ସଂଗ୍ରାମୀଙ୍କ ବଳିଦାନକୁ ଅସମ୍ମାନ ଅଟେ।

ଚାଟାର୍ଜୀ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଏହି ଗୀତର ଗୁରୁତ୍ୱ ଉପରେ ଉଲ୍ଲେଖ କରି କହିଛନ୍ତି ଯେ ୧୮୯୬ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ କୋଲକାତା ଅଧିବେଶନରେ ନିଜେ ରବିନ୍ଦ୍ର ନାଥ ଟାଗୋର ବନ୍ଦେ ମାତରମ ଗାନ କରିଥିଲେ। ପରେ ୧୯୦୫ ବନାରସ କଂଗ୍ରେସ ଅଧିବେଶନରେ ସରଳା ଦେବୀ ଚୌଧରାନୀ ଏହି ଗୀତ ଗାନ କରିଥିଲେ। ସେ ଏହା ବି ମନେ ପକାଇ ଦେଇଛନ୍ତି ଯେ ୧୯୦୯ ରାଜଦ୍ରୋହ ମୋକଦ୍ଦମା କାଳରେ ବାଲ ଗଙ୍ଗାଧର ତିଲକଙ୍କ ସମର୍ଥକମାନେ ଏହି ଗୀତ ଗାଉଥିଲେ ଓ ୧୯୩୮ରେ ହାଇଦ୍ରାବାଦର ଓସମାନିୟା ୟୁନିଭର୍ସିଟିରେ ନିଜାମଙ୍କ କଟକଣା ସତ୍ତ୍ୱେ ରାଷ୍ଟ୍ରବାଦୀ ଛାତ୍ରମାନେ ଉତ୍ସାହ ଦେବା ଭଳି ଏହି ଗୀତକୁ ଗାନ କରୁଥିଲେ।

ବିଜେପି ବିଧାୟକ ଅଭିଯୋଗ କରିଛନ୍ତିଯେ ଗୀତକୁ ନେଇ କଂଗ୍ରେସର ଦୋହରା ନୀତି କାହାରିକୁ ଅଛପା ନାହିଁ। ସେ ମହମ୍ମଦ ଅଲୀ ଜିନ୍ନାଙ୍କ ଆପତ୍ତି ପରେ ୧୯୩୭ରେ ବନ୍ଦେ ମାତରମ ଗୀତକୁ ସଂକ୍ଷିପ୍ତ କରିବା ପାଇଁ କଂଗ୍ରେସ ପାର୍ଟିର ନିଷ୍ପତ୍ତି ଉଲ୍ଲେଖ କରି କହିଛନ୍ତି ଯେ ସେହି ବୁଝାମଣାର ଝଲକ ପାର୍ଟିର ବ୍ୟବହାରରେ ପୁଣି ଦେଖିବାକୁ ମିଳୁଛି। ସେ କହିଛନ୍ତି ବନ୍ଦେ ମାତରମ କୌଣସି ପାର୍ଟିର ସମ୍ପତ୍ତି ନୁହେଁ, ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନରେ ମିଳିଥିବା ଏକ ଜାତୀୟ ପ୍ରତୀକ। ଏହାକୁ ସମ୍ମାନ କରିବା ଦେଶର ସ୍ୱାଧୀନତା ସଂଗ୍ରାମକୁ ସମ୍ମାନ କରିବା ସହିତ ସମାନ।

ମାମଲା କ’ଣ?
ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ବନ୍ଦେ ମାତରମ ଗାନ କାଳରେ ସୋନିଆ ଗାନ୍ଧିଙ୍କୁ ମଲ୍ଲିକାର୍ଜୁନ ଖଡଗେଙ୍କ ସହିତ କଥା ହେଉଥିବାର ଦେଖା ଯାଉଛି। ଏହା ପରେ ସୋନିଆ ଓ ଖଡଗେ ଗୀତକୁ ଅଟକାଇବା ପାଇଁ ଇଶାରା କରୁଥିବା ଦେଖା ଯାଉଛନ୍ତି। ତେବେ ଏ ବାବଦେ ହେଉଥିବା ଅଭିଯୋଗକୁ କଂଗ୍ରେସ ଅସ୍ୱୀକାର କରିଛି। କହିଛି ଯେ ବନ୍ଦେ ମାତରମ ଗୀତର ପୁରା ସଂସ୍କରଣକୁ ରୋକିବାକୁ କୌଣସି ଉଦ୍ୟମ କରାଯାଇ ନଥିଲା। କଂଗ୍ରେସ କହିଛି ଯେ ଏହି ସମୟରେ ସୋନିଆ ଗାନ୍ଧି କେବଳ ଖଡଗେଙ୍କ ଲାଗି ଏକ ଚେୟାର ମାଗୁଥିଲେ। ତେବେ ଯାହା ଆକାଳନ କରାଯାଉଛି ତାହା ସମ୍ପୂର୍ଣ୍ଣ ଭୁଲ ଓ ଗୀତ ସମ୍ପୂର୍ଣ୍ଣ ଗାନ କାରଯାଇଛି।