କଟକ ୨।୯: ଏକାମ୍ର-ଭୁବନେଶ୍ଵର ବିଧାନସଭା ନିର୍ବାଚନ ମାମଲାରେ ବିଧାୟକ ବାବୁ ସିଂଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ଲାଗିଛି । ହାଇକୋର୍ଟଙ୍କ ଆଦେଶ ବିଧାୟକ ବାବୁ ସିଂ ଦାଏର କରିଥିବା ପିଟିସନ୍କୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ଅଗଷ୍ଟାଇନ୍ ଜର୍ଜ ମସି ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ରାୟ ପ୍ରକାଶ କରି ଓଡ଼ିଶା ହାଇକୋର୍ଟଙ୍କ ଆଦେଶ କାଏମ ରଖିବା ସହ ବାବୁ ସିଂଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଆଦେଶ ଫଳରେ ବାବୁ ସିଂଙ୍କ ବିରୋଧରେ ହାଇକୋର୍ଟରେ ନିର୍ବାଚନ ମାମଲାର ବିଚାର ଚାଲିବ ବୋଲି ସ୍ପଷ୍ଟ ହୋଇଯାଇଛି ।

ଏକାମ୍ର-ଭୁବନେଶ୍ଵର ବିଧାନସଭା ଆସନରୁ ବିଜୟୀ ହୋଇଥିବା ବିଜେପି ପ୍ରାର୍ଥୀ ବାବୁ ସିଂଙ୍କ ବିଧାୟକ ପଦ ଅସିଦ୍ଧ ଘୋଷଣା କରିବା ପାଇଁ ପ୍ରାର୍ଥନା କରି ପରାଜିତ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ହାଇକୋର୍ଟରେ ମାମଲା ଦାଏର କରିଛନ୍ତି । ବାବୁ ସିଂ ପ୍ରାର୍ଥିପତ୍ର ଦାଖଲ ବେଳେ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିବା ଦେଇ ଅଶୋକ ପଣ୍ଡା ତାଙ୍କ ପିଟିସନ୍‌ରେ ଅଭିଯୋଗ କରିବା ସହ ତାଙ୍କ ବିଜୟକୁ ରଦ୍ଦ କରିବା ପାଇଁ ଯୁକ୍ତି ଦର୍ଶାଇଥିଲେ ।

Also Read:- CCTVରେ କଏଦ ବାଘର ଭିଜୁଆଲ୍ : କୁକୁରକୁ ମାରି ଖାଇଲା, ଟ୍ରାକ୍ କରୁଛି ବନ ବିଭାଗ

ଅପରପକ୍ଷେ ଏହି ମାମଲାକୁ ଶୁଣାଣି ପୂର୍ବରୁ ଖାରଜ ପାଇଁ ବିଧାୟକ ବାବୁ ସିଂ ହାଇକୋର୍ଟରେ ଏକ ଅନ୍ତରୀଣ ପିଟିସନ୍ ରୁଜୁ କରିଥିଲେ। ହାଇକୋର୍ଟ ଏହି ଅନ୍ତରୀଣ ପିଟିସନ୍କୁ ଖାରଜ କରିବା ସହ ବାବୁ ସିଂଙ୍କ ବିରୋଧରେ ମାମଲା ଚାଲିବ ବୋଲି ରାୟ ଦେଇଥିଲେ । ଏହା ବିରୋଧରେ ବିଧାୟକ ସୁପ୍ରିମକୋର୍ଟକୁ ଯାଇଥିଲେ । ସୁପ୍ରିମକୋର୍ଟ ଏହି ମାମଲାର ରାୟ ପ୍ରକାଶ କରି ପିଟିସନ୍ ଖାରଜ କରିଦେଇଛନ୍ତି । ଅଶୋକ ପଣ୍ଡାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି ।

Watch Video: