ମୁମ୍ବାଇ: ମୁମ୍ବାଇ-ଗୋଆ ଜାତୀୟ ରାଜପଥ (NH-66)ର ଅବସ୍ଥା ବର୍ତ୍ତମାନ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଦୀର୍ଘ ୧୪ ବର୍ଷର ନିର୍ମାଣ କାର୍ଯ୍ୟ ଏବଂ ୧୬,୦୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବା ସତ୍ତ୍ୱେ ମୌସୁମୀର ପ୍ରଥମ ବର୍ଷାରେ ହିଁ ଏହି ରାଜପଥର ଅବସ୍ଥା ବେହାଲ ହୋଇପଡ଼ିଛି । ନୂଆ କରି ତିଆରି ହୋଇଥିବା ସିମେଣ୍ଟ-କଂକ୍ରିଟ୍ ଓ ପିଚୁ ରାସ୍ତାରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି । ଏହା ଏବେ ଗାଡ଼ି ଚାଳକଙ୍କ ପାଇଁ ବଡ଼ ବିପଦ ସାଜିଛି।

ପ୍ରାୟ ୪୪୦ କିଲୋମିଟର ଦୀର୍ଘ ଏହି ଜାତୀୟ ରାଜପଥରେ ଏବେ ବି ଅନେକ ସ୍ଥାନରେ ରାସ୍ତା କାମ, ପୋଲ ଏବଂ ବାଇପାସ୍ ନିର୍ମାଣ କାମ ଅଧାପନ୍ତରିଆ ହୋଇପଡ଼ିଛି। ବର୍ଷା ଯୋଗୁଁ ରାସ୍ତାରେ ପାଣି ଜମି ରହୁଛି ଏବଂ ଅନେକ ସ୍ଥାନରେ ଗାଡ଼ି ଚଳାଚଳ ପାଇଁ ଡାଇଭର୍ସନ୍ (Diversion) ଦିଆଯାଇଛି। ଫଳରେ ନିୟମିତ ଭାବରେ କିଲୋମିଟର କିଲୋମିଟର ଲମ୍ବର ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳୁଛି।

ରାସ୍ତା କାମ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ମେ ମାସ ମଧ୍ୟଭାଗରୁ ପନଭେଲ୍ ଏବଂ ପେନ୍ ମଧ୍ୟରେ ଥିବା ଖରପାଡ଼ା ଟୋଲ୍ ପ୍ଲାଜା ରେ ଟୋଲ୍ ଆଦାୟ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଟୋଲ୍ ଫି’ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଖରାପ ରାସ୍ତା ପାଇଁ ୧୦୦ ଟଙ୍କା ଟୋଲ୍ ଦେବାକୁ ନେଇ ସ୍ଥାନୀୟ ଲୋକ ଓ ଗାଡ଼ି ଚାଳକମାନେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଟୋଲ୍‌ରୁ ବଞ୍ଚିବା ପାଇଁ ଅନେକ ଯାତ୍ରୀ ଓ ସ୍ଥାନୀୟ ଲୋକେ ସର୍ଭିସ୍ ରୋଡ୍ ଏବଂ ବିପଜ୍ଜନକ ବିକଳ୍ପ ରାସ୍ତା ଦେଇ ଯାତାୟାତ କରୁଛନ୍ତି।

ଜାତୀୟ ରାଜପଥରେ ସୁରକ୍ଷାକୁ ନେଇ ଆଉ ଏକ ବଡ଼ ସମସ୍ୟା ସାମ୍ନାକୁ ଆସିଛି। ଜଙ୍ଗଲୀ ଜୀବଜନ୍ତୁ (ବିଶେଷ କରି ମାଙ୍କଡ଼)ଙ୍କ ସୁରକ୍ଷିତ ଯାତାୟତ ପାଇଁ ୨୦୨୧ରେ ନିର୍ମାଣ କରାଯାଇଥିବା 'ମଙ୍କି ବ୍ରିଜ୍' ଭାଙ୍ଗି ପଡ଼ିଛି। ଏହି ବ୍ରିଜଟି ଭାଙ୍ଗିଯିବା ଫଳରେ ମାଙ୍କଡ଼ମାନେ ଏବେ ସିଧାସଳଖ ରାଜପଥ ଉପରେ ଦୌଡ଼ି ରାସ୍ତା ପାର୍ ହେଉଛନ୍ତି, ଫଳରେ ଭାରୀ ଗାଡ଼ି ସହ ଦୁର୍ଘଟଣା ଘଟିବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଛି। ପୂର୍ବରୁ ମଧ୍ୟ ଜଣେ ବାଇକ୍ ଚାଳକ ମାଙ୍କଡ଼କୁ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଥିଲେ।