ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଦେଖିବାକୁ ମିଳିଛି ଟ୍ରାଫିକ୍ର ବିକଳ ଚିତ୍ର। ବୈତରଣୀ ନଦୀ ବ୍ରିଜ୍ ଉପରେ ଦୀର୍ଘ ୨ ଘଣ୍ଟା ଧରି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ବ୍ରିଜ୍ ମଝିରେ ଶତାଧିକ ଗାଡ଼ି ମୋଟର ଅଟକି ରହିଥିବା ବେଳେ ଏକ ଜରୁରୀକାଳୀନ ଆମ୍ବୁଲାନ୍ସ ମଧ୍ୟ ରୋଗୀଙ୍କୁ ନେଇ ଦୀର୍ଘ ସମୟ ଧରି ଫସି ରହିଥିବା ଦେଖିବାକୁ ମିଳିଛି। ପ୍ରଶାସନିକ ସମନ୍ୱୟ ଅଭାବରୁ ଏଭଳି ଏକ ସାଂଘାତିକ ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି।

ବିରାଟକାୟ ଗାଡ଼ି ପାଇଁ ଅଟକିଲା ରାସ୍ତା

ମିଳିଥିବା ସୂଚନା ଅନୁଯାୟୀ, ବୈତରଣୀ ବ୍ରିଜ୍ର ମରାମତି କାର୍ଯ୍ୟ ପାଇଁ ଲୋକ ନିର୍ମାଣ ବିଭାଗ (PWD) ପକ୍ଷରୁ ବିଭିନ୍ନ ଯନ୍ତ୍ରପାତି ଅଣାଯାଇଥିଲା। ଏହି ସମୟରେ ଯନ୍ତ୍ରପାତି ଖଞ୍ଜାଯାଇଥିବା ଏକ ବିରାଟକାୟ M.G.I.O ଗାଡ଼ି ବ୍ରିଜ୍ ମଝିରେ ରହିଯାଇଥିଲା। ଗାଡ଼ିର ଆକାର ବଡ଼ ହୋଇଥିବାରୁ ଏହା ପୋଲ ଉପରେ ରହିବା ମାତ୍ରେ ଉଭୟ ପାର୍ଶ୍ୱରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା ଏବଂ ଦେଖୁ ଦେଖୁ ଗାଡ଼ିର ଲମ୍ବା ଲାଇନ୍ ଲାଗିଯାଇଥିଲା।

Also Read: "ବିକାଶିତ ଗାଁ ବିକାଶ ଓଡ଼ିଶା" ଯୋଜନାରେ ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତିର ଖୋଲତାଡ, ୫୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ନା ଥିଲା ପୋଲିସ, ନା ଥିଲା ପ୍ରଶାସନ

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ବ୍ରିଜ୍ ଉପରେ ଏଭଳି ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏବଂ ଏକ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଆମ୍ବୁଲାନ୍ସ ଫସିଥିଲେ ସୁଦ୍ଧା ଦୀର୍ଘ ସମୟ ପର୍ଯ୍ୟନ୍ତ ନା ସ୍ଥାନୀୟ ପୋଲିସର ଦେଖା ମିଳିଥିଲା ନା ପ୍ରଶାସନର କୌଣସି ଅଧିକାରୀ ପହଞ୍ଚିଥିଲେ। ଏଭଳି ବେପରୁଆ ବ୍ୟବସ୍ଥାକୁ ନେଇ ଫସି ରହିଥିବା ଯାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ବହୁ ବିଳମ୍ବରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଗୁଡ଼ିକୁ ହଟାଇ ଟ୍ରାଫିକ୍ ସ୍ଵାଭାବିକ କରିବା ପ୍ରକ୍ରିୟା ଆରମ୍ଭ କରିଛି। ମାତ୍ର ବ୍ୟସ୍ତବହୁଳ ବ୍ରିଜ୍ ଉପରେ ଦିନ ଦ୍ୱିପ୍ରହରରେ ଏଭଳି ମରାମତି କାମ କେତେଦୂର ଯୁକ୍ତିଯୁକ୍ତ, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।