ସ୍ଲୋଭାକିୟାର ପ୍ରଧାନମନ୍ତ୍ରୀଙ୍କୁ ଗୁଳି ମାଡ଼, ଛାତି ଏବଂ ପେଟରେ ବାଜିଛି ଗୁଳି; ଅବସ୍ଥା ଗୁରୁତର

Published By : Prameya-News7 Bureau | May 15, 2024 IST

ନୂଆଦିଲ୍ଲୀ: ସ୍ଲୋଭାକିୟାର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ (Robert Fico)ଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । କ୍ୟାବିନେଟ ମିଟିଂ ପରେ ଲୋକଙ୍କୁ ସମ୍ୱୋଧିତ କରିବା ବେଳେ ଏହି ଆକ୍ରମଣ ହୋଇଛି । ଆକ୍ରମଣକାରୀ ତାଙ୍କୁ ମାରିବା ପାଇଁ ଅନେକ ରାଉଣ୍ଡ ଗୁଳି ଫାୟାର କରିଛି । ଏଥିରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କୁହାଯାଉଛି ଯେ ସ୍ଲୋଭାକିୟାର ପ୍ରଧାନମନ୍ତ୍ରୀଙ୍କୁ ଠିକ୍ ସେହିପରି ଗୁଳି ମାଡ଼ କରାଯାଇଛି, ଯେପରି ଭାବେ ଜାପାନର ପୂର୍ବତନ ପିଏମ୍ ଶିଞ୍ଜୋ ଆବେଙ୍କୁ ହତ୍ୟା କରାଯାଇଥିଲା । ତେବେ ରବର୍ଟ ଫିକୋଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ତାହା ସ୍ପଷ୍ଟ ହୋଇନାହିଁ । ଏକ ମିଡିଆ ରିପୋର୍ଟ ଅନୁସାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି, ତେବେ ସେ ଆକ୍ରମଣକାରୀ ନା ଆଉ କିଏ ତାହା ସ୍ପଷ୍ଟ ହୋଇ ନାହିଁ ।

ସ୍ଲୋଭାକିୟାର ପ୍ରଧାନମନ୍ତ୍ରୀଙ୍କୁ ଦୁଇଟି ଗୁଳି ବାଜିଛି । ଗୋଟିଏ ତାଙ୍କ ଛାତି ଏବଂ ଅନ୍ୟଟି ପେଟରେ ଲାଗିଛି । କୁହାଯାଉଛି ଯେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବୟସ ୭୧ । ତେବେ ଏହି ଆକ୍ରମଣ କାହିଁକି ହୋଇଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ସ୍ଲୋଭାକିୟାର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ ଗତ ବର୍ଷ ଅକ୍ଟୋବରରେ ଚତୁର୍ଥ ଥର ପାଇଁ ଦେଶର ପିଏମ୍ ନିର୍ବାଚିତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.