ଭଦ୍ରକ: ଲଗାଣ ବର୍ଷା ପରେ ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ଜାରି ରହିଛି। ତେବେ ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବାରୁ ଆଶ୍ୱସ୍ତ ହୋଇଛି ପ୍ରଶାସନ। ବନ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ନଜରରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲାର ୪ଟି ବ୍ଲକରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରାଯାଇଛି।

ଭଦ୍ରକ, ତିହିଡ଼ି, ଧାମନଗର ଓ ଚାନ୍ଦବାଲି ବ୍ଲକର ମୋଟ ୨୦୫ଟି ସ୍କୁଲ ବନ୍ଦ ରହିବ। ସେହିପରି ଏହି ୪ଟି ବ୍ଲକର ୨୬୫ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯାଇଛି।

ଅନ୍ୟପଟେ ବୈତରଣୀ ନଦୀର ଆଖୁଆପଦା ଆନିକଟ ନିକଟରେ ବିପଦ ସଙ୍କେତ ୧୮.୩୩ ମିଟର ରହିଥିବା ବେଳେ ନଦୀ ଏବେ ୧୭.୫୨ ମିଟର ଉଚ୍ଚତାରେ ପ୍ରବାହିତ ହେଉଛି। ଅର୍ଥାତ୍ ବୈତରଣୀ ଏବେ ବିପଦ ସଙ୍କେତଠାରୁ ତଳେ ରହିଛି। ସେହିପରି ରାଜଘାଟ ନିକଟରେ ସାଳନ୍ଦୀ ନଦୀର ବିପଦ ସଙ୍କେତ ୧୭ ଫୁଟ ଥିବା ବେଳେ ବର୍ତ୍ତମାନ ଏହା ମଧ୍ୟ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି।

ଚଳିତ ବନ୍ୟାରେ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ, ଧାମନଗର, ତିହିଡ଼ି, ଚାନ୍ଦବାଲି ଓ ଭଦ୍ରକ ବ୍ଲକ ପ୍ରଭାବିତ ହୋଇଛି। ଜିଲ୍ଲାର ୪୬ଟି ପଞ୍ଚାୟତ ଅଧୀନରେ ଥିବା ୨୧୨ଟି ଗାଁ ବନ୍ୟା ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ବନ୍ୟା ଯୋଗୁଁ ଜିଲ୍ଲାରେ ୨ ଲକ୍ଷ ୭୯ ହଜାର ୭୦୪ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପ୍ରଭାବିତଙ୍କ ପାଇଁ ଜିଲ୍ଲାରେ ୧୨୨ଟି ଫ୍ରି କିଚେନ ଚାଲୁ ରହିଛି।

also read- ଆସୁଛି ଆଉ ଏକ ଲଘୁଚାପ, ୨୫ରୁ ଅତି ପ୍ରବଳ ବର୍ଷା ! ଏଥର ଏହି ସବୁ ଜିଲ୍ଲାରେ ଛେଚିବ

ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଉପରେ ନଜର ରଖାଯାଇଛି। ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ଆଗାମୀ ବର୍ଷାକୁ ନେଇ ପ୍ରଶାସନ ସଜାଗ ରହିଛି।