ଉତ୍ତରାଖଣ୍ଡ ୨୩। ୦୪: ସମଗ୍ର ବିଶ୍ୱର ଅଗଣିତ ଶ୍ରଦ୍ଧାଳୁଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଧ୍ୟାତ୍ମିକତାର ମହାକୁମ୍ଭ 'ଚାରିଧାମ ଯାତ୍ରା-୨୦୨୬'ର ଶୁଭାରମ୍ଭ ସହ ଆଜି ବଦ୍ରୀନାଥ ଧାମର ଦ୍ୱାର ଫିଟିଛି । ପାରମ୍ପରିକ ରୀତିନୀତି ଏବଂ ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ଶୁକ୍ରବାର ସକାଳ ୬ଟା ୧୫ ମିନିଟରେ ଭଗବାନ ବଦ୍ରୀ ବିଶାଳଙ୍କ ମନ୍ଦିରର କବାଟ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଉନ୍ମୁକ୍ତ କରାଯାଇଛି । ମନ୍ଦିରର ଦ୍ୱାର ଖୋଲିବା ଅବସରରେ ଭଗବାନଙ୍କ ଦରବାରକୁ କୁଇଣ୍ଟାଲ କୁଇଣ୍ଟାଲ ଫୁଲରେ ସଜାଯାଇଥିଲା । ଧାର୍ମିକ ବିଧି ଅନୁଯାୟୀ, କବାଟ ଖୋଲିବା ମାତ୍ରେ ସର୍ବପ୍ରଥମେ ମାତା ଲକ୍ଷ୍ମୀଙ୍କୁ ତାଙ୍କ ମନ୍ଦିରରେ ବିରାଜମାନ କରାଯାଇଥିଲା । ଏହା ସହିତ ଦକ୍ଷିଣ ଦ୍ୱାର ଦେଇ ଭଗବାନ କୁବେର ଏବଂ ଉଦ୍ଧବ ଜୀଙ୍କ ମୂର୍ତ୍ତିକୁ ମନ୍ଦିର ପରିସର ମଧ୍ୟକୁ ଅଣାଯାଇଥିଲା । ବର୍ତ୍ତମାନ ଉଦ୍ଧବ ଓ କୁବେର ଜୀ ଗର୍ଭଗୃହରେ ଅବସ୍ଥାପିତ ହୋଇଥିବାବେଳେ ମାତା ଲକ୍ଷ୍ମୀ ନିଜର ସ୍ୱତନ୍ତ୍ର ମନ୍ଦିରରେ ବିରାଜିତ ହୋଇଛନ୍ତି ।

ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ:

ବଦ୍ରୀନାଥ ଧାମର କବାଟ ଖୋଲିବା ଖବର ପ୍ରଚାରିତ ହେବା ମାତ୍ରେ ଦେଶ ତଥା ବିଦେଶରୁ ଆସିଥିବା ହଜାର ହଜାର ଭକ୍ତଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଜଣେ ଶ୍ରଦ୍ଧାଳୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଆମେ ଅନେକ ସମୟରୁ ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲୁ । ପ୍ରଭୁଙ୍କ ଦର୍ଶନ ସହିତ ଆମେ ଶ୍ରଦ୍ଧାଳୁଙ୍କ ପାଇଁ ଭଣ୍ଡାରା ଅର୍ଥାତ୍ ଅନ୍ନ ପ୍ରସାଦର ମଧ୍ୟ ବ୍ୟବସ୍ଥା କରିଛୁ ।" ଅନ୍ୟ ଜଣେ ଭକ୍ତଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ଭକ୍ତଙ୍କ ସଂଖ୍ୟା ଓ ଉତ୍ସାହ ପୂର୍ବ ବର୍ଷ ଅପେକ୍ଷା ଯଥେଷ୍ଟ ଅଧିକ ଦେଖିବାକୁ ମିଳୁଛି ।

୨୦୨୬ ଯାତ୍ରା ପାଇଁ ନୂତନ ନିୟମ:

ପ୍ରବେଶ ଉପରେ କଟକଣା: କେଦାରନାଥ, ବଦ୍ରୀନାଥ ଏବଂ ଗଙ୍ଗୋତ୍ରୀ ଭଳି ସମ୍ବେଦନଶୀଳ ତୀର୍ଥ ସ୍ଥଳରେ ଅଣ-ହିନ୍ଦୁଙ୍କ ପ୍ରବେଶ ପାଇଁ କେତେକ ବିଶେଷ ସର୍ତ୍ତ ଲାଗୁ କରାଯାଇଛି । ତେବେ ଯମୁନୋତ୍ରୀରେ ସମସ୍ତ ଧର୍ମାବଲମ୍ବୀଙ୍କୁ ପୂର୍ବପରି ଅନୁମତି ରହିଛି ।

ମୋବାଇଲ ଓ କ୍ୟାମେରା ନିଷିଦ୍ଧ: ମନ୍ଦିର ପରିସର ମଧ୍ୟରେ ମୋବାଇଲ ଫୋନ ଏବଂ କ୍ୟାମେରା ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଭକ୍ତମାନେ ଯେପରି ସୋସିଆଲ ମିଡିଆ ମୋହ ଛାଡ଼ି ଭଗବାନଙ୍କ ସ୍ମରଣରେ ନିଜକୁ ନିୟୋଜିତ କରିପାରିବେ, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଏହି ଅବସରରେ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ପୋଷ୍ଟ କରି ଲେଖିଛନ୍ତି, "ଆଜି ସମ୍ପୂର୍ଣ୍ଣ ରୀତିନୀତି ଏବଂ ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ପବିତ୍ର ବଦ୍ରୀନାଥ ଧାମ ଭକ୍ତଙ୍କ ପାଇଁ ଖୋଲାଯାଇଛି । ଭଗବାନ ବଦ୍ରୀନାଥଙ୍କ କୃପା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ । ଏହି ପବିତ୍ର ଅବସର ସମସ୍ତଙ୍କ ପାଇଁ ଆଧ୍ୟାତ୍ମିକ ଶକ୍ତି ଓ ବିଶ୍ୱାସର ବାର୍ତ୍ତା ବହନ କରୁ । ପବିତ୍ର ଚାରିଧାମ ଯାତ୍ରା-୨୦୨୬ ପାଇଁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଓ ଶୁଭେଚ୍ଛା ।"

Also Read-Kedarnath Dham: ଖୋଲିଲା ବିଶ୍ୱପ୍ରସିଦ୍ଧ କେଦାରନାଥ କପାଟ; ମନ୍ତ୍ର ଓ ବେଦ ଧ୍ୱନୀ ଉଚ୍ଚାରଣରେ କମ୍ପିଲା ମନ୍ଦିର ପରିସର