ଉତ୍ତରକାଶୀ: କେଦାରତାଲ ଟ୍ରେକ୍ ରେ ହିମସ୍ଖଳନ ୭ ଟ୍ରେକର୍ସଙ୍କ ସମେତ ସପୋର୍ଟିଂ ଷ୍ଟାଫଙ୍କୁ ସମସ୍ୟାରେ ପକାଇଛି। ଭୋଜଖଡକ ଆଗକୁ ହିମ ସ୍ଖଳନ ହେବା ଯୋଗୁ ୮ ଜଣ ଅଟକି ରହିଛନ୍ତି। ତେବେ କଚ୍ଚି ଢାଙ୍ଗ ନିକଟରେ ୩ ପୋର୍ଟର ଓ ଜଣେ କୁକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଫଶି ରହିଥିବା ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଶନିବାର ଏନଡିଆରଏଫ, ଏସଡିଆରଏଫ, ବନ ବିଭାଗ ଓ ଟ୍ରେକିଂ ଏଜେନ୍ସୀଙ୍କ ପକ୍ଷରୁ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି।

ସେପଟେ ଦୁର୍ଗମ କ୍ଷେତ୍ରରେ ଉଦ୍ଧାର ଲାଗି ଆହ୍ୱାନକୁ ଆକଳନ କରି ହେଲିକପ୍ଟର ସହାୟତା ନେବାକୁ ମଧ୍ୟ ଉଦ୍ୟମ କରାଯାଉଛି। ଜିଲ୍ଲା ଜରୁରିକାଳୀନ ପରିଚାଳନା କେନ୍ଦ୍ରରୁ ମିଳୁଥିବା ସୂଚନା ଅନୁସାରେ ଅକ୍ଟୋବର ୨୭ ତାରିଖ ଦିନ ୭ ଜଣ ଟ୍ରେକର ଓ ୬ ଜଣ ସପୋର୍ଟିଂ ଷ୍ଟାଫଙ୍କ ୧୩ ସଦସୀୟ ଦଳ କେଦାରତାଲ ଟ୍ରେକରେ ବାହାରିଥିଲେ। ଏହି ଦଳ ଅକ୍ଟୋବର ୨୯ ତାରିଖ ସୁଦ୍ଧା ଫେରିଆସିବା କଥା। ହେଲେ ଖରାପ ପାଗ, ଗ୍ଲାସିୟର ଓ ହୀମପାତ କାରଣରୁ ଟ୍ରେକିଂ ମାର୍ଗ ଅବରୋଧ ହୋଇଯାଇଛି।

ନିର୍ଦ୍ଧାରିତ ସମୟ ସୁଦ୍ଧା ଟ୍ରେକରମାନେ ନ ଫେରିବାରୁ ସେମାନଙ୍କ ସହ ସମ୍ପର୍କ କରିବାକୁ ଉଦ୍ୟମ କରାଯାଇଥିଲା। ଅକ୍ଟୋବର ୩୦ ତାରିଖ ଦିନ ଟ୍ରେକିଂ ଏଜେନ୍ସୀ ମାଧ୍ୟମରେ ଫୋନ ଦ୍ୱାରା ସମ୍ପର୍କ ହେବାରୁ ଟ୍ରେକିଂ ଦଳ କଚ୍ଚି ଢାଙ୍ଗ ନିକଟରେ ସୁରକ୍ଷିତ ଥିବାର ସୂଚନା ଦେବା ସହ ସେମାନଙ୍କ ଉଦ୍ଧାର ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଥିଲେ। ସେହି ଅନୁସାରେ ଶନିବାର ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିବା ବେଳେ ଜାତୀୟ ବିପର୍ଯ୍ୟ ବଳ ଓ ରାଜ୍ୟ ବିପର୍ଯ୍ୟୟ ବଳ ସମେତ ବନ ବିଭାଗର ସହାୟତା ନିଆଯାଇଛି।