• ବଧାଇ’ ବା ‘ନେଗ’ ଦାବି ପାଇଁ କିନ୍ନରଙ୍କ ଆଇନଗତ ଅଧିକାର ନାହିଁ
  • ଶୁଳ୍କ ଅଥବା କର କେବଳ ଆଇନଗତ ଅଧିକାର ଅନୁସାରେ ଅସୁଲ କରାଯାଇପାରେ
  • ଏପରି ଅସୁଲିକୁ ଆଇନଦ୍ୱାରା କେବେବି ମାନ୍ୟତା ଦିଆଯାଇ ନାହିଁ
  • ଏହା ଉପରେ ଭାରତୀୟ ନ୍ୟାୟସଂହିତା ଅନୁସାରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ହୋଇପାରେ

ଲକ୍ଷ୍ନୌ: ବିଭିନ୍ନ ଶୁଭ ଅବସରରେ ଦିଆଯାଉଥିବା ପାରମ୍ପରିକ ‘ବଧାଇ’ ବା ‘ନେଗ’ ଦାବି ପାଇଁ କିନ୍ନରଙ୍କ ଆଇନଗତ ଅଧିକାର ନାହିଁ। ଏହା କହିଛନ୍ତି ଆହ୍ଲାବାଦ ଉଚ୍ଚନ୍ୟାୟାଳୟ, କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏପରି ଦାବି ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଧାରାରେ ଅପରାଧ ହୋଇପାରେ। ହାଇକୋର୍ଟଙ୍କ ଲକ୍ଷ୍ନୌ ପୀଠର ବିଚାରପତି ଜଷ୍ଟିସ୍ ଆଲୋକ ମାଥୁର ଓ ଜଷ୍ଟିସ୍ ଅମିତାଭ କୁମାର ରାୟ ଗୋଣ୍ଡା ଜିଲ୍ଲାର ଜନୈକ ଟ୍ରାନ୍ସଜେଣ୍ଡର ବ୍ୟକ୍ତି ରେଖା ଦେବୀଙ୍କ ଦ୍ୱାରା ରୁଜୁ ଏକ ରିଟ୍ ପିଟିସନକୁ ଖାରଜ କରି ଏହି ଆଦେଶ ଗୃହୀତ କରିଛନ୍ତି। ଏହି ପିଟିସନରେ ‘ନେଗ୍’ ଜୁଟାଇବା ପାଇଁ ଏକ ବିଶେଷ କ୍ଷେତ୍ର ସୀମାକଙ୍କନ କରିବାକୁ ଦାବି କରାଯାଇଥିଲା।

ଆବେଦନକାରୀ ଜରୱାଲ ସହରାଞ୍ଚଳର କାଟି ପୋଲରୁ ଆରମ୍ଭ କରି ଘାଘରାଘାଟ ଓ କର୍ଣ୍ଣଲ ଗଞ୍ଜରେ ସରଜୁ ପୋଲ ପର୍ଯ୍ୟନ୍ତ କ୍ଷେତ୍ରକୁ ତାଙ୍କର ଅନନ୍ୟ କ୍ଷେତ୍ର ଘୋଷଣା କରିବାକୁ ଦାବି କରିଥିଲେ। ଏଥିରେ ସେ ସମ୍ପୃକ୍ତ ଅଞ୍ଚଳରୁ ଅନେକ ବର୍ଷ ହେଲା ବଧାଇ ବା ନେଗ ଅସୁଲ କରି ଆସୁଥିବା କୋର୍ଟଙ୍କୁ ଜଣାଇଥିଲେ।ତାଙ୍କ ଓକିଲ ତର୍କ ଦେଇଥିଲେଯେ ଟ୍ରାନ୍ସଜେଣ୍ଡର ସମୂଦାୟର ଅନ୍ୟ ଲୋକେ ଯେତେବେଳେ ସେହି କ୍ଷେତ୍ରକୁ ପ୍ରବେଶ କରନ୍ତି ସେଠାରେ ବିବାଦ ଉପୁଜିଥାଏ। ଏହା ଦୀର୍ଘ ସମୟରୁ ଚଳି ଆସୁଥିବା ପ୍ରଥାର ଏକ ପାରମ୍ପରିକ ଅଧିକାର ସହ ସମାନ।

ତେବେ କୋର୍ଟ ଏପରି ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି, କହିଛନ୍ତି ଯେ କୌଣସି ଶୁଳ୍କ ଅଥବା କର କେବଳ ଆଇନଗତ ଅଧିକାର ଅନୁସାରେ ଅସୁଲ କରାଯାଇପାରେ। ଏଥିରେ ବଧାଇ ବା ଜଜମାନୀ ନାମରେ ଅସୁଲ କରିବାର ପ୍ରଥାକୁ ଆଇନ ମାନ୍ୟତା ଦିଏନି। ଜାଣିଶୁଣି ଅଥବା ଅଜାଣତରେ କାହାଠାରୁ ଟଙ୍କା ଆଦାୟକୁ ସ୍ୱୀକାର କରାଯାଇ ନପାରେ। କୌଣସି ନାଗରିକକୁ କେବଳ ସେତିକି ରାଶି ପୈଠ ଲାଗି ନିର୍ଦ୍ଦେଶ ଦିଆଯାଇପାରେ ଯେତିକି ଆଇନ ଦ୍ୱାରା ଧାର୍ଯ୍ୟ ହୋଇଥାଏ।

କୋର୍ଟ ଏହା ବି କହିଛନ୍ତି ଯେ ଟ୍ରାନ୍ସଜେଣ୍ଡର ବ୍ୟକ୍ତି (ଅଧିକାରର ସଂରକ୍ଷଣ) ଅଧିନିୟମ ୨୦୧୯ ଅନୁସାରେ କୌଣସି ଅଧିକାରର ପ୍ରାବଧାନ ନାହିଁ। ଏହି ଆବେଦନକୁ ଅଗ୍ରାହ୍ୟ କରି ପୀଠ କହିଛନ୍ତି ଯେ ଏପରି ଆବେଦନ ଶୁଣାଣି ଲାଗି ସ୍ୱୀକାର କରିବା ଦ୍ୱାରା ଅବୈଧ ଆଦାୟକୁ ବୈଧତା ମିଳିଯିବ, ଯାହା ଅପରାଧିକ ଗତିବିଦ୍ଧିକୁ ପ୍ରୋତ୍ସାହିତ କରିବ। କୋର୍ଟ କହିଛନ୍ତି ଯେ ଏପରି ଅସୁଲିକୁ ଆଇନଦ୍ୱାରା କେବେବି ମାନ୍ୟତା ଦିଆଯାଇ ନାହିଁ ଓ ଏହା ଉପରେ ଭାରତୀୟ ନ୍ୟାୟସଂହିତା ଅନୁସାରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ହୋଇପାରେ।