ପୁଞ୍ଛ ଆକ୍ରମଣ ପଛରେ ଥିବା ୨ ପାକିସ୍ତାନୀ ଆତଙ୍କୀଙ୍କ ସ୍କେଚ୍ ଜାରି, ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା

Published By : Prameya-News7 Bureau | May 06, 2024 IST

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୁଞ୍ଛରେ ଗତ ସପ୍ତାହରେ ବାୟୁ ସେନାର କାରକେଡ୍ ଉପରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ସାମିଲ ୨ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ୍ ଏବେ ସୁରକ୍ଷା ବଳଙ୍କ ଦ୍ୱାରା ଜାରି କରାଯାଇଛି । ଏହାସହ ସେମାନଙ୍କ ବିଷୟରେ ସୂଚନା ପ୍ରଦାନ କଲେ ୨୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଗତ ଶନିବାର ମେ ୪ ସଂଧ୍ୟାରେ ପୁଞ୍ଛର ଶାହସିତାର ପାଖରେ ଆତଙ୍କୀମାନେ ବାୟୁସେନା କାରକେଡ୍ ଉପରେ ଆକ୍ରମଣ କରିଥିଲେ । ଏଥିରେ ବାୟୁସେନାର ଜଣେ ଯବାନ ସହିଦ ହୋଇଥିଲେ । ଏହାସହ ଅନ୍ୟ ୪ ଜଣ ଯବାନ ଆହତ ହୋଇଥିଲେ । ଏହା ପରଠୁ ସଶସ୍ତ୍ର ବଳ ଶାହସିତାର ଅଞ୍ଚଳରେ ବଡ଼ ସର୍ଚ୍ଚ ଅଭିଯାନ ଚଳାଇଛନ୍ତି । ଆତଙ୍କୀଙ୍କୁ ଧରିବା ପାଇଁ ସଶସ୍ତ୍ର ବୁଲେଟପ୍ରୁଫ୍ ବାହାନ ଏବଂ ସନ୍ଧାନୀ କୁକୁରଙ୍କ ଲଗାଯାଇଛି ।

ସହିଦ ଯବାନ ଭିକ୍କି ପହାଡେଙ୍କ ପାର୍ଥିବ ଶରୀରକୁ ଆଜି ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ମଧ୍ୟପ୍ରଦେଶର ଛିନ୍ଦୱାଡା ଅଣାଯାଇଛି । ଏହାପରେ ପାର୍ଥିବ ଶରୀରକୁ ଯବାନଙ୍କ ନିବାସକୁ ନିଆଯାଇଥିଲା । ସୈନ୍ୟ ସମ୍ମାନ ସହ ଏଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ । ରାଜ୍ୟର ମୁଖ୍ୟମନ୍ତ୍ରୀ ଡ.ମୋହନ ଯାଦବ ମଧ୍ୟ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଛିନ୍ଦୱାଡା ପହଞ୍ଚିଛନ୍ତି । ସହିଦ ଯବାନଙ୍କ ପରିବାରରେ ପତ୍ନୀ ଏବଂ ୫ ବର୍ଷର ପୁଅ ଅଛି । ଭିକ୍କି ତାଙ୍କ ବାପା-ମାଆଙ୍କ ଏକମାତ୍ର ପୁଅ ଥିଲେ ।

ଏହାରି ଭିତରେ ଗତ ଦୁଇ ଦିନରେ ସହିଦ ହୋଇଥିବା ମଧ୍ୟପ୍ରଦେଶର ଦୁଇ ଯବାନଙ୍କ ପରିବାର ପାଇଁ ୧-୧ କୋଟି ଲେଖାଏ ସହାୟତା ରାଶି ପାଇଁ ରାଜ୍ୟ ସରକାର ନିର୍ବାଚନ ଆୟୋଗଙ୍କୁ ପ୍ରସ୍ତାବ ପଠାଇବେ । ରାଜ୍ୟ ଶାସନ ପକ୍ଷରୁ ସହଡୋଲର ସହିଦ ସହାୟକ ପୋଲିସ ଉପନିରୀକ୍ଷକ ମହେନ୍ଦ୍ର ବାଗରୀଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ପାଇଁ ନିର୍ବାଚନ ଆୟୋଗଙ୍କୁ ପ୍ରସ୍ତାବ ପଠାଇବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.