ଅଷ୍ଟ୍ରିଆ : ୬୩ ବର୍ଷ ପରେ ଗ୍ଲେସିୟରରୁ ଫେରିଲା ଏକ ପୁରୁଣା ବ୍ୟାକପ୍ୟାକ୍ ! ଯାହାକୁ ମୃତ୍ୟୁମୁଖରୁ ବଞ୍ଚିବା ପାଇଁ ୧୯୬୩ରେ ଜଣେ ପର୍ବତାରୋହୀ ଗ୍ଲେସିୟରର ଗଭୀର ଖାଲରେ ଫିଙ୍ଗି ଦେଇଥିଲେ। ବର୍ଷ ବର୍ଷ ଧରି ବରଫ ତଳେ ଚାପି ରହିବା ପରେ ଗ୍ଲେସିୟର ତରଳିବା ସହ ଏବେ ସାମ୍ନାକୁ ଆସିଛି ସେହି ପୁରୁଣା ସ୍ମୃତି । ଅଷ୍ଟ୍ରିଆର ଟାଇରୋଲ୍ ଅଞ୍ଚଳର ସଲଜଟାଲଫର୍ନ ଗ୍ଲେସିୟରରୁ ମିଳିଛି ୬୩ ବର୍ଷ ତଳର ଏକ ପୁରୁଣା ବ୍ୟାକପ୍ୟାକ୍ । ପ୍ରାୟ ୨,୯୫୫ ମିଟର ଉଚ୍ଚତାରେ ଜଣେ ପର୍ବତାରୋହୀ ଏହି ବ୍ୟାଗ୍ ସହ ଆଇସ୍ ଆକ୍ସ, କ୍ୟାମେରା ଏବଂ ଅନ୍ୟାନ୍ୟ ପୁରୁଣା ପର୍ବତାରୋହଣ ସାମଗ୍ରୀ ଦେଖିଥିଲେ। ଗ୍ଲେସିୟର ତରଳିବା ଯୋଗୁଁ ବରଫ ତଳେ ଦୀର୍ଘ ବର୍ଷ ଧରି ରହିଥିବା ଏହି ସାମଗ୍ରୀ ଏବେ ବାହାରକୁ ଆସିଥିଲା। ସାମଗ୍ରୀଗୁଡ଼ିକ ଏତେ ପୁରୁଣା ଦେଖାଯାଉଥିଲା ଯେ ପ୍ରଥମେ ପୋଲିସ୍ର ସନ୍ଦେହ ହୋଇଥିଲା ଏହା କୌଣସି ପୁରୁଣା ପର୍ବତ ଦୁର୍ଘଟଣା ସହ ଜଡ଼ିତ କି ? ତଦନ୍ତ ସମୟରେ ବ୍ୟାଗ୍ ଭିତରୁ ମିଳିଥିବା ଏକ ଜରାଜୀର୍ଣ୍ଣ ଡକ୍ୟୁମେଣ୍ଟ ଫୋଲ୍ଡରରୁ ଏକ ନାମର ସୁରାଗ ମିଳିଥିଲା। ସେହି ସୁରାଗ ଆଧାରରେ ପୋଲିସ୍ ଏହାର ମାଲିକଙ୍କୁ ଚିହ୍ନଟ କରିଥିଲା।

ଏହି ବ୍ୟାଗଟି ଆଲଫ୍ରେଡ୍ ରୋଥଫିଶରଙ୍କର ବୋଲି ଜଣାପଡ଼ିଥିଲା । ଆଜି ତାଙ୍କ ବୟସ ୮୬ ବର୍ଷ। ୧୯୬୩ ମସିହାରେ, ସେତେବେଳେ ତାଙ୍କ ବୟସ ମାତ୍ର ୨୩ ବର୍ଷ ଥିଲା। ସାଙ୍ଗମାନଙ୍କ ସହ ଉଚ୍ଚ ପର୍ବତାଞ୍ଚଳରେ ଯାତ୍ରା କରୁଥିବା ବେଳେ ସେ ହଠାତ୍ ଗ୍ଲେସିୟରର ଏକ ଗଭୀର ଫାଟରେ ପଡ଼ିଯାଇଥିଲେ। ସୌଭାଗ୍ୟବଶତଃ, ସେ ତାଙ୍କ ସାଥୀମାନଙ୍କ ସହ ଦଉଡ଼ିରେ ବନ୍ଧା ଥିଲେ। ତେଣୁ ସାଥୀମାନେ ତାଙ୍କୁ ଅଟକାଇବା ସହ ଉଦ୍ଧାର କରିପାରିଥିଲେ। କିନ୍ତୁ ଫାଟରୁ ବାହାରିବା ସମୟରେ ଓଜନ କମାଇବା ପାଇଁ ରୋଥଫିଶର ନିଜ ବ୍ୟାକପ୍ୟାକଟିକୁ ତଳକୁ ଫିଙ୍ଗି ଦେଇଥିଲେ। ସେତେବେଳେ ହୁଏତ ସେ କେବେ ଏହାକୁ ପୁଣି ଦେଖିବେ ବୋଲି ଭାବି ନଥିଲେ। କିନ୍ତୁ ୬୩ ବର୍ଷ ପରେ ପ୍ରକୃତି ଯେମିତି ତାଙ୍କର ସେହି ପୁରୁଣା ସ୍ମୃତିକୁ ଫେରାଇ ଦେଇଛି। ଗ୍ଲେସିୟର ତରଳିବାରୁ ବରଫ ଭିତରୁ ବାହାରିଛି ସେହି ବ୍ୟାଗ୍ ଏବଂ ତା’ ଭିତରେ ଥିବା ପୁରୁଣା ସାମଗ୍ରୀ।

ସ୍ୱାସ୍ଥ୍ୟଗତ କାରଣରୁ ୮୬ ବର୍ଷୀୟ ରୋଥଫିଶର ନିଜେ ଟାଇରୋଲ୍ ଯାଇପାରିନଥିଲେ। ତେଣୁ ତାଙ୍କ ପୁଅଙ୍କୁ ଏହି ସାମଗ୍ରୀ ହସ୍ତାନ୍ତର କରାଯାଇଥିଲା। ପରିବାର ପାଇଁ ଏହି ଘଟଣା କେବଳ ଏକ ପୁରୁଣା ବ୍ୟାଗ୍ ଫେରିପାଇବାର ଘଟଣା ନୁହେଁ, ବରଂ ୬୩ ବର୍ଷ ପୁରୁଣା ଏକ ଜୀବନରକ୍ଷା କାହାଣୀର ସ୍ମୃତି । ତେବେ ଏହି ଘଟଣା ଗ୍ଲେସିୟର ତରଳିବାର ଆଉ ଏକ ଦିଗକୁ ମଧ୍ୟ ସାମ୍ନାକୁ ଆଣିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଲ୍ପ୍ସର ଅନେକ ଗ୍ଲେସିୟର ଦ୍ରୁତ ହାରରେ ସଙ୍କୁଚିତ ହେଉଛି। ଆଉ ବରଫ ତରଳିବା ସହ ଦଶନ୍ଧି ଧରି ଲୁଚି ରହିଥିବା ଅନେକ ପୁରୁଣା ସାମଗ୍ରୀ ମଧ୍ୟ ସାମ୍ନାକୁ ଆସୁଛି।୬୩ ବର୍ଷ ପରେ ଫେରିଥିବା ଏହି ବ୍ୟାକପ୍ୟାକ୍ ତେଣୁ କେବଳ ଏକ ପୁରୁଣା ସାମଗ୍ରୀ ନୁହେଁ ଏହା ଜଣେ ପର୍ବତାରୋହୀଙ୍କ ମୃତ୍ୟୁକୁ ମାତ୍ ଦେଇଥିବା ସାହସର ଜୀବନ୍ତ ସାକ୍ଷୀ।