ନୂଆଦିଲ୍ଲୀ:ଏଲନ ମସ୍କଙ୍କର ସାଟେଲାଇଟ୍ ଇଣ୍ଟରନେଟ୍ ସର୍ଭିସ୍‌ ଷ୍ଟାର୍‌ଲିଙ୍କକୁ ଟକ୍କର ଦେବାକୁ ଆସିଲା ଆମାଜନ ଲିଓ(Amazon Leo)। କମ୍ପାନୀ ପୂର୍ବରୁ ଏହି ପ୍ରୋଜେକ୍ଟର ନାଁ ପ୍ରୋଜେକ୍ଟ କୁଇପର ରଖିଥିଲା। ହେଲେ ପରବର୍ତ୍ତି ସମୟରେ ଏହାର ନାଁ ବଦଳାଇ ଆମାଜାନ ଲିଓ ରଖିଛି।

ଅମାଜନ ଲିଓ ଦ୍ୱାରା କମ୍ପାନୀ ଠିକ୍ ଭାବରେ ଇଣ୍ଟରନେଟ୍ ପାଉ ନଥିବା ଉପାନ୍ତ ଅଞ୍ଚଳରେ ହାଇ-ସ୍ପିଡ୍ ସାଟେଲାଇଟ୍ ଇଣ୍ଟରନେଟ୍ ଯୋଗାଇବାକୁ ଲକ୍ଷ୍ୟ ରଖିଛି। କମ୍ପାନୀ ପୃଥିବୀର ନିମ୍ନ କକ୍ଷପଥରେ ହଜାର ହଜାର ଉପଗ୍ରହ ଛାଡ଼ିଛି। ଏହାରି ମାଧ୍ୟମରେ ଆମାଜନ କୋଟି କୋଟି ଲୋକ ଏବଂ ପାରମ୍ପରିକ ନେଟୱାର୍କରୁ ବଞ୍ଚିତ ଲକ୍ଷ ଲକ୍ଷ ବ୍ୟବସାୟଙ୍କୁ ସାଟେଲାଇଟ ଇଣ୍ଟରନେଟ୍ ଯୋଗାଇବାକୁ ଲକ୍ଷ୍ୟ ରଖିଛି।

ଅନେକ ପାହାଡ଼ିଆ ନଦନଦୀ ଅଞ୍ଚଳରେ କେବୁଲ ମାଧ୍ୟମରେ ଇଣ୍ଟରନେଟ୍ ଯୋଗାଇବା ସମ୍ଭବପର ହୋଇ ନଥାଏ, ଓ ଏହା ମହଙ୍ଗା ହୋଇଥାଏ। ତେଣୁ ସେହିସବୁ ଅଞ୍ଚଳଗୁଡ଼ିକରେ ସାଟେଲାଇଟ୍ ମାଧ୍ୟମରେ ଇଣ୍ଟରନେଟ୍ ସେବା ପ୍ରଦାନ କରାଯିବ। ଏହି ସିଷ୍ଟମଟି ଅଧିକାଂଶ ଦେଶକୁ କଭର କରିବ ସହ ଦୂରଦୂରାନ୍ତ, ଗ୍ରାମାଞ୍ଚଳ ସ୍ଥାନକୁ କଭର କରିବା ଭଳି ଡିଜାଇନ୍ କରାଯାଇଛି।

ଆମାଜନର ଏହି ପ୍ରକଳ୍ପ ଏଲୋନ ମସ୍କଙ୍କ ଷ୍ଟାରଲିଙ୍କକୁ ସିଧା ଟକ୍କର ଦେବ। ମସ୍କର ଏହି ଷ୍ଟାର ଲିଙ୍କ୍ ସ୍ପେସଏକ୍ସ ଦ୍ୱାରା ଯୋଗାଇ ଦିଆଯାଇଥିବା ଏକ ସାଟେଲାଇଟ୍ ଇଣ୍ଟରନେଟ୍ ସୁବିଧା। ଯାହା ବିଶ୍ୱ ସ୍ତରରେ ହାଇ-ସ୍ପିଡ୍ ଇଣ୍ଟରନେଟ୍ ପ୍ରଦାନ କରିବା ପାଇଁ ପୃଥିବୀର ନିମ୍ନ କକ୍ଷ ପଥରେ ଥିବା ହଜାର ହଜାର ଉପଗ୍ରହକୁ ବ୍ୟବହାର କରିଥାଏ। ଏହା ମଧ୍ୟ ଉପାନ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଯୋଗାଇବ। ଏହାଦ୍ୱାରା ଷ୍ଟ୍ରିମିଂ, ଅନଲାଇନ ଗେମିଂ ଏବଂ ଭିଡିଓ କଲ କରି ହେବ।

ଆମାଜନ ଲିଓର ପୂର୍ବ ନାମ କମ୍ପାନୀ ପ୍ରୋଜେକ୍ଟ କୁଇପର ରଖିଥିଲା। ନେପଚୁନ ଗ୍ରହ ଚାରିପାଖରେ ଥିବା ଏକ ଧଳା ଗ୍ରହାଣୁ ବଳୟ ଯାହାକୁ କୁଇପର ବେଲ୍ଟ ବୋଲି କୁହାଯାଏ। ଏହିଠାରୁ ଏହି ନାଁ ନେଇଥିଲା କମ୍ପାନୀ। କାରଣ ପୃଥିବୀର ନିମ୍ନ କକ୍ଷପଥରେ ୧୨୦୦ ମାଇଲ ଦୂର(୨ ହଜାର କିଲୋମିଟର)ରେ ଆମାଜନର ୧୫୩ ଉପଗ୍ରହ କାର୍ଯ୍ୟ କରୁଛି। ଯାହା ଠିକ୍ କ୍ୱିପର ବେଲ୍ଟ ବୋଲି ଦେଖାଯାଉଛି ବୋଲି କମ୍ପାନୀ ବିଚାର କରୁଛି। ଏହାରି ମାଧ୍ୟମରେ ଆମାଜନ ସାଟେଲାଇଟ ଇଣ୍ଟରନେଟ୍ ସେବା ଯୋଗାଇ ଦେବ।

ଆମାଜନ ଲିଓର ୱାଶିଂଟନର ରେଡମଣ୍ଡରେ ଥିବା ମୁଖ୍ୟାଳୟ ନିକଟବର୍ତ୍ତୀ କିର୍କଲ୍ୟାଣ୍ଡରେ ଏକ ସାଟେଲାଇଟ୍ ଉତ୍ପାଦନ ସୁବିଧା ରହିଛି। ଯେଉଁଥିରେ କମ୍ପାନୀ ପ୍ରତିଦିନ ପାଞ୍ଚଟି ପର୍ଯ୍ୟନ୍ତ ସାଟେଲାଇଟ୍ ନିର୍ମାଣ କରିପାରିବ। ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରେ ଥିବା ସାଟେଲାଇଟ୍ ପ୍ରୋସେସିଂ ସେଣ୍ଟରରେ ସାଟେଲାଇଟ୍ ଲଞ୍ଚ କରିବାର କ୍ଷମତା ରହିଛି। ଯେଉଁଠି କମ୍ପାନୀ ବିଭିନ୍ନ ପାର୍ଟନର୍ସ ଯଥା- ବ୍ଲୁ ଅରିଜିନ୍, ସ୍ପେସ୍ଏକ୍ସ ଏବଂ ୟୁନାଇଟେଡ୍ ଲଞ୍ଚ ଆଲାଏନ୍ସ ସହ ମିଶି ଲଞ୍ଚ କରିପାରିବ।

ଆମାଜନ ଲିଓ କିଭଳି କାମ କରିବ?

ଏହି ସିଷ୍ଟମ ତିନୋଟି ମୁଖ୍ୟ ଉପାଦାନ ଉପରେ ନିର୍ମିତ- ଭୂମିଗତ ଭିତ୍ତିଭୂମି(ଇନଫ୍ରାଷ୍ଟ୍ରକ୍ଚର), ସାଟେଲାଇଟ୍ ଏବଂ କଷ୍ଟମର ଟର୍ମିନାଲ। ଗ୍ରାଉଣ୍ଡ୍ କଷ୍ଟମର ଷ୍ଟେସନଗୁଡ଼ିକରେ ସୁରକ୍ଷିତ ତଥ୍ୟ ପ୍ରସାରଣ ପାଇଁ ଗେଟୱେ ଆଣ୍ଟେନା ଏବଂ ଉପଗ୍ରହ ସ୍ଥିତି ଉପରେ ନଜର ରଖୁଥିବା TT&C ଆଣ୍ଟେନା ଏହି ସିଷ୍ଟମରେ କାମ କରିଥାଏ।

ଏହି ସିଷ୍ଟମର ସାଟେଲାଇଟ୍ଗୁଡ଼ିକୁ ଉପଭୋକ୍ତା ଏବଂ ଗେଟୱେ ମଧ୍ୟରେ ନିମ୍ନ ପୃଥିବୀ କକ୍ଷପଥ ରିଲେରେ ରଖାଯାଇଛି। ତେବେ କଷ୍ଟମର ଟର୍ମିନାଲ୍ଗୁଡ଼ିକ ଯଥା- ଲିଓ ନାନୋ, ପ୍ରୋ ଏବଂ ଅଲ୍ଟ୍ରା, ଆବଶ୍ୟକତା ଅନୁଯାୟୀ ଇଣ୍ଟରନେଟ୍ ଆକ୍ସେସ୍ ପ୍ରଦାନ କରିବ।

ଆମାଜନ ପୃଥିବୀ ଉପରେ ୫୯୦-୬୩୦ କିଲୋମିଟର ଉପରେ କାର୍ଯ୍ୟ କରୁଥିବା ୩,୦୦୦ ରୁ ଅଧିକ ଉପଗ୍ରହ ନିୟୋଜନ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ୮୦ ରୁ ଅଧିକ ଉତ୍କ୍ଷେପଣ ବୁକ୍ କରିଛି, ଯାହା ଏପର୍ଯ୍ୟନ୍ତ ସର୍ବବୃହତ ବାଣିଜ୍ୟିକ ଉତ୍କ୍ଷେପଣ କୁହାଯାଉଛି।

ସାଇଟେଲାଇଟ ଇଣ୍ଟରନେଟ୍ରେ ୟୁଜର୍ ଟର୍ମିନାଲଗୁଡ଼ିକ ୧୦୦ Mbps (Nano), ୪୦୦ Mbps (Pro), ଏବଂ ୧ Gbps (ଅଲ୍ଟ୍ରା) ପର୍ଯ୍ୟନ୍ତ ସ୍ପିଡ୍ ପ୍ରଦାନ କରିବ। ୨୦୨୫ ଶେଷ ସୁଦ୍ଧା ଏଣ୍ଟରପ୍ରାଇଜ୍ ସେବା ପ୍ରଚଳନ ହେବ। ଏବଂ ୨୦୨୬ ମସିହାରେ ବ୍ୟାପକ ଉପଲବ୍ଧତା ସହିତ କଭରେଜ୍ ବିସ୍ତାର କରିବ ବୋଲି Amazon Leo ଟାର୍ଗେଟ୍ ରଖିଛି।