ନୂଆଦିଲ୍ଲୀ: ଏନଇଇଟି-ୟୁଜି ପେପର ଲିକ୍ ଓ ପରୀକ୍ଷା ବାତିଲକୁ ନେଇ ଜାରି ବିବାଦ ମଧ୍ୟରେ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ବରିଷ୍ଠ ଅଧିକାରୀ ସ୍ତରରେ ୨ଟି ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ହୋଇଛି। । ଦେଶରେ ଜାତୀୟ ସ୍ତରର ବଡ଼ ପ୍ରବେଶିକ ପରୀକ୍ଷା କରାଇବାରେ ଏନଟିଏ ନୋଡାଲ ସଂସ୍ଥା, ଯାହା ଉପରେ ଏନଇଇଟି ପେପର ଲିକ୍ ପରେ ଏବେ ଅନେକ ପ୍ରକାରର ପ୍ରଶ୍ନ ଉଠୁଛି। ଏଣୁ ବରିଷ୍ଠ ଆଇଆରଏସ୍ ଅଧିକାରୀ ଋଚିତା ଭିଜ୍ ଙ୍କୁ ଏନଟିଏ ଯୁଗ୍ମ ସଚିବ ନିଯୁକ୍ତ କରାଯାଇଛି।

ଋଚିତା ୨୦୦୪ ବ୍ୟାଚ୍ ର ଅଧିକାରୀ ଓ ସେ ଏବେ ଅର୍ଥମନ୍ତ୍ରାଳୟରେ କାର୍ଯ୍ୟରତ ଅଛନ୍ତି। ଏଥିରେ ଦ୍ୱିତୀୟ ନିଯୁକ୍ତି ଅନୁଜା ବାପଟଙ୍କର ହୋଇଛି। ଅନୁଜା ୧୯୮୮ ବ୍ୟାଚ୍ ର ଆଇଏସଏସ୍ ଅଧିକାରୀ। ଅନୁଜାଙ୍କୁ ମଧ୍ୟ ଯୁଗ୍ମ ସଚିବ ପଦରେ ନିଯୁକ୍ତି ଲାଗି ମଞ୍ଜୁରୀ ମିଳିଛି। ଏଥି ଲାଗି ସଂସ୍ଥାରେ ଡେପୁଟି ସେକ୍ରେଟାରୀ ଓ ଡାଇରେକ୍ଟର ପଦବୀକୁ ୨ ବର୍ଷ ଲାଗି ଅସ୍ଥାୟୀ ରୂପେ ଅପଗ୍ରେଡ କରାଯାଇଛି। ଏନଟିଏରେ ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଏପରି ସମୟରେ ହୋଇଛି ଯେତେବେଳେ ସଂସ୍ଥାକୁ ଏନଇଇଟି-ୟୁଜି ପରୀକ୍ଷା ପେପର ଲିକ୍ ଓ ଏହା ପରେ ମେ ୩ ତାରିଖରେ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ଆଡମିସନ ପାଇଁ ହୋଇଥିବା ପରୀକ୍ଷା ରଦ୍ଦ କରାଯିବାରୁ ସରକାରଙ୍କୁ କଡ଼ା ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି।

ଏନଟିଏରେ ଅନୁଜା ବାପଟ ଓ ଋଚିକା ଭିଜ୍ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। କାରଣ ଏନଟିଏ ଏବେଠାରୁ ପାଖାପାଖି ୩ ସପ୍ତାହ ପରେ ଜୁନ ୨୧ରେ ନୂଆ କରି ଏନଇଇଟି-ୟୁଜି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛି। ଏନଟିଏ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ଅନ୍ତର୍ଗତ ଏକ ସ୍ୱୟଂ ଶାସିତ ସଂସ୍ଥା। ନଭେମ୍ବର ୨୦୧୭ରେ ସ୍ଥାପିତ ଏହି ଏଜେନ୍ସୀ ଇଞ୍ଜିନିୟରିଂ, ମେଡିସିନ, ମ୍ୟାନେଜମେଣ୍ଟ, ରିସର୍ଚ୍ଚ ଓ ଫାର୍ମାସୀ ସମ୍ପର୍କିତ ହାୟର ଏଜୁକେସନାଲ ଇନିଷ୍ଟିଟ୍ୟୁସନରେ ଆଡମିସନ ଓ ଫେଲୋସିପ୍ ଲାଗି ଅନେକ ଜାତୀୟ ସ୍ତରର ପରୀକ୍ଷା କରିବା ପାଇଁ ଦାୟିତ୍ୱପ୍ରାପ୍ତ। ଏହି ସଂସ୍ଥା ସ୍ଥାପନା ପରଠାରୁ ବିବାଦରେ ରହିଛି। ଏହାର ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ନେଇ ପ୍ରଶ୍ନ ବଢିବଢି ଚାଲିଛି।