ପଙ୍କଜଙ୍କ ସହ କାମ କରିବା ପାଇଁ ଆମିଷ ଛାଡିଥିଲେ ଜାହ୍ନବୀ, ସାକ୍ଷାତକାରରେ କଲେ ଖୁଲାସା

Published By : Prameya-News7 Bureau | May 27, 2024 IST

ମୁମ୍ଵାଇ ୨୭।୦୫: ୨୦୨୦ ମସିହାରେ ରିଲିଜ୍‌ ହୋଇଥିଲା ବଲିଉଡ୍‌ ଅଭିନେତ୍ରୀ  ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ‘ଗୁଞ୍ଜନ ସକ୍ସେନା: ଦ କାର୍ଗିଲ୍‌  ଗାର୍ଲ’ । ସେଥିରେ ଭେଟେରାନ୍‌ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ  ଜାହ୍ନବୀଙ୍କର ପିତାଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା ।  ପଙ୍କଜଙ୍କ ସହିତ କାମ କରିବା ଜାହ୍ନବୀଙ୍କର ଏକ ବଡ଼  ସ୍ୱପ୍ନ ଥିଲା । ଏପରିକି ସେଥିଲାଗି ମାନସିକ ରଖି ସେ  ୧୦-୧୫ ଦିନ ଲାଗି ଆମିଷ ଛାଡି଼ଦେଇଥିଲେ ।  

ଜାହ୍ନବୀ ଏବେ ତାଙ୍କର ଅପ୍‌କମିଙ୍ଗ୍‌ ଫିଲ୍ମ ‘ମିଷ୍ଟର  ଆଣ୍ଡ ମିସେସ୍‌ ମାହି’ର ପ୍ରମୋସନରେ ବ୍ୟସ୍ତ  ଥିବାବେଳେ ସେହି ଅବସରରେ ଏହା ପ୍ରକାଶ  କରିଛନ୍ତି । ସେ କହିଛନ୍ତି, ଭାରତୀୟ ଫିଲ୍ମ  ଜଗତର ଶ୍ରେଷ୍ଠ କଳାକାରଙ୍କ ମଧ୍ୟରେ ପଙ୍କଜ ତ୍ରିପାଠୀ ଅନ୍ୟତମ । ତାଙ୍କ ସହିତ କାମ  କରିବାକୁ ମୋର ପ୍ରବଳ ଇଚ୍ଛା ଥିଲା ।  ଏପରିସ୍ଥଳେ ପଙ୍କଜ ସାର୍‌ ‘ଗୁଞ୍ଜନ ସକ୍ସେନା: ଦ କାର୍ଗିଲ୍‌ ଗାର୍ଲ’ ଫିଲ୍ମ  ସାଇନ୍‌ କରନ୍ତୁ ବୋଲି ମୁଁ ଈଶ୍ୱରଙ୍କ  ନିକଟରେ ପ୍ରାର୍ଥନା କରିଥିଲି ।  ମାନସିକ ସ୍ୱରୂପ ୧୦-୧୫ ଦିନ ଧରି  ନିରାମିଷାଶୀ ମଧ୍ୟ ହୋଇଯାଇଥିଲି ।  

ଆଜି ମଧ୍ୟ ମୁଁ ତାଙ୍କର ଜଣେ ବଡ଼  ପ୍ରଶଂସକ । ଶରଣ ଶର୍ମା ‘ମିଷ୍ଟର ଆଣ୍ଡ  ମିସେସ୍‌ ମାହି’ର ନିର୍ଦ୍ଦେଶନା ଦେଉଛନ୍ତି । କରନ୍‌ ଜୋହରଙ୍କ ଧର୍ମା ପ୍ରଡକ୍ସନ୍‌ ଏହାର  ପ୍ରଯୋଜନାରେ ଅଛି । ଏହି ଫିଲ୍ମରେ ଜାହ୍ନବୀଙ୍କ  ବିପକ୍ଷରେ ସ୍କ୍ରିନ୍‌ ସେୟାର କରିବେ ରାଜକୁମାର  ରାଓ । ତାହା ମେ ୩୧ରେ ଥିଏଟରରେ ରିଲିଜ୍‌  ହେବ । ଏହା ପୂର୍ବରୁ ଶରଣ ଶର୍ମା ‘ଗୁଞ୍ଜନ ସକ୍ସେନା:   ଦ କାର୍ଗିଲ୍‌ ଗାର୍ଲ’ର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.