ନୂଆଦିଲ୍ଲୀ, ୧୯/୦୮ : ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ବୁଧବାର ସକାଲେ ଆଜମଙ୍କ ସହଯୋଗୀଙ୍କ ଘରେ ରେଡ୍ କରିଛି । ପ୍ରାୟ ୧୦ଟି ସ୍ଥାନରେ ଇଡି ପକ୍ଷରୁ ଚଢଉ କରାଯାଇଛି । ଉତ୍ତର ପ୍ରଦେଶର ରାମପୁର, ସହାରନପୁର ସମେତ ଦିଲ୍ଲୀରେ ମଧ୍ୟ ରେଡ୍ ହୋଇଛି ।

ସୂତ୍ରାନୁସାରେ, ଇଡି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରି ଆକ୍ଟ ଅନୁସାରେ ରେଡ୍ କରିଛି । ତଦନ୍ତକାରୀ ଟିମ୍ ଆଜମଙ୍କ ଆର୍ଥିକ ନେଣଦେଣ, ଅନିୟମିତତା ଏବଂ ବେଆଇନ ଫଣ୍ଡିଂ ମାମଲାର ଯାଞ୍ଚ୍ କରୁଛନ୍ତି । ଏହି ସବୁ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । କୁହାଯାଉଛି ଯେ, ଇଡି ଟିମ୍ ମୁଖ୍ୟତଃ ଆଜାମଙ୍କ ଡ୍ରିମ୍ ପ୍ରୋଜେକ୍ଟ୍ ମୌଲାନା ମହମ୍ମଦ ଅଲୀ ଜୋହର ୟୁନିଭର୍ସିଟି ଏବଂ ଏହା ସହ ଜଡିତ ମୌଲାନା ମହମ୍ମଦ ଅଲୀ ଟ୍ରଷ୍ଟର ଅନେକ ଅଧିକାରୀଙ୍କ ଘରେ ରେଡ୍ ହୋଇଛି । ଇଡି ଅନେକ କାଗଜପତ୍ର ଏବଂ ଦସ୍ତାବିଜ ଖୋଳତାଡ କରୁଥିବା ସୂଚନା ମିଳିଛି । ଚଢଉ ବେଳେ କେନ୍ଦ୍ରୀୟ ବଳ ମୁତୟନ ରହିଛନ୍ତି ।

ତଦନ୍ତକାରୀ ସଂସ୍ଥା ଅନୁସାରେ, ବିଭିନ୍ନ ସରକାରୀ ଯୋଜନାରେ ହୋଇଥିବା ଅନିୟମିତତା, ନିଜେ ଠିକାଦାରୀ କରି ଅର୍ଥ ହେରଫେର ମାମଲାରେ ରେଡ୍ ହେଉଛି । କିଛି ଠିକାଦାର ସରକାରୀ ଅର୍ଥକୁ ବେଆଇନ ଭାବେ ଆଜମ ଖାନଙ୍କ ଟ୍ରଷ୍ଟକୁ ଟ୍ରାନ୍ସଫର୍ କରିଥିଲେ । ଆଉ କିଛି ଅର୍ଥ ୟୁନିଭର୍ସିଟିକୁ ପଠାଯାଇଥିଲା । ଏଥିରେ ୟୁନିଭର୍ସିଟିର ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇଥିଲା ।

Also Read :- Earthquake: ସକାଳୁ ସକାଳୁ ଭୂକମ୍ପରେ ଥରିଲା ଚୀନ୍‌, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ

ଇଡିର ଏହି ସର୍ଚ୍ଚ ଅପରେସନରେ ଅପରାଧ କରି ଅର୍ଥ ଉପାର୍ଜନ, ବ୍ୟାଙ୍କ ନେଣଦେଣ ଉପରେ ନଜର ରଖିଛି । ଏହାସହ ବିଭିନ୍ନ ଡିଜିଟାଲ ପ୍ରମାଣକୁ ଏକାଠି କରୁଛି । ଏହାସହ ଜୋହର ଟ୍ରଷ୍ଟର ଅନେକ କର୍ମଚାରୀଙ୍କୁ ମଧ୍ୟ ଜେରା କରାଯାଉଛି ।