ନୂଆଦିଲ୍ଲୀ: ବିବାଦ ବଢିବା ପରେ ବଦଳିଲା ନିଷ୍ପତ୍ତି । ଗତକାଲି ଓଏସ୍‌ଡି ଭାବେ ନିଯୁକ୍ତ ହୋଇଥିବା ଜ୍ୟୋତିଷ ରିକି ରାଦନ ପଣ୍ଡିତଙ୍କୁ ପଦରୁ ହଟାଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ । ବୁଧବାର ତାମିଲନାଡୁ ବିଧାନସଭାରେ ସଂଖ୍ୟାବଳ ଦେଖାଇବା ପରେ ମୁଖ୍ୟମନ୍ତ୍ରୀ ବିଜୟ ଏହି ନିଷ୍ପତ୍ତି ନେଇଛନ୍ତି ।

ରାଦନ ପଣ୍ଡିତଙ୍କୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଓଏସଡି ନିଯୁକ୍ତ କରାଯିବା ପରଠାରୁ ରାଜ୍ୟର ବିରୋଧୀ ଦଳ ନୂଆ ସରକାରକୁ କଡ଼ା ସମାଲୋଚନା କରିଥିଲେ । ମେଣ୍ଟର ସହଯୋଗୀ ଥିବା କଂଗ୍ରେସ ପାର୍ଟିର ସାଂସଦ ଶଶିକାନ୍ତ ସେନ୍ଥିଲ ଟିଭିକେ ସରକାର ଦ୍ୱାରା ଓଏସଡି ଭାବେ ଜଣେ ଜ୍ୟୋତିଷଙ୍କ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ ।

ଟିଭିକେ ଉପରେ କଟାକ୍ଷ କରି, ଏଆଇଏଡିଏମକେ ରାଜ୍ୟସଭା ସାଂସଦ ଆଇଏସ୍ ଇନବାଦୁରାଇ ଏକ୍ସରେ ଲେଖିଥିଲେ, "ଜ୍ୟୋତିଷୀ ନିଜ ଭାଗ୍ୟ ଭବିଷ୍ୟବାଣୀ କରିବାରେ ବିଫଳ ହୋଇଥିଲେ । ବିଜୟ ସରକାରଙ୍କ ପାଇଁ ଖରାପ ଦିନ ଆରମ୍ଭ ହୋଇଗଲାଣି ।"

ଆଜି ସକାଳେ, ଡିଏମକେ ମୁଖପାତ୍ର ଟିକେଏସ ରାଦନ ପଣ୍ଡିତଙ୍କ ନିଯୁକ୍ତି ଉପରେ କଟାକ୍ଷ କରି କହିଥିଲେ ଯେ ଜଣେ ଜ୍ୟୋତିଷ ବେଶୀରୁ ବେଶୀ  ଭବିଷ୍ୟବାଣୀ କରିପାରିବେ । ଟିକେଏସ୍ କହିଥିଲେ, "ଏବେଠାରୁ, ବିଧାନସଭାର ଆଉ କୌଣସି ଭୂମିକା ରହିବ ନାହିଁ । କେବଳ ସଠିକ୍ ସମୟ ଜଣାଇବା କାମ ଜ୍ୟୋତିଷ କରିବେ । ସେ ଜଣେ ସରକାରୀ ଅଧିକାରୀ ନୁହନ୍ତି । ସେମାନଙ୍କୁ ଏପରି ଜଣେ ବ୍ୟକ୍ତି ଆବଶ୍ୟକ ଯିଏ ନିୟମ ଏବଂ ସରକାରୀ ଅଧିକାର ଅନୁସାରେ ସେମାନଙ୍କୁ ସଠିକ୍ ପରାମର୍ଶ ଦେଇପାରିବେ । ଜଣେ ଜ୍ୟୋତିଷ କ'ଣ କରିପାରିବେ ? ସେ କେବଳ ଭବିଷ୍ୟବାଣୀ କରିପାରିବେ ।

ଇରୋଡରେ ରହୁଥିବା ଜ୍ୟୋତିଷ ରାଦନ ପଣ୍ଡିତଙ୍କୁ ଏକଦା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ପରାମର୍ଶଦାତା ବୋଲି ବିବେଚନା କରାଯାଉଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ସମ୍ପର୍କ ତିକ୍ତ ହୋଇଗଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଦନ ପଣ୍ଡିତ ଜୟଲଳିତାଙ୍କୁ କହିଥିଲେ ଯେ ସେ ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଜେଲ୍ ଭୋଗିବେ ନାହିଁ । କିନ୍ତୁ ସେପ୍ଟେମ୍ବର ୨୦୧୪ରେ, କୋର୍ଟ ତାଙ୍କୁ ଦଣ୍ଡିତ କରି ଜେଲ୍ ପଠାଇ ଦେଇଥିଲେ । ଏହା ପରେ, ଜୟଲଳିତା ରାଦନ ପଣ୍ଡିତଙ୍କ ସହିତ ପରାମର୍ଶ କରିବା ବନ୍ଦ କରିଦେଇଥିଲେ ।

ପରେ, ରାଦନ ପଣ୍ଡିତ ଅଭିନେତା ବିଜୟଙ୍କ ରାଜନୈତିକ ଗୋଷ୍ଠୀରେ ଯୋଗ ଦେଇଥିଲେ । କୁହାଯାଏ ଯେ ସେ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ବିଜୟଙ୍କୁ ଭେଟିଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ରାଜନୈତିକ ପରାମର୍ଶ ଦେବା ଆରମ୍ଭ କରିଥିଲେ । ସେ ବିଜୟଙ୍କୁ ଏପରି ଏକ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବାକୁ ପରାମର୍ଶ ଦେଇଥିଲେ ଯାହାର ନାମ ‘V’ ଅକ୍ଷରରୁ ଆରମ୍ଭ ହେଉଥିବ ।