ମୁମ୍ବାଇ: ଗଣେଶ ପୂଜା ସମୟରେ ପୁଣେରେ ୧୦ ଦିନ ପାଇଁ ମଦ ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଜାରି କରିବା ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି ବମ୍ବେ ହାଇକୋର୍ଟ। ମୁମ୍ବାଇ ସମେତ ଅନ୍ୟ ଅଞ୍ଚଳକୁ ଛାଡ଼ି କେବଳ ପୁଣେକୁ କାହିଁକି ଟାର୍ଗେଟ୍ କରାଗଲା ବୋଲି କୋର୍ଟ ପୁଣେ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ତ’ ସହିତ କଟକଣାକୁ ଦୁଇଦିନ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ବିଚାରପତି ଏମ୍.ସି. ତ୍ରିପାଠୀ ଓ ବିଚାରପତି ଅଦ୍ୱୈତ ସେଠନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଏହି ମାମଲାରେ ଶୁଣାଣି କରିଥିଲେ। ଯଦି ଏହି ନିଷେଧାଦେଶ ପ୍ରତ୍ୟାହାର କରାନଯାଏ, ତେବେ କୋର୍ଟ ଏଥିରେ ହସ୍ତକ୍ଷେପ କରିବ ବୋଲି ଖଣ୍ଡପୀଠ କହିଥିଲେ। ଏଭଳି ମନମୁଖୀ ଭାବେ ନିଷେଧାଦେଶ ଲଗାଇବା ଦ୍ୱାରା ପୁଣେ ଓ ପୁଣେବାସୀଙ୍କୁ ଅଯଥାରେ ବଦନାମ କରାଯାଉଛି ବୋଲି କୋର୍ଟ କହିଛନ୍ତି।

ପରବର୍ତ୍ତୀ ଶୁଣାଣିରେ ଅତିରିକ୍ତ ସରକାରୀ ଓକିଲ କେଦାର ଦିଘେ କୋର୍ଟଙ୍କୁ ମଦ ବ୍ୟାନ ନିଷ୍ପତ୍ତି ବିଷୟରେ ଜଣାଇଥିଲେ। ଏଣିକି ମଦ ବିକ୍ରି ଓ ବ୍ୟବହାର ଉପରେ କଟକଣା କେବଳ ସେପ୍ଟେମ୍ବର ୧୪ ଗଣେଶ ପୂଜାର ପ୍ରଥମ ଦିନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରହିବ। ଏହା ସହ ଗଣେଶ ପୂଜାର ଶେଷ ଦିନ ସେପ୍ଟେମ୍ବର ୨୫ରେ ମଧ୍ୟ ନିଷେଧ ରହିବ ବୋଲି ଶ୍ରୀ ଦିଘେ କୋର୍ଟଙ୍କୁ ଜଣାଇଥିଲେ। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨୫କୁ ପୂର୍ବରୁ ହିଁ ଡ୍ରାଏ ଡେ ଭାବେ ନିର୍ଦ୍ଧାରିତ କରାଯାଇଛି। ସରକାରଙ୍କ ଏହି ବୟାନକୁ କୋର୍ଟ ଗ୍ରହଣ କରିବା ସହ ପୁଣେ ଜିଲ୍ଲାପାଳଙ୍କୁ ଏନେଇ ନୂଆ ଆଦେଶ ଜାରି କରିବାକୁ କହିଛନ୍ତି।

କାହିଁକି ହେଲା ମାମଲା?

ଗଣେଶ ପୂଜାର ୧୦ ଦିନ ଯାଏଁ ମଦ ବିକ୍ରି ଉପରେ ନିଷେଧ ଲଗାଇଥିବା ପୁଣେ ଜିଲ୍ଲାପାଳଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ହୋଟେଲ୍ ମାଲିକ ଓ ମଦ ଦୋକାନ ମାଲିକଙ୍କ ସଂଘ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ କୋର୍ଟ ପ୍ରଶ୍ନ କରିଥିଲେ ଯେ ସମଗ୍ର ମହାରାଷ୍ଟ୍ରରେ ନୁହେଁ, କେବଳ ପୁଣେରେ କାହିଁକି ଏଭଳି ନିଷେଧାଦେଶ ଲାଗୁ କରାଗଲା?

କୋର୍ଟ କହିଥିଲେ, ପୁଣେକୁ ଚୟନ କରିବାର ଯୁକ୍ତି କ’ଣ? ଏଭଳି ପଦକ୍ଷେପକୁ ଆମେ ନାପସନ୍ଦ କରୁଛୁ। ଏହା ପୁଣେବାସୀଙ୍କ ପାଇଁ ଏକ ପ୍ରକାରର କଳଙ୍କ। କ’ଣ ଏହାର ଅର୍ଥ ଯେ କେବଳ ପୁଣେର ଲୋକମାନେ ମଦ ପିଇବା ପରେ ଖରାପ ବ୍ୟବହାର କରନ୍ତି?

ଅଧିକନ୍ତୁ, ଆଇନଶୃଙ୍ଖଳା ରକ୍ଷା ଓ ଅଯଥା ଗଣ୍ଡଗୋଳ ରୋକିବା ପାଇଁ ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ ବୋଲି କୋର୍ଟ ସ୍ୱୀକାର କରିଥିଲେ। କିନ୍ତୁ ଏହା ଆଳରେ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କ ବ୍ୟବସାୟକୁ ୧୦ ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ଭଳି ଏକ ବ୍ୟାପକ ନିଷେଧାଦେଶ ଜାରି କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ।

‘୧୦ ଦିନ ମଦ ନମିଳିଲେ ହସ୍ପିଟାଲ ଭରିଯିବ’

ଶୁଣାଣି ସମୟରେ ମୁଖ୍ୟ ବିଚାରପତି ଶ୍ରୀ ତ୍ରିପାଠୀ ମାମଲାକୁ ବ୍ୟାଙ୍ଗ କରିଥିଲେ। ଏବଂ ଥଟାରେ କହିଥିଲେ ଯେ, ଯେଉଁମାନେ ନିୟମିତ ଭାବେ ମଦ ପିଅନ୍ତି, ସେମାନଙ୍କୁ ହଠାତ୍ ୧୦ ଦିନ ମଦ ନମିଳିଲେ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ ଏବଂ ହସ୍ପିଟାଲରେ ଭିଡ଼ ବଢ଼ିପାରେ। ଏହାସହ ଏଭଳି ସମ୍ପୂର୍ଣ୍ଣ ନିଷେଧାଦେଶ ଦ୍ୱାରା ରାଜ୍ୟର ଅବକାରୀ ବିଭାଗର ରାଜସ୍ୱ କ୍ଷତି ହେବ ବୋଲି ମଧ୍ୟ କୋର୍ଟ କହିଛନ୍ତି।

ଶୁଣାଣି ବେଳେ କୋର୍ଟ ସ୍ପଷ୍ଟ କରିଥିଲେ ଯେ, ମଦ ସେବନ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଆଇନଶୃଙ୍ଖଳା ସମସ୍ୟା କିମ୍ବା ଅଯଥା ଗଣ୍ଡଗୋଳ ସୃଷ୍ଟି କରିବେ ବୋଲି ଧରିନିଆଯାଇପାରିବ ନାହିଁ। ତେଣୁ ଏଭଳି ନିର୍ଦ୍ଦେଶ କୌଣସି ଉଚିତ ମନେ ହେଉ ନାହିଁ। କୋର୍ଟଙ୍କର ଏହି ରାୟ ପରେ ପୁଣେରେ ୧୦ ଦିନିଆ ମଦ ନିଷେଧ ପରିବର୍ତ୍ତେ ଏବେ କେବଳ ଦୁଇ ଦିନରେ କଟକଣା ସୀମିତ ରହିବ ବୋଲି ଜଣାପଡ଼ିଛି।