ଭୂଗର୍ଭରୁ ବାହାରିଲା ୩୪୦୦ ବର୍ଷ ତଳର ପ୍ରାଚୀନ ସହର, ବଖାଣୁଛି ମିତ୍ତାନୀ ସାମ୍ରାଜ୍ୟର କାହାଣୀ

Published By : Prameya-News7 Bureau | April 29, 2024 IST

News7

ନୂଆଦିଲ୍ଲୀ: ପୃଥିବୀର ଗର୍ଭରେ ପୋତି ହୋଇଯାଇଛି ଅନେକ ପ୍ରାଚୀନ ଗାଁ ଓ ସହର। ଯାହା ବିଷୟରେ ଆମେ ଏପର୍ଯ୍ୟନ୍ତ ଅଜ୍ଞ। କିନ୍ତୁ ସମୟ ସମୟରେ ଏପରି କିଛି ବାହାରକୁ ଚାଲିଆସେ ଯାହା ଆମକୁ ପୁରୁଣା ଇତିହାସକୁ ଅବଗତ କରାଏ। ଇରାକର କୁର୍ଦ୍ଦିସ୍ତାନ ପ୍ରଦେଶରେ ଦେଖିବାକୁ ମିଳିଛି ଏପରି ଝଲକ୍। ଯେଉଁଠାରେ ପ୍ରତ୍ନତତ୍ତ୍ୱବିତମାନେ ୩୪୦୦ ବର୍ଷ ପୁରୁଣା ସହର ଆବିଷ୍କାର କରିଥିଲେ। ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ। 

ଏହି ୩୪୦୦ ବର୍ଷର ପୁରୁଣା ସହର ଟିଗରିସ ନଦୀ ତଳୁ ମିଳିଛି। ପ୍ରାଚୀନ କାଂସ୍ୟ ଯୁଗର ସହର କେମ୍ୟୁନ୍। ଖ୍ରୀଷ୍ଟପୂର୍ବ 1475 ରୁ 1275 ଖ୍ରୀଷ୍ଟାବ୍ଦ ମଧ୍ୟରେ ମିତ୍ତାନୀ ସାମ୍ରାଜ୍ୟ ଦ୍ୱାରା ସ୍ଥାପିତ ହୋଇଥିଲା। ଖ୍ରୀଷ୍ଟପୂର୍ବ ୧୩୫୦ରେ ହୋଇଥିବା ଭୂକମ୍ପରେ ଏହା ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା। କିନ୍ତୁ ଏହାର କିଛି ଧ୍ୱଂସାବଶେଷ କାନ୍ଥ ତଳେ ଏବେବି ସଂରକ୍ଷିତ ହୋଇ ରହିଛି। ୧୯୮୦ ଦଶକରେ ମୋସୁଲ ଡ୍ୟାମ ନିର୍ମାଣ ସମୟରେ ଏହି ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ଗଭୀର ପାଣିରେ ଏହା ଥିବାରୁ ଯାଞ୍ଚ କରିବା ଅସମ୍ଭବ ଥିଲା। କେମ୍ୟୁନ ସହରର ଆବିଷ୍କାର କରିଥିଲେ ଜର୍ମାନ ଗବେଷକ। ଇରାକରେ ମରୁଡି ପଡ଼ିବା ପରେ ଭୂପୃଷ୍ଠରୁ ବାହାରି ପଡ଼ିଥିଲା ଏହି ପ୍ରାଚୀନ ସହର। ଏହି ସହ ମିତ୍ତାନୀ ସାମ୍ରାଜ୍ୟର ଥିଲା ବାଣିଜ୍ୟର କେନ୍ଦ୍ରବିନ୍ଦୁ।

ଲାଇଭ ସାଇନ୍ସ ଅନୁଯାୟୀ, ପ୍ରତ୍ନତତ୍ତ୍ୱବିତମାନେ ଏହାକୁ ଆଂଶିକ ଭାବରେ ୨୦୧୮ରେ ଖନନ କରିଥିଲେ। ତା’ପରେ ସେଠାରୁ ୨୨ ଫୁଟ ଉଚ୍ଚ କାନ୍ଥ ବିଶିଷ୍ଟ ଏକ ପ୍ରାସାଦର ଭଗ୍ନାବଶେଷ ଏବଂ ଚିତ୍ର ସହିତ ସଜାଯାଇଥିବା ଅନେକ କୋଠରୀର ସନ୍ଧାନ ମିଳିଥିଲା। ପ୍ରାଚୀନ ସହରର ଅବଶେଷରେ ଚୀନା ମାଟିର ବାସନ ଏବଂ ୧୦୦ରୁ ଅଧିକ ଅଭିଲେଖାଗାର ମଧ୍ୟ ମିଳିଛି। ହଜାରେ ବର୍ଷ ପୁରୁଣା ମିତ୍ତାନୀ ସାମ୍ରାଜ୍ୟର ଜୀବନଶୈଳୀ ମଧ୍ୟ ଏଥିରେ ପ୍ରତିଫଳିତ ହୋଇଛି। 

କେବଳ ଇରାକ୍ ନୁହେଁ ନିକଟରେ ଫିଲିଫାଇନ୍ସରେ ଆବିଷ୍କାର ହୋଇଛି ୩୦୦ ବର୍ଷ ତଳର ପୁରାତନ ଗ୍ରାମ। ଯାହା ଡ୍ୟାମ୍ ପାଇଁ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା କିନ୍ତୁ ମରୁଡ଼ି ପରିସ୍ଥିତି ଯୋଗୁଁ ଉତ୍ତର ଫିଲିପାଇନ୍ସରେ ଭୂଗର୍ଭରେ ଥିବା ବସତି ପୁଣି ଥରେ ଦେଖାଦେଇଛି।

ନୁଆଭା ଏସିଜା ପ୍ରଦେଶର ପନ୍ତାବଙ୍ଗନ ଡ୍ୟାମର ଜଳସ୍ତର କମିଯିବା ପରେ ଗାଁରେ ଥିବା ଚର୍ଚ୍ଚ ଓ ସମାଧୀ ପଥର ଦୃଶ୍ୟମାନ ହୋଇଛି। ଡ୍ୟାମର ଜଳସ୍ତର ସାଧାରଣ ସ୍ତରଠାରୁ ପ୍ରାୟ ୫୦ ମିଟର ହ୍ରାସ ପାଇଛି। ଯାହା ଡ୍ୟାମ ନିର୍ମାଣ ହେବା ପ୍ରାୟ ୩୦୦ ବର୍ଷ ପରେ ଏହି ଗାଁ ପୁଣିଥରେ ଦେଖାଦେଇଛି। ନିକଟରେ ରହୁଥିବା ଜଣେ ବୟସ୍କ ବ୍ୟକ୍ତି କହିଛନ୍ତି ଯେ-  ଏକ ଦୀର୍ଘ ସମୟ ପରେ ଏହା ଦୃଶ୍ୟମାନ ହୋଇଛି। ଏହି ଗାଁ ଡ୍ୟାମ୍ ପାଣିରେ ଲୀନ ହୋଇଥିଲା ବୋଲି ଆମର ପୂର୍ବପୁରୁଷମାନେ କହିଥିଲେ, ଯାହାକୁ ଆମେ ପୁଣି ଦେଖିବାକୁ ସୁଯୋଗ ପାଇଲୁ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.